ଜାତୀୟ କବି ବୀର କିଶୋର ଦାସଙ୍କ ପୁତ୍ରଙ୍କ ପରଲୋକ

ଭୁବନେଶ୍ବର : ଜାତୀୟ କବି ବୀର‌କିଶୋର ଦାସଙ୍କ ଜ୍ୟେଷ୍ଠପୁତ୍ର ନିରଞ୍ଜନ କିଶୋର ଦାସଙ୍କର ଗତକାଲି ପରଲୋକ ଘଟିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୬ ମସିହା ସେପ୍ଟେମ୍ବର ୨୭ ତାରିଖରେ କଟକରେ ଜନ୍ମିତ ସ୍ବର୍ଗତ ଦାସ ପେସାରେ ଜଣେ ଇଂଜିନିୟର୍‌ ଥିଲେ। ସେ ଯାଦବପୁର ଇଂଜିନିୟରିଂ କଲେଜରୁ ଇଂଜିନିୟରିଂ ପାଠ ପଢ଼ା ସାରି ଓଡ଼ିଶା ଷ୍ଟେଟ୍‌ ଇଲେକ୍ଟ୍ରିସିଟି ବୋର୍ଡ (ଓଏସ୍‌ଇବି)ରେ ଇଂଜିନିୟର୍‌ ଭାବେ ଯୋଗ ଦେଇଥିଲେ। ପରେ ସେ ଓଏସ୍‌ଇବିର ମୁଖ୍ୟ ଇଲେକ୍ଟ୍ରିକାଲ୍‌ ଇଂଜିନିୟର୍‌ ପଦକୁ ପଦୋନ୍ନତି ପାଇଥିଲେ। ନିଜ ବୃତ୍ତିଗତ ଜୀବନରେ ସେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଲମ୍ବା ସମୟ ପାଇଁ ସେବା ଯୋଗାଇଥିଲେ। ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ସ‌ଂଯୋଗ ଓ ଆଲୋକୀକରଣ କରିବ‌ା ଅଭିଯାନରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ କୃଷିକ୍ଷେତ୍ରରେ ଉଠା ଜଳସେଚନ ବ୍ୟବସ୍ଥାରେ ବିଦ୍ୟୁତ୍‌ ସଂଯୋଗକୁ ସ୍ବର୍ଗତ ଦାସ ଅଗ୍ରାଧିକାର ଦେଇଥିଲେ। ଫଳରେ ବହୁ ଉଠା ଜଳସେଚନ ପଏଣ୍ଟ୍‌ ସବୁ ନିର୍ମିତ ହେବା ସହ କୃଷିକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଥିଲା ଓ ଚାଷ କାର୍ଯ୍ୟ ଅଧିକ ସରଳ ହୋଇପାରିଥିଲା। ସେ ୧୯୮୫ ମସିହାରେ ଟିଡିସିର ଜଣେ ସଦସ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ଦାସ ଶ୍ରୀମା’, ଶ୍ରୀଅରବିନ୍ଦଙ୍କର ଜଣେ ମହାନ୍‌ ଭକ୍ତ ଥିଲେ ଏବଂ ଭୁବନେଶ୍ବରର ପ୍ରଥମ ଶ୍ରୀଅରବିନ୍ଦ ସ୍କୁଲ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସ୍ବର୍ଗତ ଦାସଙ୍କର ଦୁଇ ପୁଅ ଓ ଦୁଇ ଝିଅ। ବଡ଼ପୁଅ ଇଂଜିନିୟର ବିଶ୍ବଜିତ ଦାସ ଭୁବନେଶ୍ବରର ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି। ବଡ଼ ଜ୍ବାଇଁ ଅଜିତ୍‌ ପଟ୍ଟନାୟକ ମଧ୍ୟ ଜଣେ ପ୍ରତିଷ୍ଠିତ ରେଲୱେ ଅଧିକାରୀ। ନିରଂଜନ ଦାସଙ୍କ ବିୟୋଗରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର