ବଡ଼ବିଲ ପୌରପାଳିକା ଆକାଉଣ୍ଟରୁ ୨.୪୪ କୋଟି ଗାଏବ ଘଟଣା: ଦୁଇଦିନରେ ହୋଇଥିଲା ୪ ଥର କାରବାର

ଅର୍ଥନୈତିକ ଅପରାଧ ଶାଖାର ତନାଘନା, ରାଜ୍ୟ ବାହାରକୁ ଗଲା ପୁଲିସ୍‌ର ଏକ ଟିମ୍‌

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଆକାଉଣ୍ଟରୁ ୨ କୋଟି ୪୪ ଲକ୍ଷ ଟଙ୍କା ଗାଏବ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଅର୍ଥନୈତିକ ଅପରାଧ ଶାଖାର ଏକ ଟିମ୍‌ ବଡ଼ବିଲରେ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ ବଡ଼ବିଲ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛି। ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ଏକ ଆକାଉଣ୍ଟକୁ ପୁଲିସ ଅଚଳ କରିଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଦୁଇଦିନରେ ୪ଟି ଟ୍ରାଞ୍ଜାକ୍ସନ ମାଧ୍ୟମରେ ଏହି ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ବଡ଼ବିଲ ସହରରେ ଥିବା ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ପୌରପାଳିକାର ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟର ଏକ ଚେକ୍‌ବହି କିଛିଦିନ ହେବ ମିଳୁ ନଥିଲା ବୋଲି ଶୁଣିବାକୁ ମିଳୁଛି। ‌ଏନେଇ ପୌରପାଳିକା ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା। ବଡ଼ବିଲ ପୌରପରିଷଦର ମୁଖ୍ୟ କିରାଣିଙ୍କ ଫୋନ୍‌ ନମ୍ବର ଏହି ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଥିଲା। ମୁଖ୍ୟ କିରାଣି ଜଣଙ୍କ ଗତ ୯ ମାସ ତଳରୁ ଚାକିରିରୁ ଅବସର ଗ୍ରହଣ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ କିରାଣିଙ୍କ ମୋବାଇଲ ନମ୍ବରକୁ ଗତ ୧୩ ତାରିଖରେ କେହି ଦୁର୍ବୃତ୍ତ ପ୍ରଥମେ ଅଚଳ କରିଥିଲା। ତାଙ୍କ ପରିଚୟପତ୍ର ଦେଇ ନୂଆ‌ ସିମ୍‌ ଆଣିଥିଲା। ପରେ ପୌରପାଳିକାର ଚେକ୍‌ ବ୍ୟାଙ୍କରେ ଡିପୋଜିଟ କରାଯାଇଥିଲା। ଟଙ୍କା ଟ୍ରାନ୍ସଫର୍‌ ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ନମ୍ବରକୁ ଫୋନ୍‌ କରି ଅନୁମତି ମାଗିଥିଲେ। ଦୁର୍ବୃତ୍ତମାନେ କଲ୍‌ ରିସିଭ କରି ଏହା ବଡ଼ବିଲ ପୌରପାଳିକାର ଚେକ୍‌। ଟଙ୍କା ଟ୍ରାନ୍ସଫର୍‌ ପାଇଁ ଅନୁମତି ଦିଆଯାଉ ବୋଲି ଦର୍ଶାଇଥିଲେ। ଏହାପରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଯାଇଥିଲା।

ମାର୍ଚ୍ଚ ୧୬ ଏବଂ ୨୨ ତାରିଖରେ ଏହିପରି ଭାବେ ମୋଟ ୪ଟି ଟ୍ରାଞ୍ଜାକ୍ସନ କରାଯାଇ ବିଭିନ୍ନ ଆକାଉଣ୍ଟକୁ ୨ କୋଟି ୪୪ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା। ଏନେଇ ବଡ଼ବିଲ ପୌରପାଳିକାର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ବଡ଼ବିଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେ‌ହେରା କହିଛନ୍ତି, ପୁଲିସର ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ଟଙ୍କା ଯାଇଥିବା ଏକ ଆକାଉଣ୍ଟକୁ ଅଚଳ କରାଯାଇଛି। ଦୁର୍ବୃତ୍ତଙ୍କ ସମ୍ପର୍କରେ କିଛି ସୁରାକ ପୁଲିସକୁ ମିଳିଛି। ଖୁବ୍‌ଶୀଘ୍ର ବଳକା ଟଙ୍କା ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବା ବୋଲି ଶ୍ରୀ ବେହେରା କହିଛନ୍ତି। ସେହିପରି ଏନେଇ ବ୍ୟାଙ୍କ ଅଫ୍‌ ବରୋଦାର ଶାଖା ପରିଚାଳକ ତୁଷାର ପୃଷ୍ଟିଙ୍କୁ ପଚାରିବାରୁ, ଅର୍ଥନୈତିକ ଅପରାଧ ଶାଖାର ଏକ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ଜାରି ରହିଥିବାରୁ ସେ କିଛି କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର