‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା : ବର୍ଷା ସତ୍ତ୍ବେ ଭାଗନେଲେ ଲକ୍ଷାଧିକ ଛାତ୍ରଛାତ୍ରୀ

ଭୁବନେଶ୍ବର : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ରାଜ୍ୟର ୩୧୪ଟି ବ୍ଲକ ଏବ˚ ୩୦ଟି ଜିଲ୍ଲାର ମୋଟ ୪୦୦ଟି ପରୀକ୍ଷା କେନ୍ଦ୍ରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା -୨୦୧୯ ଅନୁଷ୍ଠିତ ହୋଇଯାଇଛି। ଏହିସବୁ ପ୍ରତିଯୋଗିତାରେ ମୋଟ ୧ ଲକ୍ଷ ୪୧୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସତ୍ତ୍ବେ ଆଜି ଛାତ୍ରଛାତ୍ରୀମାନେ ଏତେ ସଂଖ୍ୟାରେ ଉତ୍ସାହର ସହ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପରିଲକ୍ଷିତ ହୋଇଛି।

ଆଜିର ବାର୍ଷିକ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧୢରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ସବୁ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା। ପ୍ରତିବର୍ଷ ପରି ଏଥର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଓଡ଼ିଆ ହସ୍ତାକ୍ଷର ଏବ˚ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ୪୦୦ଟି ଯାକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟରେ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ପୂର୍ବାହ୍ନ ୯ଟା ୩୦ରେ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ବିଷୟବସ୍ତୁ ଦିଆଯାଇଥିଲା। ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ହୋଇଥିବା ବେଳେ ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ୩୩ ହଜାର ୮୨୬ଜଣ ଅଂଶଗ୍ରହଣ କରିଥିବା ବେଳେ ହସ୍ତାକ୍ଷରରେ ୩୨ ହଜାର ୩୫୫ଜଣ ଓ ଭାଷାଜ୍ଞାନରେ ୩୪ ହଜାର ୨୩୦ଜଣ ଭାଗ ନେଇଥିଲେ। ପରୀକ୍ଷା ଶେଷ ହେବା ପରେ ଅଭିଜ୍ଞ ବିଚାରକ ମଣ୍ତଳୀଙ୍କ ଦ୍ବାରା ଖାତାର ମୂଲ୍ୟାୟନ କରାଯାଇଥିଲା। ଆଉ ୩ଟି ପ୍ରତି‌େଯାଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପରୀକ୍ଷା କେନ୍ଦ୍ରରେ ହିଁ ପୁରସ୍କୃତ କରାଯାଇଥିଲା।

ଆଜିର ପ୍ରତିଯୋଗିତାରେ ସମସ୍ତ କେନ୍ଦ୍ରର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିିଯୋଗିତା ପାଇଁ ପୁନଃ ମୂଲ୍ୟାୟନ କରାଯିବ। ଆସନ୍ତା ଅକ୍ଟୋବର ୪ତାରିଖରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ।

ଏଥର ସାରା ରାଜ୍ୟରେ ଭାଗ ନେଇଥିବା ମୋଟ ୧,୦୦,୪୧୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଭୁବନେଶ୍ବର ସ˚ସ୍କରଣରେ ୧୧,୭୫୮ଜଣ, କଟକ ସ˚ସ୍କରଣରେ ୧୦,୭୨୧ଜଣ, ଯାଜପୁର ସ˚ସ୍କରଣରେ ୭,୬୧୩, ଅନୁଗୁଳ ସ˚ସ୍କରଣରେ ୬,୦୦୭ଜଣ, ବାଲେଶ୍ବର ସ˚ସ୍କରଣରେ ୧୭,୬୯୭ଜଣ, ରାଉରକେଲା ସ˚ସ୍କରଣରେ ୭,୩୨୩ଜଣ, ସମ୍ବଲପୁର ସ˚ସ୍କରଣରେ ୧୯,୬୬୪ଜଣ, ବ୍ରହ୍ମପୁର ସ˚ସ୍କରଣରେ ୧୨,୦୮୨ଜଣ ଏବ˚ ଜୟପୁର ସ˚ସ୍କରଣରେ ୭,୫୪୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିବାରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର