ଏସ୍‌ସିବି ଡାକ୍ତର, କର୍ମଚାରୀଙ୍କୁ କରୋନା ବିପଦ: ବିନା ସ୍ୱାବ୍‌ ପରୀକ୍ଷାରେ ଚାଲିଛି ଅସ୍ତ୍ରୋପଚାର

କଟକ: କଟକ ବଡ଼ମେଡିକାଲ (ଏସ୍‌ସିବି)ରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ଓଟିରେ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ବିନା କରୋନା ସ୍ବାବ ପରୀକ୍ଷାରେ ରୋଗୀଙ୍କ ଅସ୍ତ୍ରୋପଚାର ହେଉଥିବାରୁ ଏହାକୁ ନେଇ ଡାକ୍ତର ଓ କର୍ମଚାରୀ ଚିନ୍ତାରେ ପଡ଼ିଛନ୍ତି। କଟକର ସିଟି ହସ୍ପିଟାଲ, ଏମ୍‌କେସିଜି ବ୍ରହ୍ମପୁର, ଏମ୍ସ ଆଦି ବିଭିନ୍ନ ହସ୍ପିଟାଲ ଓ ମେଡିକାଲରୁ ଡାକ୍ତର ଓ ଅନ୍ୟ କର୍ମଚାରୀ କରୋନା ସଂକ୍ରମିତ ହେବା ଘଟଣା ବି ସେମାନଙ୍କ ଚିନ୍ତା ବଢ଼ାଇଦେଇଛି। କରୋନା ପାଇଁ ବନ୍ଦ ଥିବା ଓଟି ଖୋଲି ଥିବାବେଳେ ଜୁନ୍‌ ପ୍ରଥମ ସପ୍ତାହରେ ଅପରେସନ୍‌ ଆରମ୍ଭ ହୋଇଛି। ଦିନକୁ ହାରାହାରି ଅଢେଇ ଶହରୁ ତିନି ଶହ ଅସ୍ତ୍ରୋପଚାର ହେଉଛି। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ବିଭାଗରେ ଆଇସୋଲେସନ୍‌ ଓଟି ଓ ୱାର୍ଡ ଖୋଲି ଥିଲେ ବି ବ୍ୟବସ୍ଥା ଯାହା, ସେଥିରେ ସବୁ ଆଡୁ ବିପଦ ବଢୁଥିବା ଅନୁଭବ ହେଉଛି। ଅଧିକାଂଶ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଲକ୍ଷଣ ରହୁନାହିଁ। ଫଳରେ, ଅସ୍ତ୍ରୋପଚାର ପାଇଁ ଆସିଥିବା ରୋଗୀଟି କରୋନା ସଂକ୍ରମିତ କି ନାହିଁ ତାହା ଜାଣିବା ଡାକ୍ତରଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ଯଦି ବା କେତେବେଳେ ସନ୍ଦେହ ହେବ ଅଥବା ଅସ୍ତ୍ରୋପଚାର ହୋଇଥିବା ରୋଗୀଟି କରୋନା ସଂକ୍ରମିତ ବୋଲି ରିପୋର୍ଟ ଆସିବ, ସେତେବେଳେ ଓଟିକୁ ସାନିଟାଇଜ୍‌, ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ , ସ୍ବାସ୍ଥ୍ୟକର୍ମୀଙ୍କୁ ଖୋଜି ବାହାର କରାଯିବ। କିନ୍ତୁ ରାଜ୍ୟର ଅନ୍ୟ କେତେକ ହସ୍ପିଟାଲ ଭଳି ଏଠାରେ ଅସ୍ତ୍ରୋପଚାର ପୂର୍ବରୁ କରୋନା ସ୍ବାବ ପରୀକ୍ଷା ବ୍ୟବସ୍ଥା କାହିଁକି କରାଯାଉ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଉଲ୍ଲେଖଯୋଗ୍ୟ ଯେ, ଡିଏମଇଟିଙ୍କ ଚିଠି ପରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଓପିଡି ଏବଂ ଓଟି ଆରମ୍ଭ କରାଯାଇଛି। କମ୍‌ ସଂଖ୍ୟକ ଆଟେଣ୍ଡାଣ୍ଟଙ୍କୁ ନେଇ ଓ ସାମାଜିକ ଦୂରତ୍ବ ପ୍ରତି ସତର୍କ ରହି ରୋଗୀଙ୍କ ଅସ୍ତ୍ରୋପଚାର କରିବା, ପ୍ରତି ବିଭାଗ ଜ୍ବର, ଫ୍ଳୁ ତଥା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍‌ କରିଡର କରିବା ଭଳି ପରାମର୍ଶ ଦିଆଯାଇଛି। କରୋନା ପାଇଁ ଏସ୍‌ସିବିର ୯୦ ପ୍ରତିଶତ ଓଟି ଦୁଇ ମାସ ହେବ ବନ୍ଦ ରହିଥିଲା। କିନ୍ତୁ ଏବେ ଦିନକୁ ଅଢେଇ ଶହରୁ ୩ଶହ ଅସ୍ତ୍ରୋପଚାର କରାଯାଉଛି। ଏସ୍‌ସିବିରେ ୩୮ଟି ବିଭାଗ ମଧ୍ୟରୁ ୨୦ରୁ ଅଧିକ ବିଭାଗରେ ରହିଛି ଓଟି ବ୍ୟବସ୍ଥା। ସପ୍ତାହର ଛୁଟି ଦିନକୁ ଛାଡ଼ିଦେଲେ ସବୁ ବିଭାଗର ନିୟମିତ ଓଟି ସହ ଟ୍ରମା ଓଟି ବି ରହିଛି। ଦୈନିକ ୧୦୦ରୁ ୩ଶହ ପର୍ଯ୍ୟନ୍ତ ଜରୁରୀ ଓ ସ୍ବାଭାବିକ ଅସ୍ତ୍ରୋପଚାର ହିସାବକୁ ନେଲେ ମାସକୁ ପାଖାପାଖି ୧୮ଶହରୁ ୨ହଜାର ଅସ୍ତ୍ରୋପଚାର ହୋଇଥାଏ ଏସ୍‌ସିବିରେ। କିନ୍ତୁ ସରକାରଙ୍କ ‘କରୋନା’ ସତର୍କତା ପାଇଁ ସବୁଦିନିଆ ଅସ୍ତ୍ରୋପଚାର ମାର୍ଚ୍ଚ ୨୦ ତାରିଖ ପରଠାରୁ ବନ୍ଦ ରହିଥିଲା। ଅନ୍ୟପଟେ ନିଆଯାଇ ଥିବା ନିଷ୍ପତ୍ତି ଅନୁଯାୟୀ କିଡ୍‌ନି ପ୍ରତିରୋପଣ କ୍ଷେତ୍ରରେ ଉଭୟ ଦାତା ଓ ଗ୍ରହିତାଙ୍କୁ ୧୪ଦିନ ଆଇସୋଲେସନ୍‌ରେ ରଖାଯିବ। ସ୍ବାବ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ କିଡନି ପ୍ରତିରୋପଣ କରାଯିବ। କିନ୍ତୁ ସବୁ ଓଟି ପାଇଁ ଏଭଳି ସ୍ବାବ୍‌ ପରୀକ୍ଷା ଜରୁରୀ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର