ଘରଭଡ଼ା ପାଇଁ ଅନଲାଇନ୍ ବିଜ୍ଞାପନ ଦେବା ମହଙ୍ଗା ପଡ଼ିଲା; ୩.୪୪ ଲକ୍ଷ ଠକେଇ

ବ୍ରହ୍ମପୁର: ଘରଭଡ଼ା ପାଇଁ ଅନ୍‌ଲାଇନ୍‌ ଆପ୍‌ (ଓଏଲ୍‌ଏକ୍ସ)ରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍ ନମ୍ବରକୁ କେହି ଜଣେ ଠକ ଫୋନ୍ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ବାସଭାଜନ ହେବାସହ ଘର ଭଡ଼ାରେ ରହିବାକୁ କହି ଅଗ୍ରୀମ ଟଙ୍କା ଦେବା ପରିବର୍ତ୍ତେ ଘର ମାଲିକଙ୍କ ଠାରୁ ଓଲଟା ୩ଲକ୍ଷ ୪୪ହଜାର ଟଙ୍କା ଲୁଟି ନେଇଛି। ଏନେଇ ଘର ମାଲିକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ରଙ୍ଗୁଣିବନ୍ଧ ସାହିର ଜଣେ ଘର ମାଲିକ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଓଏଲ୍ଏକ୍ସରେ ସେ ଘର ଭଡ଼ା ପାଇଁ ଦେଇଥିବା ବିଜ୍ଞାପନରେ ଥିବା ମୋବାଇଲ୍ ନମ୍ବରକୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲା। ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ରଂଗେଇଲୁଣ୍ଡା ଆର୍ମି ଏଡି କଲେଜକୁ ତା’ର ବଦଳି ହୋଇଥିବାରୁ ଘର ଭଡ଼ା ନେବାକୁ ଚାହୁଁଥିବା ପ୍ରକାଶ କରିଥିଲା। ଘର ମାଲିକ ଜଣକ ତା’କୁ ଘର ଦେଖି ଆସିବା ପାଇଁ କହିଥିଲେ। କିନ୍ତୁ ସେ ବିଜ୍ଞାପନରେ ଦେଖିଥିବା ଘର ଫଟୋ ଦେଖି ସନ୍ତୁଷ୍ଟ ଥିବା କହିଥିଲା। ଏହାପରେ ମୋତେ‌ ସେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ କେୱାଇସି ଡିଟେଲ୍ ପଠାଇବାକୁ କହିଥିଲା।

ଇଣ୍ଡିଆନ୍ ଆର୍ମିର ବ୍ୟବସ୍ଥା ମୁତାବକ ‌କୁଆଡ଼େ ସେସବୁ ଅଫିସରେ ଦାଖଲ କଲାପରେ ଯାଇ ସାଧାରଣ ଲୋକଙ୍କ ସହ ଅର୍ଥ ନେଣଦେଣ କରିପାରିବ ବୋଲି କହିଥିଲା। ଏଇ କଥାକୁ ବିଶ୍ବାସ କରି ଘରମାଲିକ ସମସ୍ତ ବ୍ୟାଙ୍କ ଡିଟେଲ୍‌ ପ୍ରଦାନ କରିଥିଲେ। ପରେ ତା’ର କହିବା ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଥମେ ୧ଟଙ୍କା ତା’ର ଆକାଉଣ୍ଟକୁ ଅନ୍‌ଲାଇନ୍ ଟ୍ରାନ୍ସଫର୍ କରିଥିଲେ। ତା’ପରେ ୯୯୯୯ଟଙ୍କା ପଠାଇଲେ ୨୦ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ବୋଲି ନିଜକୁ ସେନା କର୍ମଚାରୀ ବୋଲି କହୁଥିବା ବ୍ୟକ୍ତି ଜଣକ କହିଥିଲା। ସେତିକି ପରିମାଣର ଟଙ୍କା ପଠାଇବା ପରେ ଟ୍ରାନ୍‌ଜାକ୍ସନ ପ୍ରକ୍ରିୟା ଜାରି ରହିଛି, ତେଣୁ ୧୦ହଜାର ଟଙ୍କା ପଠାଇବାକୁ କହିଥିଲା। ଏଭଳି ସେ ବିଭିନ୍ନ ବାହାନା କରି ୯ଥରରେ ମୋଟ ୩ଲକ୍ଷ ୪୪ହଜାର ଟଙ୍କା ମାଗି ନେଇଥିଲା। ପୁଣି ଶେଷଥର ପାଇଁ ୯୯,୫୦୦ଟଙ୍କା ମାଗିବାରୁ ଘର ମାଲିକ ମନା କରି ଦେଇଥିଲେ। ତଥାପି ସେ ବାଧ୍ୟ କରିଥିଲା, ଉପରୋକ୍ତ ଟଙ୍କା ଜମା କଲେ ସଂଗେସଂଗେ ପୂର୍ବରୁ ଡିପୋଜିଟ୍ କରିଥିବା ସମସ୍ତ ଟଙ୍କା ଫେରସ୍ତ ଆସିଯିବ ନଚେତ୍ ୭-୧୦ଦିନ ମଧ୍ୟରେ ଚେକ୍ ଆସିବ ବୋଲି କହିଥିଲା। ସେତେ‌ବେଳକୁ ଘର ମାଲିକ ଜଣକ ଠକ ହାବୁଡ଼ରେ ପଡ଼ି ଯାଇଥିବା ଅନୁଭବ କରି ମନା କରି ଦେଇଥିଲେ। ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର