ସହିଦ୍‌ ପ୍ରସନ୍ନଙ୍କ ଏକାଦଶାହ ପାଳିଲେ ଜିଲ୍ଲାବାସୀ : ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର ଟାଉନ୍/ଗାରୋଇ : ପାରିଶିଖର ଗାଁ ଦିନେ ଥିଲା ଅପରିଚିତ। ହେଲେ ଆଜି କେବଳ ଜଗତସିଂହପୁର ଜିଲ୍ଲା କାହିଁକି, ସାରା ଭାରତବର୍ଷରେ ସ୍ବତନ୍ତ୍ର ପରିଚୟ ପାଇଛି। ଦେଶ ପାଇଁ ସହିଦ ହୋଇ ପାରିଶିଖର ଗାଁର ମଉଡମଣି ପ୍ରସନ୍ନ ସାହୁ ନିଜ ଗାଁକୁ ଦେଇ ଯାଇଛନ୍ତି ବୀରଭୂମିର ପରିଚୟ। ଆଜି କେବଳ ପାରିଶିଖର ନୁହେଁ, ସମଗ୍ର ଅଞ୍ଚଳ ତାଙ୍କୁ ନେଇ ଗର୍ବ ପ୍ରକାଶ କରୁଛି।

ସହିଦ ପ୍ରସନ୍ନଙ୍କ ଏକାଦଶାହ ଅବସରରେ ପାରିଶିଖର ଗାଁରେ ଆଜି ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ତାଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ସ୍ମୃତିସଭାରେ ସମଗ୍ର ଜିଲ୍ଲାବାସୀ ଏକାଠି ହୋଇଥିଲେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଳାର ପ୍ରଶାସନିକ ଅଧିକାରୀ, ରାଜନେତା, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ହୋଇ ସହିଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବନ୍ଦେ ମାତରମ୍, ଭାରତ ମାତା କି ଜୟ ଓ ସହିଦ୍‌ ପ୍ରସନ୍ନ ସାହୁ ଅମର ରହେ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଖାଲି ସେତିକି ନୁହେଁ, ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ସହିଦଙ୍କ ପରିବାରର ବୀରତ୍ବକୁ ପ୍ରଶଂସା କରିଥିଲେ। ସେହିପରି, ସହିଦ ପ୍ରସନ୍ନଙ୍କ ପୁଅ ଜଗନ ଆଜି ବାପାଙ୍କୁ କ୍ରୀୟା ଦେବା ଅବସରରେ ନିଜେ ସିଆର୍‌ପିଏଫ୍‌ରେ ଯୋଗଦେଇ ଦେଶ ସେବା କରିବାକୁ କହିଛନ୍ତି। ଏହା ଅଜିର ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର