କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟା: ମୁଗ୍ଧ କଲା ମଣିପୁରୀ, ଓଡ଼ିଶୀ ନୃତ୍ୟ

କୋଣାର୍କ : ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ୨୦୨୨ର ଶୁକ୍ରବାର ଥିଲା ଦ୍ବିତୀୟ ସନ୍ଧ୍ୟା। ରମ୍ୟ କଳାର କମନୀୟ ପ୍ରକାଶ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚର ଆଜିର ସନ୍ଧ୍ୟା ଥିଲା ବେଶ ଆକଷର୍ଣୀୟ। ସୂର୍ଯ୍ୟାସ୍ତ ପରେ ଆକାଶରେ ଜହ୍ନର ଆଗମନ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚରେ ପାଦ ଥାପିଥିଲେ ଶାତ୍ସ୍ୟୟ ବାଦ୍ୟ, ନୃତ୍ୟ ଓ ସଂଗୀତ ଜଗତର ସୁନାମଧନ୍ୟ କଳାକାର। ମଞ୍ଚରେ ଆଲୋକ ଉଦ୍‌ଭାସିତ ହେବାପରେ ବାଦ୍ୟ, ନୃତ୍ୟ ଓ ସଂଗୀତର ତ୍ରିବେଣୀ ସଂଗମରେ ନାଟ୍ୟମଣ୍ଡପ ପରିସର ଚଳଚଞ୍ଚଳ ହୋଇ ଉଠିଥିଲା। ଗ୍ୟାଲେରିପୂର୍ଣ୍ଣ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାହାର ଦ୍ବିତୀୟ ସନ୍ଧ୍ୟାର ହାଲକା ଶୀତୁଆ ପରିବେଶକୁ ଆହୁରି ମତୁଆଲା କରିଥିଲା।

ଶୁକ୍ରବାର ଦିନ କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ହାଇକୋର୍ଟର ବିଚାରପତି ଯଶୱନ୍ତ ସିଂ, ନେପାଳ ରାଷ୍ଟ୍ରଦୁତ ଶଙ୍କର ପ୍ରସାଦ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ବିଶାଲ ସିଂ, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ ଓ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଏସ. କେ ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ଉଦଘାଟନୀ ଉତ୍ସବ ସମାପନ ପରେ ଇମ୍ଫାଲସ୍ଥିତ ଜବାହରଲାଲ ନେହରୁ ଏକାଡେମିର କଳାକାରମାନେ ମଣିପୁରୀ ନୃତ୍ୟ ଆଧାରରେ ମଞ୍ଚରେ ପରଶି ଦେଇଥିଲେ ରାଧାକୃଷ୍ଣ ଓ ଗୋପବାଳୀଙ୍କ ରାସର ପୃଷ୍ଠଭୂମି ସଂପର୍କିତ କଥାବସ୍ତୁ। କାର୍ଯ୍ୟକ୍ରମର ଦ୍ବିତୀୟ ଅର୍ଘ୍ୟରୂପେ ଗୁଞ୍ଜନ ଡ଼୍ୟାନ୍ସ ଏକାଡେମି କଟକର ମୀରା ଦାଶ ଓ ସାଥୀମାନେ ଓଡ଼ିଶୀ ନୃତ୍ୟ ଆଧାରରେ ମୁକ୍ତାକାଶ ରଙ୍ଗମଞ୍ଚରେ ସୂର୍ଯ୍ୟ ଉପାସନା, ଝିଂଟୋଟି ପଲ୍ଲବୀ ସହିତ ନାରୀ ଜୀବନର ତ୍ୟାଗପୁତ ଗାଥା ଓ ଉତ୍ସର୍ଗକୁ ମଞ୍ଚରେ ପରସି ଦେଇଥିଲେ। ନୃତ୍ୟଶିଳ୍ପୀମାନଙ୍କ ପ୍ରତ୍ୟେକ ଅଙ୍ଗଭଙ୍ଗୀ ଆଜି ସୂର୍ଯ୍ୟମନ୍ଦିରର ପାଷାଣୀ ନର୍ତକୀ ମୁକ୍ତକାଶ ରଂଗଂଚରେ ଜୀବନ୍ୟାସ ପାଇଥିବାର ଭ୍ରମ ସୃଷ୍ଟି କରିଥିଲା। ଦ୍ବିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ନାଜିଆ ଆଲମ ପରିଚାଳନା କରିଥିଲେ। ଉତ୍ସବକୁ ଡ. ସଂଗୀତା ଗୋସାଇଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ସମେତ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ନିଗମ, ଓଡ଼ିଶା ସଂଗୀତ ନାଟକ ଏକାଡେମିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

ବାଲୁକା କଳାରେ କ୍ରୀଡ଼ାର ବାର୍ତ୍ତା

କୋଣାର୍କ : କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହୋଇଛି ଆନ୍ତର୍ଜାତିକ ବାଲୁକାକଳା ପ୍ରଦର୍ଶନୀ। ଏହି ପ୍ରଦର୍ଶନୀର ଶୁକ୍ରବାର ଦ୍ବିତୀୟ ଦିବସରେ କ୍ରୀଡ଼ା ଓ ମହିଳା ସଶକ୍ତୀକରଣ ସଂପର୍କୀତ ବାଲୁକାକଳା ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। ଚନ୍ଦ୍ରଭାଗାର ବାଲୁକା ରାଶିରେ ଶିଳ୍ପୀଙ୍କ ଦ୍ବାରା କ୍ରୀଡ଼ା ଓ ମହିଳା ସଶକ୍ତୀକରଣ ବାର୍ତ୍ତା ନେଇ ଗଢ଼ାଯାଇଥିବା ବାଲୁକାକଳା ଦେଶବିଦେଶର ପର୍ଯ୍ୟଟକ ଓ ଅତିଥିମାନଙ୍କୁ ଚମକାଇ ଦେଇଥିଲା। ବାଲୁକାକଳା ପ୍ରଦର୍ଶନୀ ଦେଖିବା ଲାଗି ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର