ସଲାମ ସହିଦ୍ : ଲୁହରେ ଭିଜିଲା ଗାଁ ମାଟି
ଗାଁ ଶ୍ମଶାନରେ ଜଳିଲା ଦୁଇ ସହିଦ୍ଙ୍କ ଜୁଇ, ଅନ୍ତିମ ଯାତ୍ରାରେ ସାମିଲ ହେଲେ ହଜାର ହଜାର ଶୋକାକୁଳ ଜନତା, ଦୁଇ କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ୩ ମନ୍ତ୍ରୀ, ୭ ବିଧାୟକ, ୨ ସାଂସଦ ସାମିଲ
ଜଗତସିଂହପୁର ଟାଉନ୍/ନିଆଳି/ନାଉଗାଁ/ଗାରୋଇ : ସମସ୍ତଙ୍କ ମନରେ କ୍ଷୋଭ, ଆଖିରେ ଲୁହ ଆଉ ଅନ୍ତରରେ କୋହ। ଚାରି ଆଡେ ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା ‘ସହିଦ ପ୍ରସନ୍ନ ସାହୁ ଅମର ରହେ’। ଗୋଟିଏ ପଟେ ଜଗତସିଂହପୁର ଜିଲ୍ଲାର ଗଗନ ପବନ ଏହି ନାରାରେ ପ୍ରକମ୍ପିତ ହେଉଥିବା ବେଳେ ଅନ୍ୟପଟେ କଟକ ଜିଲ୍ଲାର ନିଆଳି ଅଞ୍ଚଳ ପ୍ରକମ୍ପିତ ହେଉଥିଲା ‘ସହିଦ ମନୋଜ ବେହେରା ଅମର ରହେ’ ନାରାରେ। ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ବୀର ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ହଜାର ହଜାର ଜନତା ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସହିଦଙ୍କ ଅନ୍ତିମ ଶୋଭାଯାତ୍ରାରେ ଦଳମତ, ଜାତିଧର୍ମ ନିର୍ବିଶେଷରେ ସମସ୍ତେ ସାମିଲ ହୋଇ ଯାଇଥିଲେ। ସହିଦଙ୍କ ଅନ୍ତିମ ଶୋଭାଯାତ୍ରାରେ ହଜାର ହଜାର ଲୋକ ଚାଲିଚାଲି ଗ୍ରାମ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ। ସଂଧ୍ୟାରେ ଗ୍ରାମ ଶ୍ମଶାନରେ ଦୁଇ ବୀର ଯବାନଙ୍କ ଅନ୍ତିମ ସଂସ୍କାର ପାଇଁ ଯୋଜନା ରହିଥିଲେ ବି ମରଶରୀର ଗାଁରେ ପହଞ୍ଚିଲା ବେଳକୁ ରାତି ପାଖାପାଖି ୧୧ଟା ବାଜି ଯାଇଥିଲା। ବୀର ଯବାନଙ୍କୁ ପାରଂପରିକ ରୀତିରେ ସଲାମ ଦିଆଯିବା ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସହିଦ ପ୍ରସନ୍ନଙ୍କ ପୁତ୍ର ଜଗନ ସାହୁ ମୁଖାଗ୍ନି ଦେଇଥିବା ବେଳେ ସହିଦ ମନୋଜଙ୍କୁ ମୁଖାଗ୍ନି ଦେଇଥିଲେ ଦାଦା ପୁଅ ଭାଇ ରଂଜନ ବେହେରା।
Sambad is now on WhatsApp
Join and get latest news updates delivered to you via WhatsApp
ସହିଦ ପ୍ରସନ୍ନଙ୍କ ଗ୍ରାମ ପାରି ଶିଖରରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଗତସିଂହପୁର ବିଧାୟକ ଚିରଂଜୀବ ବିଶ୍ବାଳ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଲୋକସଭା ସଦସ୍ୟ ଡାକ୍ତର କୁଳମଣି ସାମଲ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୁରୀ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳାଇ, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁ, ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ବନ୍ଦର ଟ୍ରଷ୍ଟି ପ୍ରତାପ ମିଶ୍ର ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ମନ୍ତ୍ରୀ ପ୍ରତାପ ଜେନା ସହିଦ ମନୋଜଙ୍କ ମରଶରୀର ସହ ନିଆଳିର ରତନପୁର ଗ୍ରାମକୁ ଆସିଥିବା ବେଳେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ନରେନ୍ଦ୍ର ସ୍ବାଇଁ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ବାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ନିମାପଡ଼ା ବିଧାୟକ ସମୀର ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗ୍ରାମରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦୁଇ ସହିଦଙ୍କ ଶେଷକୃତ୍ୟରେ ଉଭୟ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ।
କାନ୍ଦି ଉଠିଲେ କୁନିକୁନି ପିଲା
ସହିଦ ପ୍ରସନ୍ନ ଗାଁକୁ ଆସିଲେ ଯେଉଁ ଶିକ୍ଷାନୁଷ୍ଠାନକୁ ଆସି ଭଲମନ୍ଦ ବୁଝୁଥିଲେ, ସାହାଯ୍ୟ କରୁଥିଲେ ଆଜି ସେହି ସ୍କୁଲ ରାମ କୃଷ୍ଣ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୁରୁଜୀ ଗୁରୁମାଙ୍କ ସହ ଅପେକ୍ଷା କରି ରହିଥିଲେ। କିନ୍ତୁ ହଠାତ ସବୁ ପିଲା କଇଁ କଇଁ ହୋଇ କାନ୍ଦି ଉଠି ଜୟ ଯବାନ୍ ନାରା ଦେବା ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା।
ପୁରୀ ମହୋଦଧିରେ ହେବ ଅସ୍ଥି ବିସର୍ଜନ
ସହିଦଙ୍କ ପରିବାରକୁ ଭେଟିଥିଲେ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ମିଶ୍ର। ସହିଦଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ ସହ ସହିଦଙ୍କ ଅସ୍ଥିକୁ ନେଇ ପୁରୀ ମହୋଦଧିରେ ବିସର୍ଜନ କରାଯିବ ବୋଲି ଘୋଷଣା କରିଥିଲେ।