ଭୁବନେଶ୍ବରରେ ହେବ ଆର୍‌ଏସ୍‌ଏସ୍‌ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ, ଯୋଗଦେବେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ବର : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଆସନ୍ତା ଅକ୍ଟୋବର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏଥିରେ ଯୋଗ ଦେବେ। ସାମ୍ପ୍ରତିକ ପରିସ୍ଥିତିରେ ଆର୍‌ଏସ୍‌ଏସ୍‌ର ଏହି ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌-୨ ପ୍ରେକ୍ଷାଳୟରେ ହେବାକୁ ଥିବା ଏହି ବୈଠକର ପ୍ରଥମ ଦିନ ଅର୍ଥାତ ୧୫ ତାରିଖରେ ଆର୍‌ଏସ୍‌ଏସ୍‌ର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେବେ। ୧୬ ତାରିଖରେ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବୈଠକ ହେବ। ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଖିଳ ଭାରତୀୟ ମଣ୍ଡଳ କାର୍ଯ୍ୟକର୍ତ୍ତା ବୈଠକ ଚାଲିବ। ଧାରା ୩୭୦ ଓ ତିନି ତଲାକ୍‌ର ଉଚ୍ଛେଦ, ବିଶ୍ବ ତାପନ, ଆଗାମୀ ବିଧାନସଭା ନିର୍ବାଚନ, ଜାତୀୟ ନାଗରିକ ରେଜିଷ୍ଟର୍ ଓ ରାମ ମନ୍ଦିର ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପୂର୍ବରୁ ଅର୍ଥାତ ଆସନ୍ତା ୧୨ ତାରିଖରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଭୁବନେଶ୍ବର ଆସିବେ। ସେହିଦିନ ଠାରୁ ସେ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ରହିବେ। ଏହି ବୈଠକ ପାଇଁ ବିଜେପି ଓ ଆର୍‌ଏସ୍‌ଏସ୍‌ ଶିବିରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଆର୍‌ଏସ୍‌ଏସ୍‌ର ଓଡ଼ିଶା ଶାଖା କର୍ମକର୍ତ୍ତାମାନେ ଏହି ବୈଠକକୁ ସଫଳ କରିବା ପାଇଁ ଜୋର୍‌ଦାର୍‌ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର