ଧରାପଡ଼ିଲେ ୭ ନକଲି ଡାକ୍ତର

ଚିତ୍ରକୋଣ୍ଡା/କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଓ ଚିତ୍ରକୋଣ୍ଡା ଥାନା ପୁଲିସ ଶନିବାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ନକଲି ଡାକ୍ତରଙ୍କୁ ଧରିଛି। ସେମାନଙ୍କ ଠାରୁ ପୁଳା ପୁଳା ଔଷଧ ଜବତ ହୋଇଛି। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସୁଯୋଗ ନେଇ ଏମାନେ ଖୋଲିଥିଲେ ବେଆଇନ କ୍ଲିନିକ୍। ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ନଥିଲା କି କ୍ଲିନିକ୍ ଖୋଲିବାକୁ ସରକାରୀ ଅନୁମତି ମଧ୍ୟ ନଥିଲା। ଏହି ଅସାଧୁ କାରବାରର ଚେର ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି।

ଚିତ୍ରକୋଣ୍ଡା ବ୍ଲକ୍‌ର ଅଧା ପଞ୍ଚାୟତ ସ୍ବାଭିମାନ ଅଞ୍ଚଳରେ ରହିଛି। ଦୁର୍ଗମ ଅଞ୍ଚଳରେ ଥିବା ଅନେକ ଗାଁରେ ସ୍ବାସ୍ଥ୍ୟସେବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ନିୟମିତ ଭାବେ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ବି ଏହି ଅଞ୍ଚଳକୁ ଯାଉନାହାନ୍ତି। ଏହାର ସୁଯୋଗ ନେଇ ଏହି ଗାଁଗୁଡ଼ିକରେ କାୟା ବିସ୍ତାର କରିଥିଲେ ନକଲି ଡାକ୍ତର (କ୍ବାକ୍)। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଚିତ୍ରକୋଣ୍ଡା ପୁଲିସ ଚଢ଼ଉ କରିଥିଲା।

ଭିନ୍ନ ଭିନ୍ନ ସ୍ଥାନରେ ଖୋଲିଥିବା ବେଆଇନ କ୍ଲିନିକ୍‌ରେ ଚଢ଼ଉ କରିବା ସହ ହାଟ ବଜାରରେ ଔଷଧ ନେଇ ରୋଗୀଙ୍କ ଚିକିତ୍ସା କରୁଥିବା ୪ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା।

ଧରାପଡ଼ିଥିବା ନକଲି ଡାକ୍ତରମାନେ ହେଲେ ଡାଇକ-୩ ଗାଁର ବିପିନ ଚନ୍ଦ୍ର ନାୟକ (୬୦), ପଶ୍ଚିମବଙ୍ଗର ତେନ୍ତୁଳିଆ ଗାଁର ବିଶ୍ବଦେବ ସରକାର (୨୭) ଏବଂ ସୁଫଳ ବିଶ୍ବାସ (୩୬), ପଶ୍ଚିମବଙ୍ଗର ଗୋପାଳପୁର ଗାଁର ପଳାସ ରାୟ (୪୬)। ବିଶେଷ କରି ସ୍ବାସ୍ଥ୍ୟସେବା ଅପହଞ୍ଚ ଅଞ୍ଚଳକୁ ଏହି ନକଲି ଡାକ୍ତରମାନେ ଟାର୍ଗେଟ କରୁଥିଲେ। ଜ୍ବର, ଝାଡ଼ାବାନ୍ତି, ମେଲେରିଆ ଭଳି ରୋଗର ଔଷଧ ନେଇ ଗାଁ ଦାଣ୍ଡ, ହାଟ କିମ୍ବା କୌଣସି ଜନଗହଳି ସ୍ଥାନରେ ଆରମ୍ଭ କରି ଦେଉଥିଲେ ଚିକିତ୍ସା। ରୋଗୀଙ୍କୁ ସାଲାଇନ୍ ଏବଂ ଇଂଜେକ୍ସନ ବି ଦେଉଥିଲେ। ଗିରଫ ୩ ନକଲି ଡାକ୍ତର ପଶ୍ଚିମବଙ୍ଗର ହୋଇଥିବାରୁ ଅଧିକ ଖୋଳତାଡ଼ ଜାରି ରହିଥିବା ସୂଚନା ମିଳିଛି। ଆଗକୁ ଚଢ଼ଉ ଜୋରଦାର ହେବ ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି।

ସେହିପରି ମାଲକାନଗିରି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆଜି କାଲିମେଳା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଚିକିତ୍ସା କରୁଥିବା ଏମଭି-୭୩ ଗାଁର ପରେଶ ବାବାଲି (୩୩), ଏମପିଭି-୧୪ ଗାଁର ଶଶାଙ୍କ ପାଇକ (୪୫) ଏବଂ ଏମପିଭି-୧୧ ଗାଁର ସଚିନ ପରମାଣିକ (୪୦)ଙ୍କୁ ଗିରଫ କରାଯାଇଛି। ଏମାନେ ବହୁ ଦିନ ଧରି ନିଜ ଅଞ୍ଚଳରେ ବେଆଇନ କ୍ଲିନିକ୍‌ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିଲେ। ଏମାନଙ୍କ ନିକଟରେ ଡାକ୍ତରୀ ଶିକ୍ଷାର କୌଣସି ପ୍ରମାଣପତ୍ର କିମ୍ବା କ୍ଲିନିକ୍ ଖୋଲିବା ଏବଂ ଔଷଧ ରଖିବା ପାଇଁ ଲାଇସେନ୍ସ ନଥିଲା। ଏହି ଚଢ଼ଉରେ ଏସ୍‌ଆଇ ବିଜୟ କୁମାର ତାଣ୍ତି, ମଣି ଦାଡ଼ିଆ ଓ ଦୀପିକା ହୀରା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର