ଏସ୍‌ସିବିରେ ୧୦ ପ୍ରତିଶତ ୟୁଜି ଓ ପିଜି ସିଟ୍‌ ବଢ଼ିବ

ସରକାରଙ୍କୁ ଦିଆଗଲା ପ୍ରସ୍ତାବ, ଏମ୍‌ସିଆଇ ନିଷ୍ପତ୍ତିକୁ ଅପେକ୍ଷା

କଟକ : ଏସ୍‌ସିବି ମେଡିକାଲ୍‌ କଲେଜରେ ୟୁଜି ଓ ପିଜି ସିଟ୍‌ ସ˚ଖ୍ୟା ୧୦ ପ୍ରତିଶତକୁ ବୃଦ୍ଧି କରାଯିବ। ଏସ˚କ୍ରାନ୍ତରେ ଏକ ପ୍ରସ୍ତାବ ଦେବା ପାଇଁ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ତିଆ (ଏମ୍‌ସିଆଇ) ପକ୍ଷରୁ କଲେଜକୁ ଚିଠି କରାଯାଇଥିଲା। ଶନିବାର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ବୈଠକ ଡକାଯାଇ ସିଟ୍‌ ବୃଦ୍ଧି ସ˚କ୍ରାନ୍ତରେ ଏକ ପ୍ରସ୍ତାବ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଏମ୍‌ସିଆଇକୁ ପଠାଇ ଦିଆଯାଇଛି। ତେବେ ମେଡିକାଲ୍‌ର ଡାକ୍ତର ଶିକ୍ଷକ ସ˚ଖ୍ୟା, ବେଡ୍‌ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଆନୁସଙ୍ଗିକ ବ୍ୟବସ୍ଥା ସ˚ପର୍କରେ ଅନୁଧ୍ୟାନ କଲା ପରେ ଉକ୍ତ ସିଟ୍‌ ଗୁଡିକୁ ଏମ୍‌ସିଆଇ ମ˚ଜୁର କରିବ ବୋଲି ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆର୍ଥିକ ରୂପେ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ମେଡିକାଲ୍‌ କଲେଜ ଗୁଡିକରେ ୧୦ ପ୍ରତିଶତ ସିଟ୍‌ ସ˚ରକ୍ଷଣ ରହିବ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏସ˚କ୍ରାନ୍ତରେ କିଛି ନିର୍ଦ୍ଦେଶାବଳୀ ଆସିନଥିଲାବେଳେ ଗତକାଲି ହଠାତ୍‌ ଏମ୍‌ସିଆଇ ପକ୍ଷରୁ ସିଟ୍‌ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବାକୁ ଚିଠି ଦିଆଯାଇଥିଲା। ତେଣୁ ସିଟ୍‌ ବୃଦ୍ଧି ପାଇଁ ଅଧ୍ୟକ୍ଷା ଆଜି ବିଭାଗୀୟ ମୁଖ୍ୟ ଓ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନେଇ ଏକ ଜରୁରି ବୈଠକ ଡକାଇଥିବାବେଳେ ସରକାରଙ୍କୁ ପ୍ରସ୍ତାବ ଗୁଡିକ ପଠାଇଛନ୍ତି। ଯେଉଁ ବିଭାଗରେ ଏକାଧିକ ପ୍ରଫେସର ଅଛନ୍ତି, କିମ୍ବା ଡାକ୍ତର ଅନୁଯାୟୀ ବେଡ୍‌ ସ˚ଖ୍ୟା ଅଧିକ ରହୁଛି, ସେସବୁ ବିଭାଗ ଗୁଡିକ ଉପରେ ତର୍ଜମା କରାଯାଇଥିଲା। ସେହିପରି ପଦୋନ୍ନତି ପାଇଥିବା ଡାକ୍ତରମାନଙ୍କୁ ଛାତ୍ର ଯୋଗାଇ ଦେବା ପାଇଁ ମଧ୍ୟ ସ୍ଥିର କରାଯାଇଛି। ଯେଉଁ ଆସୋସିଏଟ୍‌ ପ୍ରଫେସର ମାନେ ୟୁନିଟ୍‌ ମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ସେମାନଙ୍କୁ ୩ଜଣ ପିଜି ଛାତ୍ର ଦିଆଯିବ। ସେହିପରି ଆସିଷ୍ଟାଣ୍ଟରୁ ଆସୋସିଏଟ୍‌ ପ୍ରଫେସର ପଦବିକୁ ପଦୋନ୍ନତି ପାଇଥିବା ଡାକ୍ତରଙ୍କୁ ମଧ୍ୟ ଛାତ୍ର ଯୋଗାଇ ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି।

ବର୍ତ୍ତମାନ ମେଡିକାଲ୍‌ରେ ବର୍ଷକୁ ୨୫୦ ୟୁଜି ସିଟ୍‌ ରହିଥିଲାବେଳେ ପ୍ରସ୍ତାବ ଅନୁଯାୟୀ ଏହା ୨୭୫କୁ ବଢିଯିବ। ସେହିପରି ପାଖାପାଖି ୨୨୦ ପିଜି ଡାକ୍ତର ଅଭ୍ୟାସ କରୁଥିବାବେଳେ ୨୦ରୁ ୨୨ ସିଟ୍‌ ବଢିପାରେ ବୋଲି କୁହାଯାଉଛି। ସିଟ୍‌ ବଢିଲେ ସେହି ଅନୁସାରେ ହଷ୍ଟେଲ୍‌ରେ ରହିବା ବ୍ୟବସ୍ଥା କରିବାକୁ ପଡ଼ିବ ଏବ˚ ବିଭିନ୍ନ ବିଭାଗମାନଙ୍କରେ ଡାକ୍ତର ଓ ବେଡ୍‌ ଅନୁପାତକୁ ମଧ୍ୟ ନଜରରେ ରଖାଯିବ। ଏମ୍‌ସିଆଇ ସିଟ୍‌ ମ˚ଜୁର କରିବା ପରେ ସେଗୁଡିକର ସ୍ଥାୟିତ୍ବ ଅନୁଧ୍ୟାନ କରିବାକୁ ପ୍ରତ୍ୟେକ ବର୍ଷ ମେଡିକାଲ୍‌କୁ ଆସିବ। ଯଦି ସବୁକିଛି ଠିକ୍‌ ରୁହେ ତାହେଲେ ଏଠାରେ ଡାକ୍ତରୀ ଛାତ୍ରଙ୍କ ସ˚ଖ୍ୟା ୫୦କୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର