ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଆହୁରି ୩ ମାସ ବୃଦ୍ଧି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି ଶେଷ ହେଉଥିବା କୁଳପତିଙ୍କ କାର୍ଯ୍ୟକାଳକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି। କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି କୁଳପତିମାନଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଏହି ସମୟରେ କୁଳପତିମାନେ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହୋଇଥାନ୍ତା। ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସଙ୍କ କାର୍ଯ୍ୟକାଳ ୨୦୨୦ ଅଗଷ୍ଟ ୧ ତାରିଖ ଯାଏଁ ଥିଲା। ସେହିପରି ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ୨୦୨୦ ଅଗଷ୍ଟ ୩୧ରେ ଶେଷ ହେଉଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ୨୦୨୦ ଜୁଲାଇ ୩୦ରେ ଶେଷ ହେବାକୁ ଥିଲା। ସେହିପରି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ୨୦୨୦ ଜୁଲାଇ ୧୩ ତାରିଖରେ ଅବସର ନେଇଥାନ୍ତେ। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ କାର୍ଯ୍ୟକାଳ ୨୦୨୦ ଜୁଲାଇ ୧୪ରେ ଶେଷ ହେଉଥିଲା।