ଅନ୍‌ଲାଇନ୍‌ରେ ଚାକିରି ଲୋଭ ଦେଖାଇ ୧୦ ଟଙ୍କା ପଞ୍ଜିକରଣ ନାଁରେ ଲକ୍ଷେ ଟଙ୍କା ଠକିନେଲେ ମହିଳା

ରାଉରକେଲା: ‘ମୁଁ ନୌକରି ଡଟ୍‌ କମ୍‌ ମ୍ୟାନେଜର କହୁଛି। ଆପଣ ରାଉରକେଲା ବିକାଶ କୁମାର ଗୁପ୍ତା କହୁଛନ୍ତି ତ? ଆପଣଙ୍କ ନାଁରେ ଦୁଇଟି କମ୍ପାନିର ନିଯୁକ୍ତି ଅଫର୍‌ ଆସିଛି। ଏଥିପାଇଁ ଆପଣଙ୍କୁ ଅନ୍‌ ଲାଇନରେ ମାତ୍ର ୧୦ ଟଙ୍କାରେ ପଞ୍ଜିକରଣ କରିବା ପରେ ଯେ କୌଣସି ଗୋଟିଏ କମ୍ପାନିରେ ନିଶ୍ଚିତ ନିଯୁକ୍ତ ମିଳିଯି। ଏମିତି ଚାକିରି ଲୋଭ ଦେଖାଇ ତଥାକଥିତ ମହିଳା ଜଣଙ୍କ ବିକାଶର ଦୁଇଟି ଆକାଉଣ୍ଟରୁ ୧ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ବିକାଶ ଏ ସଂକ୍ରାନ୍ତରେ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ବାସନ୍ତୀ କଲୋନିର ବିକାଶ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍ପି) ଠିକା ସଂସ୍ଥାରେ ଇଲେଟ୍ରିସିଆନ୍‌ ଭାବେ କାମ କରନ୍ତି। ଗତ ୧୭ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ଏକ ଅଜଣା ମୋବାଇଲ୍‌ରୁ ଅଜଣା କଲ୍‌ ଆସିଥିଲା। କଲ୍‌ କରିଥିବା ଭଦ୍ର ମହିଳା ଜଣଙ୍କ ନିଜକୁ ‘ନୌକରି ଡଟ୍‌ କମ୍‌’ର ମ୍ୟାନେଜର ପରିଚୟ ଦେଇ କଥା ହୋଇଥିଲା। ଦୁଇ ପ୍ରତିଷ୍ଠିତ ଘରୋଇ କମ୍ପାନିର ଆପଣଙ୍କୁ ନିଯୁକ୍ତି ଅଫର୍‌ ଆସିଛି ବୋଲି କହିଥିଲା। ମହିଳାଙ୍କ ଠାରୁ ନିଯୁକ୍ତି ଅଫର୍‌ ସମ୍ପର୍କରେ ଜାଣିବା ପରେ ବିକାଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚାକିରି କରିବାକୁ ଭଦ୍ର ମହିଳାଙ୍କୁ କହିଥିଲେ। ବିକାଶ ରାଜି ହେବା ପରେ ଭଦ୍ର ମହିଳା ଜଣଙ୍କ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ‘ନୌକରି ୱାର୍କସ୍‌ଜବ୍‌ ଡଟ୍‌ ଇନ୍‌ଫୋ’ ନାମକ ୱେବସାଇଟ୍‌ ଖୋଲି ଅନ୍‌ ଲାଇଲାଇନ୍‌ରେ ୧୦ ଟଙ୍କାର ନାମ ପଞ୍ଜିକରଣ କରିବାକୁ କହିଥିଲେ।

ଭଦ୍ର ମହିଳାଙ୍କ କହିବାନୁଯାୟୀ ବିକାଶ ୱେବ୍‌ସାଇଟ୍‌ ଖୋଲିଥିଲେଯ ୱେବ୍‌ସାଇଟ୍‌ ଖୋଲିବା ମାତ୍ରେ ବିକାଶଙ୍କୁ ଅନ୍‌ ଲାଇନ୍‌ରେ ୧୦ ଟଙ୍କାର ପେ କରିବାକୁ ମେଜେସ୍‌ ଆସିଥିଲା। ବିକାଶ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ନେଟ୍‌ ବ୍ୟାଙ୍କିଙ୍ଗ ଜରିଆରେ ୧୦ ଟଙ୍କା ପଠାଇବାକୁ ହୋମ୍‌ ପେଜ୍‌ରେ ଦର୍ଶାଯାଇଥିବା ସାଇଟ୍‌ ନିଜର ୟୁଜର ଆଇଡି ଓ ପାସ୍‌ ୱାର୍ଡ ଲେଖିଥିଲେ। କିନ୍ତୁ ୧୦ ଟଙ୍କା ଯାଇ ନଥିଲା। ଟଙ୍କା ଯିବାରୁ ଭଦ୍ର ମହିଳା ଜଣଙ୍କ ଅନ୍ୟ ଆକାଉଣ୍ଟରୁ ଚେଷ୍ଟା କରନ୍ତୁ ବୋଲି ବିକାଶଙ୍କୁ କହିଥିଲେ।

ବିକାଶ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିବର୍ତ୍ତେ ଆକ୍ସିସ୍‌ ଆକାଉଣ୍ଟରେ ଅନ୍‌ଲାଇନ୍‌ ସେମିତି ୟୁଜର୍‌ ଆଇଡି ଓ ପାସ୍‌ୱାର୍ଡ ଦେଇ ୧୦ ଟଙ୍କା ପଠାଇଥିଲେ। ଟଙ୍କାର ଯିବା ପରେ ଭଦ୍ର ମହିଳା ଜଣଙ୍କ ଫୋନ୍‌ କଲ କାଟି ଦେଇଥିଲେ। କିଛି ସମୟ ପରେ ପ୍ରଥମେ ଆକ୍ସିସ୍‌ ଆକାଉଣ୍ଟରୁ ୭୫ ହଜାର ପରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟରୁ ୨୫ ହଜାର ଏମିତି ମୋଟ ୧ ଲକ୍ଷ ଟଙ୍କା କଟି ଯାଇଥିବା ସଂକ୍ରାନ୍ତରେ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା। ବିକାଶ ଦୁଇଟି ବ୍ୟାଙ୍କର ଉଦିତନଗର ଶାଖାର ପରିଚାଳନଙ୍କୁ ଭେଟି ଏ ସମ୍ପର୍କରେ କହିଥିଲେ। କିନ୍ତୁ ସେମାନେ କିଛି କହି ପାରି ନଥିଲେ। ଶେଷରେ ବିକାଶ ଉଦିତନଗର ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର