୨୦ରୁ ସମ୍ବଲପୁର ମହୋତ୍ସବ

ସମ୍ବଲପୁର : କରୋନା ଯୋଗୁ ୨ ବର୍ଷ ହେଲା ବନ୍ଦ ଥିବା ସମ୍ବଲପୁର ମହୋତ୍ସବ-୨୦୨୨ ଚଳିତ ବର୍ଷ ଆସନ୍ତା ୨୦ରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ବୀର୍ସା ମଇଦାନ (ପିଏଚ୍‌ଡି ପଡ଼ିଆ)ରେ ହେବାକୁ ଯାଉଛି। ଏ ଅବସରରେ ବିଭିନ୍ନ ଅନ୍ୟାନ୍ୟ ମେଳା ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଆଜି ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ସହିତ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌, ଭକ୍ତପ୍ରସାଦ ନନ୍ଦ, ଗୋଲକବିହାରୀ ମିଶ୍ର, ସପନ ମିଶ୍ର, ସଦାନନ୍ଦ ପଣ୍ଡା, ବନ୍ଦନା ପଣ୍ଡା, ବ୍ରଜଭୂଷଣ ଷଡ଼ଂଗୀ, ମିନାକ୍ଷୀ ପାଣିଗ୍ରାହୀ, ବବି ମେହେର, ସୌମ୍ୟଜିତ ପଟ୍ଟନାୟକ, ପ୍ରବୀଣ ସୂପକାର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସମଲେଇ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ପବିତ୍ର ରାୟ ଓ ଅନ୍ୟ ପୂଜକମାନେ ସ୍ବତନ୍ତ୍ର ପୂଜାକରି ଆଜ୍ଞାମାଳ ପ୍ରଦାନ କରିଥିଲେ। ଆଜ୍ଞାମାଳ ଧରି ଆସିବା ବୀର୍ସା ମଇଦାନରେ ପଣ୍ଡତ ସଦାଶିବ ତ୍ରିପାଠୀ ଭୂମିପୂଜା କରିବା ସହ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ।

ମହୋତ୍ସବର ପ୍ରତ୍ୟହ ସକାଳେ ପଶ୍ଚିମ ଓଡ଼ିଶା ସଂପର୍କିତ ବିଭିନ୍ନ ସଂପାନ ଓ କର୍ମଶାଳା ମଧ୍ୟରେ ସମ୍ବଲପୁରୀ ଭାଷା ସାହିତ୍ୟ, ସଂସ୍କୃତି, ଗୀତ ସଂଗୀତ, ନାଟକ, ଜନଜୀବନ, ଇତିହାସ, ସ୍ବାଭିମାନ ଆଦି ବିଷୟ ଆଲୋଚନା ସହିତ ସମ୍ବଲପୁରୀ କବିତା ପାଠ ଓ ସାହିତ୍ୟ ସଭା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳର ଲୁପ୍ତପ୍ରାୟ ଲୋକକଳାର ପ୍ରଦର୍ଶନ ହେବ। ରାଜ୍ୟସ୍ତରର ଆଦିବାସୀ ଓ ଲୋକନୃତ୍ୟ ଦଳ ଓ ଜାତୀୟ ନୃତ୍ୟ ଦଳ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ। ସମ୍ବଲପୁର ମହୋତ୍ସବରେ ଝୁଟି, ଅଲ୍‌ପିନା ଓ ରଂଗୋଲି ପ୍ରତିଯୋଗିତା, ଚିତ୍ରକଳା ପ୍ରଦର୍ଶନୀ, ଫଟୋଗ୍ରାଫି ପ୍ରତିଯୋଗିତା, ଫଟୋ ପ୍ରଦର୍ଶନୀ, ସମ୍ବଲପୁରୀ ଫେସନ୍‌ ସୋ, ସୁଆଦ୍‌ ସମ୍ବଲପୁରୀ ଖାଦ୍ୟ ଷ୍ଟଲ୍‌ ଏହି ମହୋତ୍ସବର ବିଶେଷ ଆକର୍ଷଣ ହେବ। କଳାଗ୍ରାମ, ବାଦ୍ୟବୃକ୍ଷ, ସାହିତ୍ୟ ଉତ୍ସବ, ଗୀତାଭିନୟ, ନାଟ୍ୟାଭିନୟ ଆଦି କାର୍ଯ୍ୟକ୍ରମ ଏବର୍ଷର ବିଶେଷ ଆକର୍ଷଣ ହେବ ବୋଲି ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର