ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପ‌ରେ ଲାଗିଲା କଟକଣା, ମେ’ ୧୫ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଆଖି ଆଗରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସଂକ୍ରମଣକୁ କମ କରିବା ପାଇଁ ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ‌ଶ୍ରୀମନ୍ଦିରରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ। ଆଜିର ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ,

୧. ଶ୍ରୀ ଜଗନ୍ନାଥ ମନ୍ଦିର ଜନସାଧାରଣଙ୍କ ପାଇଁ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ। ସେବାୟତ ଏବଂ ମନ୍ଦିର ଅଧିକାରୀଙ୍କ ସହାୟତାରେ ସମସ୍ତ ଦୈନନ୍ଦିନ ରୀତିନୀତି ଜାରି ରହିବ।

୨. କରୋନା ଭୂତାଣୁର ଶୀଘ୍ର ଚିହ୍ନଟ ଏବଂ ପ୍ରଭାବଶାଳୀ ଚିକିତ୍ସା ଯୋଗାଇ ଦେବା ପାଇଁ ସେବାୟତଙ୍କ ପରିବାର ଏବଂ ମନ୍ଦିର ଅଧିକାରୀଙ୍କର ନିୟମିତ ସ୍କ୍ରିନିଂ ଏବଂ ପରୀକ୍ଷା କରାଯିବ।

୩. ଆବଶ୍ୟକତା ଅନୁଯାୟୀ ନୀଳାଚଳ ଯାତ୍ରୀ ନିବାସରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ କେୟାର ସେଣ୍ଟର ଆହୁରି ମଜବୁତ ହେବ। ଏହା ସହିତ  କୋଭିଡ କେୟାର ସେଣ୍ଟରର ନିରନ୍ତର ସମୀକ୍ଷା କରାଯିବ।

୪. ଗୁରୁତର କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର ବ୍ୟବସ୍ଥା ନିରାପଦରେ କରାଯିବ। ପ୍ରଶାସକ -ବିକାଶ, ମନ୍ଦିର ପ୍ରଶାସନ ପକ୍ଷରୁ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବ। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରର ସମ ଏବଂ ଅନ୍ୟାନ୍ୟ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଉଛି।

୫. ମାସ୍କ, ସାନିଟାଇଜର, ସାମାଜିକ ଦୂରତା ନେଇ ସଚେତନ କରାଯିବ।

୬.ଯେଉଁମାନେ ମହାପ୍ରଭୂଙ୍କ ଦୈନିକ ସେବା-ପୂଜାରେ ଜଡିତ ରହିବେ ଏବଂ ରଥ ନିର୍ମାଣରେ ଜଡିତ ରହିବେ ସେମାନଙ୍କ ଟିକାକରଣ ଉପରେ ଧ୍ୟାନ ଦିଆଯିବ।

୭. ରଥ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ରଥ ପରମ୍ପରା ଅନୁଯାୟୀ ଜାରି ରହିବ। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ସମୟରେ ମାସ୍କ ଏବଂ ସାନିଟାଇଜର କ୍ରୟ ପାଇଁ ଅଗ୍ରୀମ ପଦକ୍ଷେପ ଗ୍ରହଣ କରିବ।

ସମ୍ବନ୍ଧିତ ଖବର