କରୋନା ପାଇଁ ଅଟକିଥିବା କାର୍ଯ୍ୟ ଆରମ୍ଭ ହେବ : ପାନୀୟଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୦ ହଜାର କୋଟି

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। କରୋନା ପାଇଁ ପ୍ରାୟ ଅଢ଼େଇ ମାସ ଧରି ବହୁ ପ୍ରକଳ୍ପର କାର୍ଯ୍ୟ ବନ୍ଦ ରହିଥିଲା। ଏବେ ତାହା ପୁନର୍ବାର ଆରମ୍ଭ ହେବ। ପ୍ରତ୍ୟେକ ପରିବାର ନିକଟରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଥିବାରୁ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପାନୀୟଜଳ ପ୍ରକଳ୍ପଗୁଡ଼ିକର ଆଜି ଏକ ସମୀକ୍ଷା ବୈଠକ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୬୬ଟି ମେଗା ପ୍ରକଳ୍ପ ଓ ୫୮୬୧ଟି ପାଇପ୍‍ ଯୋଗେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୬୬ଟି ମେଗା ପ୍ରକଳ୍ପ ଲାଗି ୧୩,୧୮୦କୋଟି ୯୬ଲକ୍ଷ ଟଙ୍କାର ବରାଦ ହୋଇଛି । ଏଥି ପାଇଁ ଚତୁର୍ଥ ରାଜ୍ୟ ଅର୍ଥ କମିସନ୍‌ଙ୍କ ଅନୁଦାନ ସହିତ ଓମ୍ବାଡକ, ଆରଆଇଡିଏଫ୍‍, ଜେଜେଏମ୍‍, ବସୁଧା, ଜିଲ୍ଲା ଖଣିଜ ପାଣ୍ଠି ଆଦିରୁ ଅର୍ଥ ପ୍ରଦାନ କରାଯିବ । ତେବେ ସର୍ବାଧିକ ୧୯ଟି ପ୍ରକଳ୍ପ ଓମ୍ବାଡକ ମାଧ୍ୟମରେ ହେଉଥିବା ବେଳେ ଏଥି ପାଇଁ ୨୬୭୪କୋଟି ୭୬ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ବସୁଧା ଯୋଜନାରେ ୧୬ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏଥି ପାଇଁ ୩୨୫୭କୋଟି ୬୧ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ଚତୁର୍ଥ ରାଜ୍ୟ ଅର୍ଥ କମିସନ୍‌ଙ୍କ ପ୍ରଦତ୍ତ ଅର୍ଥରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଆର୍‌ଆଇଡିଏଫ୍‌ ଓ ଜେେଜେଏମ୍‍ ମାଧ୍ୟମରେ ୮ଟି ଲେଖାଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଜିଲ୍ଲା ଖଣିଜ ପାଣ୍ଠିର ୧୫୫୩ କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହା ବାଦ୍‍ ୩୫୯୭ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଆଉ ୨୧ଟି ମେଗା ପ୍ରକଳ୍ପ ଲାଗି ଟେଣ୍ଡର ଜାରି ହେବ। ଏଥି ମଧ୍ୟରୁ ବସୁଧା ଯୋଜନାରେ ସର୍ବାଧିକ ୧୧ଟି ପ୍ରକଳ୍ପ ରହିଥିବାବେଳେ ଆର୍‌ଆଇଡିଏଫ୍‍ରେ ୮ଟି ଓ ଜେଜେଏମ୍‍ରେ ଜରିଆରେ ଦୁଇଟି ପ୍ରକଳ୍ପ କାର୍ଯ୍ୟପାଇଁ ଟେଣ୍ଡର ଜାରି କରାଯିବ । ୫୮୬୧ଟି ପାଇପ୍‍ ଯୋଗେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୪,୨୪୪ କୋଟି ୬୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏଥି ମଧ୍ୟରୁ ୫୭୭୪ଟି ଗ୍ରାମ ପାଇଁ ୭୪୨୮କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଜି ସୁଦ୍ଧା ୧୮୩୯ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟରେ ୨୧୩୯ ଛୋଟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବୈଠକରେ ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶକ ବି.ପରମେଶ୍ୱରନ, ସର୍ବୋଚ୍ଚ ଯନ୍ତ୍ରୀ ଅଭୟ ବିଶ୍ୱାଳଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର