ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ, ୫୦ଟି ସ୍କୁଲର କାର୍ଯ୍ୟ ସଂପୂର୍ଣ୍ଣ

ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ ସାକାର କରିବ ଓ ନୂଆ ଓଡିଶାର ଭିତ୍ତି ପକାଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ।

କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ତାର ସୁନ୍ଦର ଭବିଷ୍ୟତ ପାଇଁ ତା’ ଆଖିରେ ଥାଏ ଅନେକ ସ୍ବପ୍ନ ଓ ଏହି ସ୍ବପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡ଼ିଶା, ନବୀନ ଓଡ଼ିଶାର ଲକ୍ଷ୍ୟ । ଏହି ରୂପାନ୍ତରଣକୁ ନୂଆ ଓଡ଼ିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ କରି ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।

୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତରଣ ହେଉଛି ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟେକ୍ନୋଲୋଜୀ, ଟିମ୍‌ଓ୍ଵାର୍କ, ଟାଇମ୍‌, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫରମେସନ। ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । ଟେକ୍ନୋଲୋଜୀ  ଆମକୁ ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ମର୍ଡନ ଲାଇବ୍ରେରୀର ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି ଟିମ୍‌ଓ୍ଵାର୍କ। ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି।

୫-ଟିର ତୃତୀୟ ଆଧାର ହେଉଛି ଟାଇମ୍‌। ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ମୁଁ ପ୍ରଶାସନକୁ ଟାର୍ଗେଟ ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ।

୫-ଟିର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆଧାର ହେଲା ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତା। ସ୍କୁଲମାନଙ୍କରେ ଯାହାକିଛି ପରିବର୍ତ୍ତନ ଆସିଛି, ଲୋକଙ୍କ ସହ ଆଲୋଚନା କରି କରାଯାଇଛି । ଭିଜନ ଡକ୍ୟୁମେଣ୍ଟଠାରୁ ଆରମ୍ଭ କରି ଖର୍ଚ୍ଚ ବିଷୟରେ ଲୋକମାନେ ସବୁ ବିଷୟରେ ଅବଗତ ଅଛନ୍ତି । ସେମାନେ ନିଜେ ମଧ୍ୟ କାମ ତଦାରଖ କରିଛନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍‌ଧତା । ଏସବୁ କିଛି ଆଣିପାରିଛି ରୂପାନ୍ତର ଏବଂ ଯାହା କି ସମସ୍ତେ ଦେଖି ପାରୁଛନ୍ତି ଓ ଅନୁଭବ ମଧ୍ୟ କରିପାରୁଛନ୍ତି ।

ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବଡ ପ୍ରେରଣା । ଏହା ସାରା ରାଜ୍ୟରେ ମଧ୍ୟ ସମ୍ଭବ। ଗଞ୍ଜାମରେ ଏହାର ସଫଳତା ହେଉଛି ଗୋଷ୍ଠୀର ଅଂଶଗ୍ରହଣ । ଆପଣ ଗଞ୍ଜାମରେ ଯଦି କିଛି କାମ ପାଇଁ ଏକ ଲକ୍ଷ ଟଙ୍କା ଦେବେ, ତେବେ ସେମାନେ ଆପଣଙ୍କ ଦୁଇ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ସେହିପରି ୫ ଲକ୍ଷ ଦେଲେ, ୮ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ଗଞ୍ଜାମର ଏହି ଗୋଷ୍ଠୀଚେତନା ହିଁ ଗଞ୍ଜାମର ସବୁଠାରୁ ବଡ ଶକ୍ତି ଓ ସଫଳତା। ସାରା ରାଜ୍ୟରେ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ମିଳିମିଶି କାମ କଲେ ତାହା ହିଁ ଆଣିବ ଓଡ଼ିଶାର ପ୍ରକୃତ ରୂପାନ୍ତର।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲଗୁଡ଼ିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୋଡ଼ିଏ ଜଣ ବିଧାୟକ ଓ ମନ୍ତ୍ରୀ ଭାଗ ନେଇଥିଲେ ।ସେମାନେ ସ୍କୁଲ ରୂପାନ୍ତରୀକରଣ କାମର ଉଚ୍ଚ ପ୍ରଶଂସା କରିଥିଲେ ।
୫ଟି ସଚିବ  ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର