ଆଠଗଡ଼ ବନଖଣ୍ଡରେ ଶିକାରୀଙ୍କ ଖୋଲା ଚାଲେଞ୍ଜ: ପୁଣି ଏକ ଦନ୍ତାକୁ ଗୁଳିମାଡ଼!

‘ଟ୍ରାଙ୍କୁଲାଇଜ ପରେ ଦନ୍ତାହାତୀର ଚିକିତ୍ସା ଆରମ୍ଭ, ହାତୀର ବାମ ଦାନ୍ତ ଗାଏବ୍

କଟକ/ନରସିଂହପୁର : ପୁଣି ନରସିଂହପୁରରେ ଏକ ଗୁଳିବିଦ୍ଧ ଦନ୍ତାହାତୀକୁ ଉଦ୍ଧାର କରାଯାଇଛି। ହାତୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଛି। ଦନ୍ତାହାତୀର ବାମପାର୍ଶ୍ବ ଦାନ୍ତ ନଥିବା ଜଣାପଡିଛି। ଏପଟେ କିନ୍ତୁ ଆଠଗଡ଼ ଡିଏଫ୍‌ଓ ଗୁଳିମାଡ ଘଟଣାକୁ ଅସ୍ବୀକାର କରିବା ସହ ସେହି ପୁରୁଣା କଥାକୁ ଦୋହରାଇଛନ୍ତି। ପରସ୍ପର ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଯୋଗୁଁ ଦନ୍ତାହାତୀର ଦାନ୍ତ ଭାଙ୍ଗିଥିବା ଓ ‌ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଏହି ହାତୀର ବୟସ ୪୦ ବର୍ଷ। ନରସିଂହପୁର ପୂର୍ବାଞ୍ଚଳ ବନ ବିଭାଗ ଅଧୀନ ନୂଆଗଡ଼ ସଂରକ୍ଷିତ ଜଙ୍ଗଲ ଚତରାପଦା ବିଟ୍‌ ଅଞ୍ଚଳରେ ଗୁଳିବିଦ୍ଧ ଦନ୍ତା ହାତୀ ବୁଲିବା ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଆଜି ବନ ବିଭାଗ ତାକୁ ଉଦ୍ଧାର କରିବାକୁ ପଦକ୍ଷେପ ନେଇଥିଲା। ହାତୀ ଦେହରେ ୩ଟି ଦେଶୀଗୁଳି ବାଜିଥିବା ଚର୍ଚ୍ଚା ‌ହେଉଥିବାବେଳେ ବନବିଭାଗ କିନ୍ତୁ ପୂର୍ବଭଳି ଏଥର ବି ଗୁଳିମାଡ ଘଟଣାକୁ ଅସ୍ବୀକାର କରିଛି। ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି। ସାତକୋଶିଆ ଭିଏସ୍‌ଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରାଯାଉଛି, ଚିକିତ୍ସା ସମୟରେ ଗୁଳିମାଡ଼ର କୌଣସି ସୂଚନା ମିଳି ନଥିବା ଆଠଗଡ଼ ଡିଏଫ୍‌ଓ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି। ମାତ୍ର ହାତୀ ଦେହରେ କ୍ଷତ ଥିବାବେଳେ କ୍ଷତ କେଉଁ କାରଣରୁ ହୋଇଛି, ତା’ର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି। ଆଠଗଡ଼ ବନଖଣ୍ଡରେ ଏଭଳି ବାରମ୍ବାର ହାତୀଙ୍କୁ ଗୁଳି, ମାଟିତଳୁ କଙ୍କାଳ ଜବତ୍‌ ଘଟଣା ପରେ ସରକାର ଏସ୍‌ଆଇଟି ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ତଦନ୍ତ କରି ରିପୋର୍ଟ ସରକାରଙ୍କୁ ଦେବା କଥା। କିନ୍ତୁ, ଏହି ଟିମ୍‌ର ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ସରକାରଙ୍କ ନିକଟରେ ଦାଖଲ କରାଯାଇନଥିବା ଜଣାପଡିଛି।

ହାତୀ ଲଢେଇରେ ଦାନ୍ତ ଭାଙ୍ଗିଛି, ଗୁଳିମାଡ ହୋଇନି: ଡିଏଫ୍‌ଓ

ଗୁରୁବାର ଦିନ ଚତରାପଦା ଜଙ୍ଗଲରୁ ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ବନବିଭାଗ ଧରିବା ସହ ହାତୀର ଚିକିତ୍ସା ଆରମ୍ଭ କରିଛି। ଏହି ଘଟଣାକୁ ମିଶାଇ କେବଳ ନରସିଂହପୁର ଜଙ୍ଗଲରେ ୩ଟି ଦନ୍ତାହାତୀକୁ ଗୁଳିମାଡ଼ କରାଯାଇଥିବାବେଳେ ୨ଟି ହାତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସପ୍ତାହେ ତଳେ ବନବିଭାଗ ଓ ଏସ୍‌ଆଇଟି ବେଗୁନିଆରୁ ହାତୀ ଶିକାର ଘଟଣାରେ କିଙ୍ଗ୍‌ପିନ୍‌ ଶେଖ୍‌ ରଜାକ୍‌କୁ ଗିରଫ କରିଥିଲେ। ଆଠଗଡ଼ ବନଖଣ୍ଡ ପକ୍ଷରୁ ହାତୀ କଙ୍କାଳ ମାଟି ତଳୁ ଉଦ୍ଧାର ହେବା ଘଟଣା ଓ ହାତୀ ମୃତ୍ୟୁ ଘଟଣାରେ ବନକର୍ମଚାରୀଙ୍କୁ ଗିରଫଦାରୀ ପରେ ବି ଏଭଳି ଘଟଣା ଘଟିବା ଉଦ୍‌ବେଗର କାରଣ ହୋଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଜୁଲାଇ ୨୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ବିଟ୍‌ ହାଉସ୍‌ ନିକଟରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଏହାର ଠିକ୍‌ ୨୦ ଦିନ ପରେ ଏଭଳି ଘଟଣା ଘଟିବା ନରସିଂହପୁର ବନାଞ୍ଚଳରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର