୩ ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ…ସରପଞ୍ଚ ପଦ ଫେରି ପାଇଲେ ସୀତାରାଣୀ

ଭୋଗରାଇ: ୪ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ସରପଞ୍ଚ ପ୍ରାର୍ଥୀ ପୁନଃଗଣତିରେ ୨ ଖଣ୍ଡ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ। ଫଳରେ ସେ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ମଙ୍ଗଳବାର ମାମଲାର ରାୟ ଆସିଛି। ଯାହା ପରାଜିତ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ଜଣାପଡ଼ିଛି।

୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ବର ଭୋଗରାଇ ବ୍ଲକ୍‌ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଭୋଟ୍‌ ହୋଇଥିଲା। ସୀତାରାଣୀ ସେନାପତି ପ୍ରତିଦ୍ବନ୍ଦ୍ବୀ ରାଧାରାଣୀ ବେହେରାଙ୍କଠାରୁ ୪ ଖଣ୍ଡ ଅଧିକ ଭୋଟ୍‌ ପାଇଥିଲେ। ତେବେ ଅଭିଯୋଗ ଆଧାରରେ ପ୍ରଶାସନର ନିର୍ଦ୍ଦେଶ ପରେ ପୁନଃ ଗଣତି ହୋଇଥିଲା ଏବଂ ରାଧାରାଣୀ ବେହେରା ଅଧିକ ୨ ଖଣ୍ଡ ଭୋଟ୍‌ ପାଇଥିବା ଦର୍ଶାଯାଇଥିଲା। ଫଳରେ ସରପଞ୍ଚ ଦାୟିତ୍ବ ଗ୍ରହଣ କରିଥିଲେ ରାଧାରାଣୀ। ହେଲେ ସୀତାରାଣୀ ଭୋଟ୍ ଫଳାଫଳକୁ ଚ୍ୟାଲେଂଜ କରି ଜଳେଶ୍ବର ସିଭିଲ୍‌ କୋର୍ଟରେ ୧/୨୨ରେ ଏକ ମାମଲା ଦାଏର କରିଥିଲେ। ରାୟ ପ୍ରକାଶ ପାଇବାରେ ବିଳମ୍ବ ହେବାରୁ ସେ ବାଲେଶ୍ୱର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଦ୍ବିତୀୟ ଅପିଲ୍‌ କରିଥିଲେ। ମାମଲାର ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ମଙ୍ଗଳବାର ଦିନ ମାନ୍ୟବର ଦୌରା ଜଜ୍‌ ଏକେ ଦାସ ସୀତାରାଣୀଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି। ଫଳରେ ସେ ସରପଞ୍ଚ ପଦ ପାଇବା ପାଇଁ ଯୋଗ୍ୟ ହୋଇଥିବା ଜଣାପଡ଼ିଛି। ସୀତାରାଣୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବୀପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ଉଲ୍ଲେଖଥାଉକି, ରାଧାରାଣୀ ୧୮୫୦ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସୀତାରାଣୀ ୧୮୫୪ ଖଣ୍ଡ ଭୋଟ୍‌ ପାଇଥିଲେ। ଫଳରେ ନିର୍ବାଚନ ଅଧିକାରୀ ଭୋଗରାଇ ବ୍ଲକ୍‌ର ପୂର୍ବତନ ବିଡିଓ ଶଙ୍କର ପଟ୍ଟନାୟକ ସୀତାରାଣୀଙ୍କୁ ବିଜୟୀ ଘୋଷଣା କରିଥିଲେ। ହେଲେ ରହସ୍ୟଜନକ ଭାବେ କିଛି ସମୟ ପରେ ଭୋଟ୍‌ ପୁନଃଗଣତି ହୋଇଥିଲା ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ବେହେରାଙ୍କ ପତ୍ନୀ ରାଧାରାଣୀ ୨ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର