ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମାଆଙ୍କର ପ୍ରାଣହାନି

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ବାପା ମୃତ୍ୟୁବରଣ କରିଥିବାବେଳେ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତର ଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମା ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଖବର ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ ବସିରା ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ପୁଅ ଧ୍ୟାନ ମୁଣ୍ଡା ଟାଙ୍ଗିଆ ଦ୍ୱାରା ଆକ୍ରମଣ କରିବାରୁ ଟାଙ୍ଗିଆ ଚୋଟରେ ବାପା ଗୁରୁଚରଣ ଓ ମା ପାଲ ମୁଣ୍ଡା ଙ୍କ ମୃତ୍ୟୁ ଘଟିଛି। ସକାଳେ ଧ୍ୟାନ ଘର ଅଗଣାରେ କାଠ କାଟୁଥିବା ସମୟରେ ବାପା ବାରଣ କରିବାରୁ ପ୍ରଥମେ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବାବେଳେ ମା ଛଡ଼ାଇବାକୁ ଆସି ଆକ୍ରମଣର ଶିକାର ହୋଇ ଥିଲେ। ଘଟଣା ସ୍ଥଳରେ ବାପା ଗୁରୁଚରଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ମା ପାଲ ମୁଣ୍ଡାକୁ ଘର ପାଖ ଲୋକ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି।

ଖବର ପାଇ ଚମ୍ପୁଆ ଥାନା ଅଧିକାରିଣୀ ଦେବକୀ ନାଏକ ଓ ଏସଡିପିଓ ବିଜୟ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଗତ କିଛି ବର୍ଷ ହେବ ଧ୍ୟାନର ସ୍ତ୍ରୀ ସଂସଦ ଘର ଛାଡି ଅନ୍ୟତ୍ର ରହୁଥିବା ବେଳେ ଘରେ ଧ୍ୟାନ ତା’ର ବାପା ମା ଓ ଦୁଇପୁଅଙ୍କ ସହ ରହି ଆସୁଥିଲେ। ତେବେ କିଛିଦିନ ହେବ ଧ୍ୟାନର ମାନସିକ ସ୍ଥିତି ଭଲ ନ ଥିବା ବେଳେ ସେ ବହୁ ସମୟ ଘର ଭିତରେ ନିଜେ ରହିଆସୁଥିଲା ବୋଲି ଜଣାପଡିଛି। ଚମ୍ପୁଆ ପୁଲିସ ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡାକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର