ମାଟ୍ରିକ୍ ପରୀକ୍ଷା ବାତିଲ ପ୍ରସଙ୍ଗ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭିନ୍ନ ଦିଗକୁ ତର୍ଜମା କରି ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ

ଭୁବନେଶ୍ବର: ଅନିଶ୍ଚିତତା ଘେରରେ ମାଟ୍ରିକ୍ ପରୀକ୍ଷା। କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରିପାରୁନି ନିଷ୍କର୍ସ, ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ। ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ନବୀନ ନିବାସ ଅଭିମୁଖେ ଯାଇଥିଲେ।

ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଥିଲେ ଛାତ୍ରଛାତ୍ରୀ। ମନ୍ତ୍ରୀଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି ଜଣାଇବାକୁ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଏହା ପରେ ପିଲାଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦିଆଯାଇଛି ।

ସରକାରୀ ଓ ସରସ୍ବତୀ ବିଦ୍ୟାମନ୍ଦିର ପିଲାଙ୍କ ମାଟ୍ରିକ୍ ପରୀକ୍ଷା ବାତିଲ ନେଇ ପତ୍ରିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ। ସେ କହିଛନ୍ତି, ବାତିଲ ନେଇ ଚିଠି ଲେଖାଯାଇଛି। ମୁଖ୍ୟମନ୍ତ୍ରୀ ଜୁନ୍ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନେବେ। ପରୀକ୍ଷା ବାତିଲ ହେବ କି ନାହିଁ ସେ ସବୁ ଦିଗରେ ତର୍ଜମା କରାଯାଉଛି। ବାତିଲ ହେଲେ ପିଲାଙ୍କୁ ମାର୍କ କେମିତି ଦିଆଯିବ ସେସବୁ ଦିଗରେ ସମୀକ୍ଷା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ସମ୍ବନ୍ଧିତ ଖବର