ଜାଲରେ ପଡ଼ିଲା ୬ ଟନ୍‌ ‘ଇଲା ମାଛ’

ଧାମରା : ବୋଟ୍‌ରୁ ଜେଟି, ଯୁଆଡ଼େ ଚାହିଁଲେ ଖାଲି ମାଛ ଆଉ ମାଛ। ପୁଣି ଜଣେ କି ଦୁଇଜଣ ନୁହେଁ, ମାଛ କାଢ଼ିବା କାମରେ ଲାଗିଥିଲେ ଶତାଧିକ ଲୋକ। ଭଦ୍ରକ ଜିଲ୍ଲା ଧାମରା ଜେଟିରେ ଆଜି ଏତେ ସଂଖ୍ୟାରେ ମାଛ ଦେଖି ସ୍ଥାନୀୟ ଲୋକମାନେ ବି ତାଜୁବ୍ ହୋଇଥିଲେ।

ସୂଚନା ମୁତାବକ, ଧାମରା କରଣପଲ୍ଲୀରେ ରହୁଥିବା ବିକି ମଣ୍ଡଳଙ୍କ ଯନ୍ତ୍ରଚାଳିତ ମାଛଧରା ବୋଟ୍‌ (ମା ଶୀତଳା-୩୪) ଗତକାଲି ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲା। ଗଭୀର ସମୁଦ୍ର ଭିତରେ ବୋଟ୍‌ଟି ଥିବା ସମୟରେ ହଠାତ ଶହଶହ ମାଛ ଜାଲରେ ଲାଗିଥିଲେ। ମାଛର ପରିମାଣ ଏତେ ଅଧିକ ଥିଲା ଯେ, ବୋଟ୍‌ ଚାଳକ ଓ ତାଙ୍କ ସହଯୋଗୀ ବାଧ୍ୟ ହୋଇ ଜାଲକୁ ଅଧାରୁ କାଟି ସମୁଦ୍ରରେ ଭସାଇ ଦେଇଥିଲେ ଏବଂ ଅବଶିଷ୍ଟ ମାଛ ଧରି କୂଳକୁ ଫେରିଥିଲେ। ଶନିବାର ସକାଳେ ଧାମରା ଜେଟିରେ ବୋଟ୍‌ ଲାଗିବା ପରେ ମାଛ ଦେଖିବା ପାଇଁ ସେଠାରେ ବହୁସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଜାଲରୁ ପାଖାପାଖି ୬ ଟନ୍‌ରୁ ଅଧିକ ମାଛ ବାହାର କରାଯାଇଥିଲା। ‘ଇଲିସି’ ପରି ଅବିକଳ ଦେଖାଯାଉଥିବା ଏହି ମାଛର ନାମ ହେଉଛି ‘ଇଲା’। ତେବେ ଏହି ମାଛର ବଜାର ମୂଲ୍ୟ କେଜି ପିଛା ୭୦ରୁ ୧୦୦ ଟଙ୍କା ଭିତରେ ରହୁଥିବା ଏବଂ ଧାମରାଠାରେ ଏତେ ପରିମାଣର ମାଛ ବିକ୍ରି ସମ୍ଭବ ନ ଥିବାରୁ ସେସବୁ ପଶ୍ଚିମବଙ୍ଗର ଦୀଘାକୁ ପଠାଯାଇଛି ବୋଲି ଶ୍ରୀ ମଣ୍ଡଳ କହିଛନ୍ତି।

ସମ୍ବନ୍ଧିତ ଖବର