‘ସମ୍ବାଦ’ର ପାଟଣାଗଡ଼ ପ୍ରତିନିଧି ଯତୀଶ ଖମାରୀଙ୍କ ପରଲୋକ

ବଲାଙ୍ଗୀର : ‘ସମ୍ବାଦ’ର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ରେ ୨୫ ବର୍ଷ ଧରି କାମ କରି ଆସିଥିବା ସାମ୍ବାଦିକ ଯତୀଶ ଖମାରୀ (୪୬ବର୍ଷ) ଆଉ ନାହାନ୍ତି। ବରିଷ୍ଠ ସାମ୍ବାଦିକ ସ୍ୱର୍ଗତଃ  ଖମାରୀ ଗତ କିଛିଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ। ପ୍ରଥମେ ସେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ସେଠାରୁ ସେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ।  ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ୧୦ଟା ସମୟରେ ତାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରରେ ତାଙ୍କ ଭାଇ ଓ ସଂପର୍କୀୟ ଉପସ୍ଥିତ ଥିଲେ।

ସ୍ୱର୍ଗତ ଖମାରୀ ଦୂରଦର୍ଶନରେ ମଧ୍ୟ କିଛି ବର୍ଷ କାର୍ଯ୍ୟରତ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅଂଚଳରେ ବେଶ୍‌ ସୁନାମ ଥିଲା। ଜଣେ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ସେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତ୍ତା) ଦେବେନ୍ଦ୍ର ସାମନ୍ତରାୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ତଥା ଜିଲ୍ଲାର ଅନ୍ୟ ସାମ୍ବାଦିକମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର