ସିଗାରେଟ ନଦେବାରୁ ଦୋକାନୀଙ୍କୁ ଗୁଳିମାଡ଼

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଶଗଡ଼ପଟା ପଞ୍ଚାୟତ ଖଡ଼ିବାହାଳି ଛକରେ ଗତକାଲି ରାତି ପ୍ରାୟ ସାଢ଼େ ୯ଟାବେଳେ ସିଗାରେଟ୍‌ ନ ଦେବାରୁ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଏଥିରେ ଦୋକାନୀ ଶଗଡ଼ପଟା ପାଞ୍ଚାୟତ ବେଡ଼ାଦୁମା ଗ୍ରାମର ଜଗବନ୍ଧୁ ମହାପାତ୍ର (୫୬) ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଜଗବନ୍ଧୁଙ୍କ ପୁଅ ପିଣ୍ଟୁଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାବେଳେ ଦୋକାନ ବନ୍ଦ କରି ସେ ଶୌଚ ହେବା ପାଇଁ ଯାଇଥିଲେ। ବାପା ଜଗବନ୍ଧୁ ଦୋକାନ ଅଗଣାରେ ଝାଡ଼ୁ ମରୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ଘସିପୁରା ଥାନା ବରିପାଳ ଗ୍ରାମର ମନୋଜ ପାତ୍ର (ସିପୁ) ଏବଂ ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ କମଳାଙ୍ଗି ଗ୍ରାମର ପୃଥ୍ବୀରାଜ ମହାନ୍ତ (ସିପୁନ) ମାତାଲ ଅବସ୍ଥାରେ ଆସି ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ। ତେବେ ଦୋକାନ ବନ୍ଦ ହୋଇଯାଇଥିବାରୁ ସେ ସିଗାରେଟ ଦେବାକୁ ମନା କରିଥିଲେ। ଏହାକୁ କେନ୍ଦ୍ରକରି ଜଗବନ୍ଧୁଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ସିପୁ ଉତ୍ତ୍ୟକ୍ତ ହୋଇ ଜଗବନ୍ଧୁଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ତାଙ୍କ ବେକରେ ବାଜିଥିଲା।

ଗୁଳି ଫୁଟିବା ଶବ୍ଦ ଶୁଣି ପିଣ୍ଟୁ ଦୋକାନକୁ ଦୌଡ଼ି ଆସିଥିଲେ। ତାଙ୍କୁ ଦେଖି ଉଭୟ ସିପୁ ଏବଂ ସିପୁନ ସେଠାରୁ ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଜଗବନ୍ଧୁଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ହରିଚନ୍ଦନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁଳିର ଖୋକା ଜବତ କରିଛି। ଜଗବନ୍ଧୁଙ୍କ ଜ୍ୱାଇଁ ପଦ୍ମନାଭ ନାୟକଙ୍କ ଏତଲାକୁ ଭିତ୍ତି କରି ହରିଚନ୍ଦନପୁର ଥାନା ଅଧିକାରୀ ସୁସ୍ମିତା ଦେବତା କେସ୍‌ ନମ୍ବର ୭୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର