୨୦ ହଜାରିଆ ବ୍ଲାକ୍‌ଜେଟ୍‌ କୁକୁଡା

ରାଉରକେଲା/ନୂଆଗାଁ : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌ସ୍ଥିତ ଛୋଟ ଗାଁ ସୋରଡାରେ ଏବେ ପ୍ରତିଦିନ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡରୁ ଆସିଥିବା ବେପାରୀଙ୍କ ଭିଡ଼ ଜମୁଛି। କାରଣ ହେଉଛି, ୮ରୁ ୨୦ ହଜାର ଟଙ୍କା ମୂଲ୍ୟର କୁକୁଡ଼ା।

ଦେଶ, ବିଦେଶର ନାନା ପ୍ରଜାତିର କୁକୁଡାଙ୍କୁ ନେଇ ସେଠାରେ ଏକ ଫାର୍ମ କରିଛନ୍ତି ମୁସ୍ତାକ୍‌ ଅନ୍‌ସାରୀ। ତାଙ୍କ ଫାର୍ମରେ ରହିଛନ୍ତି ୧୦ରୁ ଅଧିକ ପ୍ରଜାତିର କୁକୁଡା, ଯେମିତିକି ଥାଇଲାଣ୍ଡର ବ୍ଲାକ୍‌ଜେଟ୍‌, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅସିଲ୍‌ ସହ ପରୋଡ୍‌ବିକ୍‌, ହାଇ ପ୍ଲାୟେର, ସିମ୍ଭି, କଡକନାଥ ଓ ଟେମ୍ପର ଟେଲ୍‌ ଇତ୍ୟାଦି। ତେବେ ଏମାନଙ୍କ ଭିତରେ ସବୁଠୁ ଅଧିକ ଦର ହେଉଛି ବ୍ଲାକ୍‌ଜେଟ୍‌। ଏହାର ସାଢ଼େତିନି କେଜି ଓଜନର କୁକୁଡ଼ା ବିକ୍ରି ହେଉଛି ୯ ହଜାର ଟଙ୍କାରେ। ୫ରୁ ୬ କେଜି ଓଜନର କୁକୁଡା ୧୫ରୁ ୨୦ ହଜାର ଟଙ୍କାରେ। ତେବେ ଦାମ୍‌ ଅଧିକ ରହିଲେ ହେଁ ଏହାର ରହିଛି ଢ଼େର ଚାହିଦା। ବ୍ଲକ୍‌ଜେଟ୍‌ କୁକୁଡ଼ାର ମାଂସ ସଂପୂର୍ଣ୍ଣ କଳା। ଏଥିରେ ଅନେକ ଔଷଧୀୟ ଗୁଣ ଥିବା ବିଶ୍ବାସ କରାଯାଏ। ପୂର୍ବେ ଥାଇଲାଣ୍ଡର ରାଜବଂଶର ଲୋକେ ଏହାର ମାଂସ ଖାଉଥିଲେ ବୋଲି ଶୁଣାଯାଏ।

ଚାହିଦା ଅଧିକ ଅଧିକ ଥିବାରୁ ମୁସ୍ତାକ୍‌ ବେଶ୍‌ ଭଲ ଦି ପଇସା ରୋଜଗାର କରୁଛନ୍ତି। ବର୍ଷା, ଶୀତ ଓ ଗ୍ରୀଷ୍ମ ଋତୁରେ ଜଳବାୟୁକୁ ସହ୍ୟ କରିପାରୁଥିବା ଭିନ୍ନ ଭିନ୍ନ ପ୍ରଜାତିର କୁକୁଡା ଚାଷ କରୁଛନ୍ତି ସେ। ନିଜ ଫାର୍ମରେ ଏବେ ୨୦ ଲକ୍ଷରୁ ଅଧିକ ଟଙ୍କାର କୁକୁଡା ରଖିଛନ୍ତି।

ସମ୍ବନ୍ଧିତ ଖବର