ଶ୍ରଦ୍ଧାଞ୍ଜଳି ପାଇଲେ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର

ଭୁବନେଶ୍ବର : ପୁସ୍ତକ ‘ଶ୍ରୀମୟୀ ମା’ର ଅନୁବାଦ ପାଇଁ ଓଡ଼ିଆ ଅନୁବାଦିକା ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କୁ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଛି। ଅକାଦେମି ପକ୍ଷରୁ ସନ୍ଧ୍ୟାରେ ଅଗରତାଲାର ସୁକାନ୍ତ ଏକାଡେମି ସଭାକକ୍ଷରେ ଅନୁଷ୍ଠିତ ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରଦ୍ଧାଞ୍ଜଳିଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ର ଫଳକ ଦେଇ ସମ୍ବର୍ଧିତ କରାଯାଇଛି। ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବର ଏହି ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟ ୨୩ଟି ଭାଷାର ଅନୁବାଦକ/ଅନୁବାଦିକାଙ୍କ ସମେତ ଶ୍ରଦ୍ଧାଞ୍ଜଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ବିଖ୍ୟାତ ବଙ୍ଗଳା ଔପନ୍ୟାସିକ ନବକୁମାର ବସୁଙ୍କ ଯୁଗ୍ମ ଉପନ୍ୟାସ ‘ଶ୍ରୀମୟୀ ମା’ର ଅନୁବାଦ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବ ଅବସରରେ ମୁଦ୍ରିତ ସ୍ବତନ୍ତ୍ର ପୁସ୍ତିକାରେ ଏହି ଅନୁଦୂତ କୃତିର ଉଚ୍ଚ ପ୍ରଶଂସା କରି କୁହାଯାଇଛି ଯେ ‘ଅନୁବାଦିକା ଉନବିଂଶ ଶତାବ୍ଦୀର ସମାପ୍ତି ତଥା ବିଂଶ ଶତାବ୍ଦୀ ଆରମ୍ଭ ସମୟର କଲିକତାର ଚିତ୍ର, ଚରିତ୍ର ଓ ସାଂସ୍କୃତିକ ପରିବେଶକୁ ଅନୁବାଦରେ ଜୀବନ୍ତ ଭାବେ ଚିତ୍ରିତ କରିବାରେ ସଫଳ ହୋଇଛନ୍ତି। ମୂଳ ରଚନାର ସ୍ବାଦ ଓ ପ୍ରବହମାନତାକୁ ବିନା କୌଣସି କୃତ୍ରିମତାରେ ସଫଳ ଭାବେ ରୂପାୟନ କରିପାରିଛନ୍ତି ବୋଲି କୁହାଯାଇଛି।

ଏହି ଅବସରରେ କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅକାଦେମିର ସଚିବ କେ.ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ଅକାଦେମିର ଉପସଭାପତି ମାଧବ କୌଶିକ ଅନୁବାଦ ଅନୁବାଦିକାଙ୍କ ଗୁରୁତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶନିବାର ଅନୁବାଦକ ଅନୁବାଦିକାଙ୍କୁ ନେଇ ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ସେମାନେ ନିଜ ଅନୁବାଦର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିବେ।

ସମ୍ବନ୍ଧିତ ଖବର