‌ସ୍ବାଭିମାନ ସମ୍ବଲପୁର ଆରମ୍ଭ କରିବ ‘ବୁକ୍ ବ୍ୟାଙ୍କ’ ସେବା

କିଣିପାରିନଥିଲେ ଗରିବ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପାଠ୍ୟପୁସ୍ତକ

ସମ୍ବଲପୁର : ଅର୍ଥାଭାବ ଯୋଗୁଁ ଏଣିକି ଓଡ଼ିଆ ମାଧ୍ୟମ ଶିକ୍ଷାନୁଷ୍ଠାନର କୌଣସି ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବନ୍ଧା ହେବ ନାହିଁ। ଅର୍ଥାଭାବ ଯୋଗୁଁ ପାଠ୍ୟପୁସ୍ତକ କିଣିପାରିନଥିଲେ କିମ୍ବା ସ୍କୁଲ ଫି’ ଭରିବାକୁ ଅକ୍ଷମ ହୋଇଥିଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସ୍ବାଭିମାନ, ସମ୍ବଲପୁର’ ଏଣିକି ସହାୟତା କରିବ। ‘ସ୍ବାଭିମାନ, ସମ୍ବଲପୁର’ର ସଭାପତି ସଂଜୀବ କଂସାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠାନ ପକ୍ଷରୁ ‘ବୁକ୍‌ ବ୍ୟାଙ୍କ’ ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ସମ୍ବଲପୁର ଜିଲ୍ଲାର କେବଳ ଓଡ଼ିଆ ମାଧ୍ୟମ ଶିକ୍ଷାନୁଷ୍ଠାନର ଗରିବ ଛାତ୍ରଛାତ୍ରୀମାନଙ୍କୁ ଏହା ଜରିଆରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଆଗ୍ରହୀ ଛାତ୍ରଛାତ୍ରୀ ତଥା ଅଭିଭାବକମାନ‌େ ‘ବୁକ୍ ବ୍ୟାଙ୍କ’କୁ ପୁରୁଣା ପାଠ୍ୟପୁସ୍ତକ ତଥା ଅନ୍ୟ ବହିଦାନ ବି କରିପାରିବେ।

ପାଠ୍ୟପୁସ୍ତକ ଦାନ, ସ୍କୁଲ ଫି’ ପ୍ରଦାନରେ ସମସ୍ୟା ହେଉଥିଲେ କିମ୍ବା ବୁକ୍ ବ୍ୟାଙ୍କ ପାଠ୍ୟପୁସ୍ତକ ଦାନ କରିବାକୁ ଚାହୁଥିଲେ ୯୪୩୯୫୬୯୪୧୦, ୯୪୩୮୮୬୫୭୬୪ କିମ୍ବା ୯୩୩୭୦୧୩୮୩୧ ମୋବାଇଲ ନମ୍ବରକୁ ହ୍ବାଟସ୍ ଆପ୍ ମେସେଜ୍ ଜରିଆରେ ବିସ୍ତୃତ ବିବରଣୀ ଲେଖି କିମ୍ବା ଫୋନ୍ କଲ୍‌ କରି ଜଣାଇବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଗ୍ରୀଷ୍ମଦିନ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହୁଥିବାରୁ ଆସନ୍ତା ଜୁନ୍ ମାସରେ ରକ୍ତଦାନ ଶିବିର ଆୟୋଜନ ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାଇଲିସିସ୍ ମେସିନ ଆସିବା ପରେ ବି ଏହି ସେବା ଆରମ୍ଭ ହେଉନଥିବାରୁ ସ୍ବାଭିମାନ, ସମ୍ବଲପୁର ପକ୍ଷରୁ ଅନେକ ଥର ଦାବି କରାଯିବା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିଲା।

ନିକଟରେ ଜିଲ୍ଲା ମୁଖ୍ୟାଳୟରେ ଡାଇଲିସିସ୍ ସେବା ଆରମ୍ଭ କରାଯାଇଥିବାରୁ ସମ୍ବଲପୁର ଜିଲ୍ଲାପାଳ ଏବଂ ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବୈଠକରେ ବରିଷ୍ଠ ସଦସ୍ୟ ଶୋଭନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଂପାଦକ ଶିଶିର ବହିଦାର ବୈଠକରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ତ୍ରିନାଥ ରାଉତ, ସହଦେବ ଷଣ୍ଢ, ଦେବନ୍ତ ବେହେରା, କୁନ୍ଦନ ପ୍ରଧାନ, ଆକାଶ ସାହୁ, ସୌମ୍ୟଜିତ ପଟ୍ଟନାୟକ, ପ୍ରଣେଶ ଝା, କୌଶିକ ସାହୁ, ଯତୀନ ବେହେରା, ସୁଦାମ ଭୋଇ, ସୁରେଶ ସାନବଡ଼, ସତ୍ୟବାନ ବାଘ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ସମୀର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର