୨.୩୫ କୋଟି ଟଙ୍କା ଠକେଇ: ଉତ୍ତରପ୍ରଦେଶରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ରାହାତ କୋସ୍ ଯୋଜନା ନାଁରେ ୨.୩୫ କୋଟି ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶରୁ ବିଜୟକୁ ଗିରଫ କରିଛି। ଗତକାଲି ବିଜୟକୁ ଉତ୍ତରପ୍ରଦେଶର ଏଟା କୋର୍ଟରେ ହାଜର କରିବା ପରେ କ୍ରାଇମ୍‌ବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ଆଣିଛି ଏବଂ ଆସନ୍ତାକାଲି କେନ୍ଦୁଝର ବଡ଼ବିଲ୍‌ କୋର୍ଟରେ ହାଜର କରାଯିବ। ଏହି ଗ୍ୟାଙ୍ଗ୍‌ର ଅନ୍ୟତମ ଠକ ହିମାଂଶୁ ଭଣ୍ଡାରୀକୁ କ୍ରାଇମ୍‌ବ୍ରାଞ୍ଚ ପୂର୍ବରୁ ଗିରଫ କରିସାରିଛି।

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଡ଼ବିଲ୍‌ର ପ୍ରମୋଦ କୁମାର ରାଉତ ମାକ୍ସ ନ୍ୟୁୟର୍କ ଲାଇଫ୍‌ରେ ୨.୫ କୋଟି ଟଙ୍କାର ଏକ ବୀମା କରାଇଥିଲେ। ୨୦୧୨ ମସିହାରୁ ହୋଇଥିବା ଏହି ବୀମାର ଅବଧି ୨୦୧୯ ମସିହା ପର୍ଯ୍ୟନ୍ତ ଥିଲା। ତେବେ ଅବଧି ସରିବା ଠିକ୍‌ କିଛି ଦିନ ପୂର୍ବରୁ ତାଙ୍କୁ ଏକ ଫୋନ୍‌ କଲ୍‌ ମିଳିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅଧିକାରୀ ଏକେ ୱାଲିଆ‌ ବୋଲି ପରିଚୟ ଦେଇ କଥା ହୋଇଥିଲା। ପ୍ରମୋଦଙ୍କ ବୀମା ପ୍ରଧାନମନ୍ତ୍ରୀ ରାହତ୍‌ କୋସ୍‌ ଯୋଜନାର ଅନ୍ତର୍ଭୁକ୍ତ ହୋଇଛି ଏବଂ ଏଥିପାଇଁ ତାଙ୍କୁ ୩ କୋଟି ଟଙ୍କା ମିଳିବ ବୋଲି ୱାଲିଆ ନାମଧାରୀ ଠକ କହିଥିଲା। ଫୋନ୍‌ରେ ଏହି ଲୋଭନୀୟ ଅଫର୍ କଥା କହିବା ସହ ଠକ ପ୍ରମୋଦଙ୍କ ହ୍ବାଟ୍‌ସଆପ୍‌ରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଲୋଗୋ ଥିବା କାଗଜପତ୍ର ପଠାଇଥିଲା। ଫଳରେ ପ୍ରମୋଦ ଠକ କଥାକୁ ସତ ବୋଲି ବୁଝିଥିଲେ। ସେହିଭଳି କିଛି ଦିନ ଭିତରେ ପ୍ରମୋଦଙ୍କୁ ଆହୁରି କିଛି ଫୋନ୍‌ କଲ୍‌ ମିଳିଥିଲା ଏବଂ ସେମାନେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ବୀମା କମ୍ପାନିର ଅଧିକାରୀ ବୋଲି କହି କଥାବାର୍ତ୍ତା ହୋଇଥିଲେ। କେବଳ ସେତିକି ନୁହେଁ, ଏହି ଠକ ଗ୍ୟାଙ୍ଗ୍‌ ପ୍ରମୋଦଙ୍କ ମୋବାଇଲ୍‌ ଫୋନ୍‌କୁ ଆୟକର ବିଭାଗ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଚିଠି ମଧ୍ୟ ପଠାଇଥିଲା। ତେଣୁ ୩ କୋଟି ଟଙ୍କା ପାଇବା ଲୋଭରେ ଏବଂ ଠକମାନଙ୍କୁ ବିଶ୍ବାସ କରି ପ୍ରମୋଦ ଠକମାନେ ଦେଇଥିବା ଆକାଉଣ୍ଟରେ ବିଭିନ୍ନ ପର୍ଯ୍ୟାୟ‌ରେ ୨.୩୫ କୋଟି ଟଙ୍କା ଜମା କରିଦେଲେ।

ସମ୍ବନ୍ଧିତ ଖବର