ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା

ଭୁବନେଶ୍ବର: ରାଜ୍ୟ ସରକାର ମାସ୍କ ବ୍ୟବହାର ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଲୋକ ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଗଣିବେ। ସେହି ବ୍ୟକ୍ତି ଦ୍ବିତୀୟ ଥର ମାସ୍କ ପିନ୍ଧି ନଥିଲେ ୫ ହଜାର ଟଙ୍କା ଜରିମାନା ଦେବେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପୂର୍ବରୁ ଜାରି କରିଥିବା ନିୟମରେ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାରଙ୍କ ନୂତନ ନିୟମ ବର୍ତ୍ତମାନ ଠାରୁ ଲାଗୁ ହୋଇଛି।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କହିଛନ୍ତି, ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ। ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍‌ଡାଉନ୍‌ରେ ରୋକିପାରିବା। ଯଦି ନିଜର ଜୀବନ ଜୀବିକାକୁ ବଜାୟ ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ।

ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ମୁଁ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ। ଦେଶର ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ। ଆସନ୍ତୁ ଆମେ ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା। ଏହି ସମୟରେ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବା ନିୟମ ପାଳନ କରିବା। ତେବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ। ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା। ତେବେ କରୋନାକୁ ଜିତି ପାରିବା।

ସମ୍ବନ୍ଧିତ ଖବର