ସ୍ବତନ୍ତ୍ର ଓଜେଇଇ ଫଳ ପ୍ରକାଶ: ୨୨,୩୪୩ ଜଣଙ୍କୁ ରାଙ୍କ୍‌

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ/ବିଶ୍ବବିଦ୍ୟାଳୟର ବି.ଟେକ୍‌, ଏଲ୍‌ଇ-ଟେକ୍‌(ଡିପ୍ଲୋମା), ଏଲ୍‌ଇ-ଟେକ୍‌(ବି.ଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌. ଫାର୍ମା, ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଫଳ ସୋମବାର ଦିନ ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ପରୀକ୍ଷା ପାଇଁ ୨୮ ହଜାର ୬୫୫ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୨୨ ହଜାର ୪୦୬ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ହଜାର ୩୪୩ଜଣଙ୍କୁ ରୢାଙ୍କ୍‌ ପ୍ରଦାନ କରାଯାଇଛି। ବିଟେକ୍‌ରେ ସର୍ବାଧିକ ୭୨୬୬ଜଣଙ୍କୁ ରୢାଙ୍କ ମିଳିଥିବା ବେଳେ ଏଲ୍‌ଇ-ଟେକ୍‌(ଡିପ୍ଲୋମା)ରେ ୪୬୦୪, ଏମ୍‌ବିଏରେ ୪୫୬୬, ବି.ଫାର୍ମାରେ ୩୨୪୩, ଏମ୍‌ସିଏ/ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ)ରେ ୨୧୬୫ ଜଣଙ୍କୁ ରୢାଙ୍କ ଦିଆଯାଇଛି।

କୃତୀ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ www.ojee.nic.in ରୁ ସେମାନଙ୍କ ରୢାଙ୍କ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ରୢାଙ୍କ୍‌ ପାଇଛନ୍ତି ସେମାନେ ଦ୍ବିତୀୟ ପର୍ଯ୍ୟାୟ ଓଜେଇଇ କାଉନସେଲିଂରେ ଭାଗ ନେଇପାରିବେ। ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ରାଜ୍ୟର ୩୦ଟି ସହରରେ ୩୮ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିସହ କୋଲକାତା, ରାଞ୍ଚି ଓ ପାଟଣାରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଥିଲା।

ସମ୍ବନ୍ଧିତ ଖବର