ଗ୍ରେଡ୍‌ ଏ-୧ ଖୁସିକୁ ବଳେଇ ପଡ଼ିଛି ଭବିଷ୍ୟତ ଚିନ୍ତା, ତଥାପି ହାରିବେନି ଓମ୍‌ପ୍ରକାଶ

ମେଧାବୀ ଛାତ୍ର ହୋଇଥିବାରୁ ପାଠପଢ଼ାରେ ସବୁବେଳେ ସଫଳତା ହିଁ ତାଙ୍କୁ ପିଛା କରିଚାଲିଛି। ଅର୍ଥାଭାବ ତାଙ୍କ ରାସ୍ତାରେ କଣ୍ଟା ହୋଇପାରିନାହିଁ। ବୈଜ୍ଞାନିକ ହେବାର ଦୁର୍ବାର ଇଚ୍ଛା। ମାତ୍ର ବେଳେବେଳେ ଅର୍ଥାଭାବ ଜନିତ ଏକ ଅସହାୟବୋଧ ତାଙ୍କ ମନକୁ ଦୁର୍ବଳ କରିଦିଏ। ଯେତେ ଆଗକୁ ଆଗକୁ ଯାଉଛନ୍ତି, ଏକ ଅଜଣା ଭୟ ତାଙ୍କ ମନରେ ଦୃଢ଼ ହେବାରେ ଲାଗିଛି। ତଥାପି ସେ ଦବି ଯାଇନାହାନ୍ତି କି ପଛେଇ ଯାଇନାହାନ୍ତି। ଏକ ସଂଗ୍ରାମୀ ମନ ନେଇ ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ। ଲଢ଼ୁଆ ପଣ ପାଇଁ ଆଜି ସେ ବହୁ ବାଧାବିଘ୍ନକୁ ଅତିକ୍ରମ କରି ମାଟ୍ରିକ୍ ପରୀକ୍ଷାରେ ଗ୍ରେଡ୍‌ ଏ-୧ ହାସଲ କରିଛନ୍ତି। ଏହା ହେଉଛି ଖଣ୍ଡଗିରିସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଓମ୍‌ପ୍ରକାଶଙ୍କ କଥା। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଓମ୍‌ପ୍ରକାଶଙ୍କ ବାପା ସାରଦା ପ୍ରସନ୍ନ ସାହୁ ଜଣେ କ୍ଷୁଦ୍ର ବ୍ୟବସାୟୀ।

ବ୍ୟାଙ୍କ୍‌କୁ ଷ୍ଟେସନାରି ସାମଗ୍ରୀ ଯୋଗାଇ ସେ କିଛି ରୋଜଗାର କରନ୍ତି। ସେଇ ସ୍ବଳ୍ପ ରୋଜଗାରରେ ଘର ଭଡ଼ା ସାଙ୍ଗକୁ ପରିବାରର ଖର୍ଚ୍ଚ ଓ ଓମ୍‌ପ୍ରକାଶର ପାଠପଢ଼ା ତୁଲାଇବା ବେଳେ ବଡ଼ କଷ୍ଟ ହୁଏ ସାରଦାଙ୍କୁ। ମେଧାବୀ ଛାତ୍ର ହୋଇଥିବାରୁ ଓ ବାପା ସାରଦାଙ୍କ ଏଭଳି ଅବସ୍ଥା ଦେଖି ଶିକ୍ଷକମାନେ ମାଗଣାରେ ଓମ୍‌କୁ ଅତିରିକ୍ତ ସମୟ ପାଠ ପଢ଼ାଉଥିଲେ। ତେବେ ମହାମାରୀ କରୋନା ସଂକଟ ସମୟରେ ସାରଦା ରୋଜଗାର ହରାଇଲେ। ଫଳରେ ସ୍କୁଲ୍ ଫି’ ଦେବାକୁ ସମର୍ଥ ହେଲେନି ସାରଦା। ମାତ୍ର ସ୍କୁଲ୍ ପକ୍ଷରୁ ସେତକ ବି ଛାଡ଼ କରାଗଲା। ଓମ୍‌ ଶିକ୍ଷକମାନଙ୍କ ଭରସା ରଖିଲେ ଓ ୫୪୦ ନମ୍ବର ରଖି ସ୍କୁଲର ଟପର୍ ହୋଇଛନ୍ତି।

ହେଲେ ପୁଅର ଏହି ସଫଳତା ବାପା ସାରଦାଙ୍କୁ ଯେତିକି ଖୁସି କରିଛି, ତା’ଠାରୁ ବହୁ ଅଧିକ ବ୍ୟଥିତ କରୁଛି। ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଥିବା ଓମ୍‌ ପାଇଁ ସେ ଆଗକୁ ଏତେ ଟଙ୍କା ଯୋଗାଡ଼ କରିବେ କେମିତି? ବିଦ୍ୟାଳୟ ଶିକ୍ଷକମାନେ ସିନା‌ ସହଯୋଗର ହାତ ବଢ଼ାଇଲେ ବୋଲି ଆଜି ଏହି ସଫଳତା ମିଳିଛି। ହେଲେ ଆଗକୁ? ଏହି ପ୍ରଶ୍ନ ସାରଦାଙ୍କୁ ବିଚଳିତ କରୁଛି। ବାହାରକୁ ଦେଖାଇ ପାରୁନଥିଲେ ହେଁ ସେ ମନେ ମନେ ଗୁମୁରିବାରେ ଲାଗିଛନ୍ତି। ସବୁ କିଛି ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି ସାରଦା। ତେବେ ନିଷ୍ଠାବାନ ବ୍ୟକ୍ତି ପାଇଁ ସବୁ ଦିଗରୁ ସହଯୋଗର ହାତ ଲମ୍ବି ଆସିବ ବୋଲି ଯେଉଁ କଥା ରହିଛି, ତାହା ଓମ୍‌ପ୍ରକାଶଙ୍କ କ୍ଷେତ୍ରରେ ମଧ୍ୟ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର