ଭୁବନେଶ୍ୱର : ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆଜିଠାରୁ ଅନ୍ଲାଇନ୍ରେ ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଅନ୍ଲାଇନ୍ରେ ଅନୁଷ୍ଠିତ ଏହି ପରୀକ୍ଷାର କେତେକ କେନ୍ଦ୍ରରେ ବିଭ୍ରାଟ ହୋଇଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତଥାପି ସୁରୁଖୁରରେ ପରୀକ୍ଷା ସରିଥିବା ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ଏହି ପରୀକ୍ଷା ଚାଲିବ। ପ୍ରଥମ ଦିନରେ ବିଏଡ୍(କଳା) ଓ ବିଏଡ୍(ବିଜ୍ଞାନ) ପାଇଁ ପରୀକ୍ଷା ହୋଇଥିଲା। ୯ ତାରିଖରେ ବି ବିଏଡ୍(ବିଜ୍ଞାନ), ୧୦ରେ ବିଏଡ୍(ହିନ୍ଦୀ), ବିପିଏଡ୍, ଏମ୍ଏଡ୍ ଓ ଏମ୍ଫିଲ୍ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବ। ପୂର୍ବାହ୍ନ ୮ଟା ୩୦ରୁ ୧୦ଟା ଯାଏ ପ୍ରଥମ ବ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ବାହ୍ଣ ୧୧ଟା ୧୫ରୁ ୧୨ଟା ୧୫ ମଧ୍ୟରେ ଦ୍ୱିତୀୟ, ଅପରାହ୍୍ଣ ୨ଟାରୁ ୩ଟା ୩୦ ମଧ୍ୟରେ ତୃତୀୟ ଏବଂ ଅପରାହ୍ଣ ୪ଟା ୪୫ରୁ ୬ଟା ୧୫ ମଧ୍ୟରେ ଚତୁର୍ଥ ବ୍ୟାଚ୍ ପରୀକ୍ଷା କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।