ସଫଳ ଚାଷୀଙ୍କ କାହାଣୀ ଅନ୍ୟ ଚାଷୀଙ୍କ ପାଖରେ ପହଞ୍ଚାଅ : କୃଷିମନ୍ତ୍ରୀ

ଭୁବନେଶ୍ବର : କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଚାଷୀଙ୍କ କାହାଣୀ ଅନ୍ୟ ଚାଷୀଙ୍କ ପାଖରେ ପହଞ୍ଚିବା ଦରକାର। କ୍ଷେତ୍ର ଅଧିକାରୀମାନେ ଏ ଦିଗରେ ଯତ୍ନବାନ ହେବା ଉଚିତ୍। ସ୍ଥାନୀୟ କୃଷି ଭବନରେ କୃଷି ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଏପରି ପରାମର୍ଶ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏହା ସହିତ ଚାଷୀଙ୍କ ଆୟ ବହୁଗୁଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେଇଥିବା ୫’ଟି’କୁ କଡ଼ାକଡ଼ି ପାଳନ କରିବାକୁ ଯାଇ ବ୍ୟାପକ ଜିଲ୍ଲା ଗସ୍ତରେ ଯିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କୃଷି ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, କୃଷି କ୍ଷେତ୍ରର ସଫଳ କାହାଣୀର ଉପଯୁକ୍ତ ପ୍ରଚାର ପ୍ରସାର ହୋଇପାରିଲେ ଅନ୍ୟ ଚାଷୀମାନେ ଶିକ୍ଷାଲାଭ କରି ଲାଭାନ୍ବିତ ହୋଇପାରିବେ। ଫଳରେ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବ। ଏହା ସହିତ ଯେଉଁସବୁ ଜିଲ୍ଲାରେ କୃଷି ଉତ୍ପାଦିକତା ହାର ରାଜ୍ୟର ହାରାହାରି ଉତ୍ପାଦନ ହାରଠାରୁ କମ୍ ସେ ସବୁ ଜିଲ୍ଲାରେ ଉତ୍ପାଦିକତା ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ରାଜ୍ୟରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜୀକା ନିର୍ଦ୍ଦେଶାଳୟ ପକ୍ଷରୁ ଫାର୍ମ ଫଣ୍ଡ୍ ଯୋଜନାରେ ଖୋଳାଯିବାକୁ ଥିବା ପୋଖରୀରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଆଗୁଆ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ।

କୃଷି ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେବାକୁ ଯାଇ ବିଭିନ୍ନ ବିଭାଗର ସମନ୍ବୟ ଉପରେ ବୈଠକରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏଥିପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ନିୟମିତ ବୈଠକ କରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର