ଗ୍ୟାସ ନିଆଁରେ ଜଳିଗଲେ ବାପ,ପୁଅ, ଏମ୍ସରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମା’

ରାଉରକେଲା : ଲକଡାଉନ ସମୟରେ ଭୋକ ମେଣ୍ଟାଇବାକୁ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଜଳିଗଲେ ପରିବାରର ତିନିଜଣ ସଦସ୍ୟ।  ବାପ,ପୁଅ ଓ ମା’। ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେl

ପ୍ରାପ୍ତ ସୂଚନା ଅନୁଯାୟୀ,  ଗତ ୪ ତାରିଖରେ ସେକ୍ଟର -୫ ସ୍ଥିତ କବି ସମ୍ରାଟପାଲି ବସ୍ତିରେ ରହୁଥିବା ଜଣେ ଉଠା ଦୋକାନୀ ଅଯୋଧ୍ୟା ସାହୁ, ତାଙ୍କ ପତ୍ନୀ ରିତାଞ୍ଜଳି ଓ ଏଗାର ବର୍ଷର ପୁଅ ଗୁଡୁ ଘରେ ଗ୍ୟାସ୍ ଲଗାଇ ଖରାବେଳେ ରୋଷେଇ କରୁଥିଲେ।

ସେଥିରେ ଉକ୍ତ ବାପା, ମାଆ ଓ ପୁଅଙ୍କ ଦେହରେ ନିଆଁ ଲାଗି ଯିବାରୁ ସେମାନେ ଗୁରତର ହୋଇଥିଲେ। ଏହାପରେ ସେମାନଙ୍କୁ ସ୍ଥାନୀୟ ଆଇଜିଏଚକୁ ଅଣାଯାଇଥିଲା। ସେଠାରେ ଗତକାଲି  ଅଯୋଧ୍ୟା ସାହୁଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଡାକ୍ତର ଅଯୋଧ୍ୟାଙ୍କ ପତ୍ନୀ ରିତାଞ୍ଜଳି ଓ ଏଗାର ବର୍ଷର ପୁଅ ଗୁଡୁଙ୍କୁ କଟକର ଏସସିବିକୁ ରେଫର୍ କରିଥିଲେ।

ଉଭୟଙ୍କୁ କଟକ ଅଣାଯାଉଥିବା ବେଳେ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ନିକଟରେ ଗୁଡୁଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ସେଠାରେ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତା’ପରେ ଉଭୟ ମା’ ଓ ପୁଅଙ୍କୁ ଅଣା ଯାଉଥିବା ସମୟରେ ବାଟରେ ପୁଅ ଗୁଡୁ ପ୍ରାଣ ହରାଇଥିଲେ।

ଏବେ ରିତାଞ୍ଜଳି ଭୁବନେଶ୍ୱରର ଏମ୍ସ ରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି l ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ  କବି ସମ୍ରାଟପାଲିରେ ବସ୍ତିରେ ଶୋକର ଛାୟା ଖେଳି ଯାଇଛି l

ସମ୍ବନ୍ଧିତ ଖବର