ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ଅନୁଧ୍ୟାନ କଲା ଏଏସ୍‌ଆଇ

ପ୍ରତ୍ନତତ୍ତ୍ବ ବିଭାଗ ରିପୋର୍ଟ ଉପରେ ନଜର
ଡିଷ୍ଟୋ ମିଟର ଜରିଆରେ ଗର୍ତ୍ତ, ଖୁଣ୍ଟିର ଲମ୍ବ ଓ ଚଉଡ଼ା ମାପିଲେ
ପ୍ରଶାସନ ଓ ଠିକାସଂସ୍ଥା ସହ ଆଲୋଚନା କଲେ, ମୁହଁ ଖୋଲିଲେନି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବହୁ ବାଦବିବାଦ ଲାଗିବା ପରେ ଶେଷ‌ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଏକ ଦଳ ନିର୍ମାଣ ଓ ଖନନର ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ଫାଟ ଅନୁଧ୍ୟାନ କରିବା ସହ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣସ୍ଥଳ ବୁଲି ଦେଖିଛନ୍ତି। ଯେଉଁ ସବୁ ପିଲାର ଗଢ଼ାଯାଇଛି, ତାହା କେତେ ଗଭୀରରୁ କରାଯାଇଛି, ଏହାର ଲମ୍ବ ଓ ଓସାର କେତେ, କେତେ ଚଉଡ଼ାରେ ଏହି ଖନନ ଓ ନିର୍ମାଣ କରିଛନ୍ତି ସେନେଇ ଡିଜିଟାଲ୍‌ ଡିଷ୍ଟୋ ମିଟର(ଚଉଡ଼ା ମାପ ଯନ୍ତ୍ର) ଜରିଆରେ ସବୁର ଟିକିନିଖି ମାପଚୁପ କରିଛନ୍ତି। ଏହି ନିର୍ମାଣ ଓ ଖନନ ଶ୍ରୀମନ୍ଦିରଠାରୁ କେତେ ଦୂରରେ କରାଯାଇଛି, ତାର ଅନୁଧ୍ୟାନ କରିଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗର ଏହି ଅନୁଧ୍ୟାନ ରିପୋର୍ଟ ଉପରେ ହାଇକୋର୍ଟଙ୍କ ରାୟ ନିର୍ଭର କରୁଥିବାରୁ ଏ ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ହୁଅନ୍ତୁ କି ପ୍ରଶାସନ, କେହି ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ବ୍ୟାପକ ଓ ନିର୍ମାଣ ଚାଲିଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ପଷ୍ଟ କରିସାରିଛି। ତଥାପି ନିରବ ରହିଛି ପ୍ରତ୍ନତତ୍ତ୍ବ ବିଭାଗ। କେବଳ ଚିଠିରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଯାହା ସାଢ଼େ ୪ କୋଟି ଓଡ଼ିଆଙ୍କ ମନରେ ସନ୍ଦେହ ସୃ‌ଷ୍ଟି କରିଛି। ଏହି ବେଆଇନ୍‌ ଖନନ ଓ ନିର୍ମାଣ ପଛରେ ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗର ପ୍ରଛନ୍ନ ହାତ ରହିଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ୯ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦର ପରବର୍ତ୍ତୀ ଶୁଣାଣି ହେବ। ଏହାର ଦୁଇଦିନ ପୂର୍ବରୁ ସତ୍ୟପାଠ ଜରିଆରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପ୍ରତ୍ନତତ୍ତ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର କୋଲକାତାସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରୀଙ୍କ ନେତୃତ୍ବରେ ଭୁବନେଶ୍ବର ସର୍କଲ୍‌ ଅଧୀକ୍ଷକ ଅରୁଣ ମଲ୍ଲିକ, ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ, ପୁରୀ ସର୍କଲ୍‌ ସହକାରୀ ସଂରକ୍ଷକଙ୍କ ସହ ପ୍ରତ୍ନତତ୍ତ୍ବ ବିଭାଗର ଇଂଜିନିୟରମାନେ ଗତକାଲି ସକାଳ ପ୍ରାୟ ସାଢ଼େ ୭ଟାରେ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ପ‌ରେ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ।

ଶ୍ରୀମନ୍ଦିରର କେଉଁ ସବୁ ସ୍ଥାନରେ ନୂଆ ଫାଟ ସୃଷ୍ଟି ହୋଇଛି, ତାହାର ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିରରୁ ବାହାରିବା ପରେ ପ୍ରଥମେ ଉତ୍ତରଦ୍ବାରର ଚାଲିଥିବା ଖନନସ୍ଥଳ ଅନୁଧ୍ୟାନ କରିଥିଲେ। ଖନନସ୍ଥଳରେ ମାପଚୁପ କରିଥିଲେ। ପରେ ପଶ୍ଚିମଦ୍ବାରକୁ ଯାଇ ନିର୍ମାଣାଧୀନ ଘର, ପିଲାର ଆଦିର ଅନୁଧ୍ୟାନ କରିଥିଲେ। କେତେ ଦୂର ଖନନ ହୋଇଛି, କେତେ ସଂଖ୍ୟାର ଓ କେତେ ମୋଟାର ପିଲାର ଗଢ଼ାଯାଇଛି, କେତେ ଘର ନିର୍ମାଣ କରାଯାଇଛି, କେତେ ଓସାର ଓ ଲମ୍ବରେ ଖୋଳାଯାଇଛି, ସବୁର ଅନୁଧ୍ୟାନ କରିଥିଲେ। ପରେ ଦକ୍ଷିଣଦ୍ବାର ଓ ପୂର୍ବ-ଦକ୍ଷିଣଦ୍ବାର କୋଣ ଖନନ ଓ ନିର୍ମାଣସ୍ଥଳ ଅନୁଧ୍ୟାନ କରିଥିଲେ। ପ୍ରତ୍ନତତ୍ତ୍ବ ବିଭାଗ ସହ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଓବିସିସିର ଅଧିକାରୀ, ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର ଅଧିକାରୀମାନେ ଅନୁଧ୍ୟାନ ବେଳେ ଉପସ୍ଥିତ ଥିଲେ। ପ୍ରାୟ ଦେଢ଼ରୁ ୨ ଘଣ୍ଟାର ଅନୁଧ୍ୟାନ ପରେ ନୀଳାଦ୍ରି ଭକ୍ତ ନିବାସରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ, ଓବିସିସି, ଠିକାସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରାୟ ଅଧଘଣ୍ଟାର ଆଲୋଚନା ପରେ ଏହି ଦଳ ଫେରି ଯାଇଛନ୍ତି।

ସମ୍ବନ୍ଧିତ ଖବର