ଆଇସିଡିଏସ୍‌ ସଂଯୋଜକଙ୍କୁ ଗୋଡ଼ାଇ ବାଡ଼େଇଲେ ଏସ୍ଏ‌ଚ୍‌ଜି ମହିଳା

ବସ୍ତା: ବାଲେଶ୍ବର ଜିଲ୍ଲା ‌ବସ୍ତା ବ୍ଲକରେ ସୁବିଧା କେନ୍ଦ୍ର ଚୟନରେ ଅନିୟମିତତା ହୋଇଥିବା ‌ଅଭିଯୋଗ କରି ଆଜି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର କିଛି ମହିଳା ଆଇସିଡିଏସ୍‌(ସମନ୍ବିତ ଶିଶୁ ବିକାଶ ଯୋଜନା)ର ସଂଯୋଜକଙ୍କୁ ଘେରିବା ପରେ ରାସ୍ତାରେ ଗୋଡ଼ା‌ଇ ଗୋଡ଼ାଇ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ବସ୍ତା ଥାନାରେ ଏନେଇ ଉଭୟ ମହିଳା‌ ଗୋଷ୍ଠୀ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ତରଫରୁ ଦିଆଯାଇଥିବା ଲିଖିତ ଅଭିଯୋଗରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ଏହି ବ୍ଲକ୍ କୁଡିଆ ପଞ୍ଚାୟତର କୁଡ଼ିଆ ଗ୍ରାମରେ ଏକ ସୁବିଧା କେନ୍ଦ୍ର ଚୟନରେ ଅନିୟମିତତା ହୋଇଥିଲା। ଏନେଇ ପୂର୍ବରୁ ଏକାଧିକ ବାର ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ଏଥିରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ଆଜି କୁଡ଼ିଆ ଗ୍ରାମର ୪ଟି ଏସ୍‌ଏଚ୍‌ଜିର ୩୦ରୁ ଅଧିକ ମହିଳା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ମହିଳା ଶିଶୁ ବିକ‌ା‌ଶ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଉକ୍ତ ଅନିୟମିତତା ବିଷୟରେ ସଂଯୋଜକ ଗଜେନ୍ଦ୍ର ମଲ୍ଲିକଙ୍କୁ ପଚାରିଥିଲେ। ମାତ୍ର ଏହି ଚୟନ ପୂର୍ବରୁ ହୋଇ ସାରିଥିବା ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। କିନ୍ତୁ ସରକାରୀ ନିୟମ ଅନୁଯାୟୀ ଚୟନ କରା ନଯାଇ ତରବରିଆ ଭାବେ ଅନ୍ୟ ଏକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କେଉଁ ଆଧାରରେ ବଛାଗଲା ବୋଲି ମହିଳାମାନେ ଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସେ ଉତ୍‌କ୍ଷିପ୍ତ ହୋଇ ଜଣେ ମହିଳାଙ୍କ ହାତକୁ ମୋଡ଼ି ଦେଇଥିଲେ। ଫଳରେ ସେଠାରେ ଉପସ୍ଥିତ ସମସ୍ତ ମହିଳା ଏହି ଶ୍ରୀ ମଲ୍ଲିକ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ଅଧିକାରୀ ଜଣକ ଦଉଡ଼ି ବ୍ଲକ୍ କାର୍ଯ୍ୟାଳୟର ଅଡିଟ୍‌ ରୁମ୍‌କୁ ପଶି ଯାଇଥିଲେ।

ତେବେ ଉତ୍ତ୍ୟକ୍ତ ମହିଳା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରେ ପହଞ୍ଚି ମଧ୍ୟ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ଲକର ଅନ୍ୟ କର୍ମଚାରୀମାନେ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ପ୍ରଥମେ ମହିଳାମାନଙ୍କ ତରଫରୁ ବସ୍ତା ଥାନାରେ ଅଭିଯୋଗ କରିଥିବା ବେଳେ ବ୍ଲକ୍ ତରଫରୁ ମଧ୍ୟ ଅନ୍ୟ ଏକ ପୃଥକ୍ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ହେଉନାହିଁ। ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର