ଆଇନ ମନ୍ତ୍ରୀଙ୍କ ଉପସ୍ଥିତି ଦାବିରେ ବିଧାନସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ

ଭୁବନେଶ୍ବର : ଶ୍ରୀମନ୍ଦିର ଜମା ଟଙ୍କା ପ୍ରସଙ୍ଗରେ ଆଲୋଚନା ବେଳେ ଆଇନ୍ ମନ୍ତ୍ରୀଙ୍କ ଉପସ୍ଥିତି ଦାବି କରିଥିଲେ ବିରୋଧୀ ଦଳ ସଭ୍ୟ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରଥମେ ଏହି ପ୍ରସଙ୍ଗ ଉଠାଇ କହିଲେ, ଶ୍ରୀମନ୍ଦିର ଦେବୋତ୍ତର ଅଧୀନରେ ଆସୁଛି। ତେଣୁ ଆଇନ ମନ୍ତ୍ରୀ ନିଶ୍ଚିତ ଉପସ୍ଥିତ ରହିବା ଦରକାର। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ରଜନୀକାନ୍ତ ସିଂହ କହିଥିଲେ, ଯେହେତୁ ମୁଲତବୀ ପ୍ରସ୍ତାବର ଉତ୍ତର ଅର୍ଥ ମନ୍ତ୍ରୀ ରଖିବେ ବୋଲି କୁହାଯାଇଛି ତେଣୁ ଆଇନ ମନ୍ତ୍ରୀଙ୍କ ଉପସ୍ଥିତି ଆବଶ୍ୟକ ନାହିଁ। କିନ୍ତୁ ସାଲୁଜାଙ୍କୁ ସମର୍ଥନ କରି ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ଆଇନ ମନ୍ତ୍ରୀଙ୍କୁ ଡାକିବାକୁ ଅଡ଼ି ବସିଥିଲେ। ଏହି ସମୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧ୍ୟକ୍ଷତା କରିବାକୁ ଆସିଥିଲେ। ସେ ବିରୋଧୀ ଦଳ ସଭ୍ୟମାନଙ୍କୁ ବସିବାକୁ ଯେତେ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ। ବାଚସ୍ପତି କହିଥିଲେ, ମୁଲତବୀ ଆଲୋଚନାର ଉତ୍ତର ଅର୍ଥ ମନ୍ତ୍ରୀ ଦେବେ। ତେଣୁ ଆଇନ ମନ୍ତ୍ରୀ ବସିବା ବାଧ୍ୟତାମୂଳକ ନୁହେଁ। ତେବେ ଯଦି ଚାହିଁବେ, ଆଇନ ମନ୍ତ୍ରୀ ଉତ୍ତର ଦେବାରେ ଅସୁବିଧା ନାହିଁ। ଏହା ପରେ ଆଲୋଚନା ପୁଣି ଜାରି ରହିଥିଲା। କିଛି ସମୟ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗୃହକୁ ଆସିଥିଲେ ଓ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ତେବେ ସେ କୌଣସି ଉତ୍ତର ରଖି ନ ଥିଲେ।

ଗୃହରେ ସଭ୍ୟ ନ ଥିବା ବ୍ୟକ୍ତିଙ୍କ ନାମ କାହିଁକି ନିଆଯାଉଛି
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଲୋଚନା ବେଳେ ତତ୍‌କାଳୀନ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବିଜୟ ସାହୁଙ୍କ ନାମ ନେଇଥିଲେ। ଏହା ସହ ବିଜୟ ସାହୁଙ୍କ ସ୍କୁଲ୍‌ରେ ବହୁ ଆଇଏଏସ୍‌ ଅଫିସର୍‌ଙ୍କ ପୁଅ ପଢ଼ୁଥିବାରୁ ତାଙ୍କୁ ସରକାରଙ୍କ ଗେହ୍ଲା ପୁଅ କରାଯାଇଛି ବୋଲି ଆରୋପ ଲଗାଇଥିଲେ। ବଜେଡି ସଭ୍ୟ ଅତନୁ ସବ୍ୟସାଚ୍ଚୀ ନାୟକ ଏହାର ପ୍ରତିବାଦ କରିଥିଲେ। ଯେଉଁମାନେ ଏ ଗୃହର ସଦସ୍ୟ ନାହାନ୍ତି, ସେମାନଙ୍କର ନାମ ଏଠାରେ କା‌ହିଁକି ଧରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ଗୃହର ବିବରଣୀରୁ ବାଦ୍ ଦେବାକୁ ଦାବି କରିଥିଲେ। କିନ୍ତୁ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଏ ସମ୍ପର୍କରେ ନିରୁତ୍ତର ରହିଥିଲେ। ପରେ ଅତନୁଙ୍କୁ ଲକ୍ଷ୍ୟ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ଆପଣ କାହିଁକି ଏଥିରେ ପଶୁଛନ୍ତି ? ଆପଣ ଜଣେ ଭଦ୍ର ଲୋକ ଓ ଆଧ୍ୟାତ୍ମିକ ଲୋକ। ଏଥିରେ ମୁଣ୍ଡ ଖେଳାଅ ନାହିଁ।

ସମ୍ବନ୍ଧିତ ଖବର