ପୁରୀ : ପୁରୀ ସହରବାସୀଙ୍କ ପାଇଁ ସ୍ୱାଚ୍ଛନ୍ଦ୍ୟ ଜୀବନଯାପନର ସ୍ୱପ୍ନ ନେଇ କାର୍ଯ୍ୟକ୍ଷମ ହୋଇଥିବା ସ୍ୱେରେଜ୍ ବ୍ୟବସ୍ଥା ଏବେ ଯମ ପାଲଟିଛି। ମାଟିତଳେ ପାଇପ୍ ଫାଟିଥିବାରୁ ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ ପାଣି ଟାଣିବା ବେଳେ ପାଣି ସହ ବାଲି, ମାଟି, ଗୋଡି ସବୁ ଟାଣି ହୋଇ ଯାଉଛି ପମ୍ପିଂ ଷ୍ଟେସନକୁ। ଫଳରେ ମାଟିତଳ ଫମ୍ପା ହୋଇଯାଉଛି। ଗାଡ଼ି ଚାଲିଲେ ବା ଚାପ ପଡ଼ିଲେ ପିଚୁ ଧସି ଗାଡ଼ ହୋଇଯାଉଛି। ନଜାଣି ପାରି ଖସି ପଡ଼ିଲେ ୫ଫୁଟ ତଳେ ମୃତ୍ୟୁ ଅପେକ୍ଷା କରିଛି। ଏଭଳି ପୁରୀ ସହରରେ ୧୧ଟି ଗାଡ଼ ହୋଇଛି। ୧୭ ଗାଡ଼ ହେବା ପରେ ଉଚ୍ଚଶକ୍ତିସମ୍ପନ୍ନ ପମ୍ପକୁ ବନ୍ଦ କରି ଦିଆଯାଇଛି। ଲଗାତାର ଚାଲିଲେ ସମଗ୍ର ସହରରେ ଏଭଳି ଶତାଧିକ ମୃତ୍ୟୁ ଯନ୍ତା ଖୋଲିବ। ତେବେ ପିଚୁ ହୋଇଥିବାରୁ ଏହା ଶୀଘ୍ର ଦବି ବାହାରକୁ ଜଣାପଡ଼ି ଯାଉଛି। ଫଳରେ ଏହି ଗାଡ଼କୁ ବାଡ଼ ଦେଇ ଚଳପ୍ରଚଳ ବନ୍ଦ କରାଯାଇଛି। କିନ୍ତୁ ବଡ଼ ସମସ୍ୟା ହେଉଛି କଂକ୍ରିଟ ରୋଡ଼୍। ଏହା ତଳ ଫମ୍ପା ହୋଇଯାଇଥିଲେ ମଧ୍ୟ ଏବେ ଜଣା ପଡ଼ୁ ନାହିଁ। ଲୁହା ଛଡ଼ ଓ କଂକ୍ରିଟ ନିର୍ମାଣ ହୋଇଥିବାରୁ ଏହା ଏବେ ଭଶୁଡ଼ି ନାହିଁ। ଦୁର୍ବଳ ହେବା ପରେ ଭୁଶୁଡ଼ି ପଡ଼ିବ ବୋଲି ଯନ୍ତ୍ରୀମାନେ ପ୍ରମାଦ ଗଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମଗ୍ର ସହରରେ ୮ ହଜାର ମ୍ୟାନ୍ହୋଲ୍ ରହିଛି। ଏବେ ମାତ୍ର ୧୧ଟି ଦବିଛି। ଏହି ୮ ହଜାର ଦବିଲେ ସମଗ୍ର ସହରର ଅବସ୍ଥା କଣ ହେବ ସେ ନେଇ ନେତା ମଧ୍ୟ ମୁଣ୍ଡରେ ହାତ ଦେଇଛନ୍ତି। ଏହା ଭିତରେ ଥିବା ମଞ୍ଜି କଥାଟି ଯେଭଳି ବାହାରକୁ ଯିବନି ସେଥିପାଇଁ ଉଦ୍ୟମ ଚାଲିଛି। ସବୁ ଠିକ୍ ହୋଇଯିବ କହି ବିଭାଗ କାଠପଟା ପୋତି ମରାମତି ଆରମ୍ଭ କରିଦେଇଛି। ଏକ ସମୟରେ ସବୁ ମ୍ୟାନ୍ହୋଲକୁ ପରୀକ୍ଷା କରିବା ସମ୍ଭବ ନଥିବାରୁ ପୁଣି ଥରେ ହାଇପାୱାର ପମ୍ପ ଚାଲିଲେ ଏହି ୮ ହଜାର ମ୍ୟାନ୍ହୋଲ୍ ବି ଭୁଶୁଡ଼ିବ। ଫଳରେ ସମଗ୍ର ସହରରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହେବ। ଏହି ସ୍ୱେରେଜ୍ ସମସ୍ୟା ଆଗକୁ ପୂର୍ତ୍ତ ବିଭାଗକୁ ମଧ୍ୟ ସମସ୍ୟାରେ ପକାଇବ। ଏହି ମରାମତି ସରିବା ପରେ ପୂର୍ତ୍ତ ବିଭାଗ କାମ କରିବ। ସ୍ୱେରେଜ୍ ବ୍ୟବସ୍ଥାରେ ପାଖାପାଖି ୮୨ କୋଟି ଖର୍ଚ୍ଚ ହୋଇଥିବା ବେଳେ କାମ ଶେଷ ହୋଇନାହିଁ। କାମ ନ ସରୁଣୁ ପୁଣି ଏହି ସମସ୍ୟା ଛିଡା ହୋଇଛି। ଆହୁରି କେତେ କୋଟି ଖର୍ଚ୍ଚ ହେବ ତାର ଆକଳନ କରାଯାଇ ନାହିଁ। କାରଣ ପୁଣି ଭୁଶୁଡ଼ିବା ଆଶଙ୍କା ଥିବାରୁ ଖର୍ଚର ଆକଳନ କରାଯାଇ ପାରୁନାହିଁ। ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଏହା କିଭଳି ହେଲା ସେ ନେଇ ପ୍ରଶ୍ନ ଉଠିଛି।