ସତ୍ୟମ ଇନଫ୍ରାଟେକ୍‌ ମାମଲାରେ ଜାମିନ ଖାରଜ

କଟକ : ସତ୍ୟମ ଇନଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ନିରଂଜନ ଗୁଇଁଙ୍କ ଜାମିନ ଆବେଦନ କଟକ ସ୍ୱତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ଜମି ଯୋଗାଇ ଦେବା ନାଁରେ ଲୋକଙ୍କ ନିକଟରୁ ସଂସ୍ଥା ଲକ୍ଷାଧିକ ଟଙ୍କା ସଂଗ୍ରହ କରିଥିଲା। ମାତ୍ର ପ୍ରତିଶ୍ରୁତି ମୁତାବକ ଜମି ପ୍ରଦାନ କରାଯାଇ ନଥିଲା। ଏ ନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ରୁଜୁ ହେବା ପରେ ପୁଲିସ ସଂସ୍ଥାର ମୁଖ୍ୟ ବାସୁଦେବ ବେହେରା ଓ ପାର୍ଟନର ନିରଂଜନଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା। ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗଠିତ ଓପିଆଡି ଆଇନରେ ରୁଜୁ ମାମଲାର ବିଚାରପତି ପାଇଁ ଗଠିତ ସ୍ୱତନ୍ତ୍ର ଅଦାଲତରେ ନିରଂଜନ ଜାମିନ ପାଇଁ କରିଥିବା ଆବେଦନର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଦର୍ଶାଇଥିଲେ ଯେ ତଦନ୍ତରୁ ସଂସ୍ଥା ବିରୋଧରେ ୪୦ ଲକ୍ଷ ଟଙ୍କାରୁ ଅଧିକ ଠକେଇର ପ୍ରମାଣ ମିଳିଛି। ଏପରି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ଥିବା ଦୃଷ୍ଟିରୁ ଅଦାଲତ ତାଙ୍କ ଜାମିନ ଖାରଜ କରିଥିବା ଜଣାଯାଇଛି। ଏଠାରେ ସୂଚନା ଯୋଗ୍ୟ ଏହି ସଂସ୍ଥା ବିରୋଧରେ ଚାଉଳିଆଗଞ୍ଜ ଥାନା ସହିତ ମଙ୍ଗଳାବାଗ ଓ ଲାଲବାଗ ଥାନାରେ ମଧ୍ୟ ଠକେଇର ଶିକାର ହୋଇଥିବା ଲୋକମାନେ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର