ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦୁର୍ନୀତି ମାମଲା : ସ୍ୱତନ୍ତ୍ର ଅଡ଼ିଟ୍‌ ଟିମ୍‌ ଯାଞ୍ଚ ଆରମ୍ଭ

ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ଓ ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଆଜି ଠାରୁ ଲୋକାଲ୍‌ ଫଣ୍ଡ୍‌ ଅଡ଼ିଟ୍‌ ନିର୍ଦେଶାଳୟର ତିନି ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରତିନିଧି ଦଳର ପ୍ରାଥମିକ ଯାଞ୍ଚ ରିପୋର୍ଟ ଆଧାରରେ ପରବର୍ତୀ ସ୍ୱତନ୍ତ୍ର ଅଡ଼ିଟ୍‌ ହେବ। ହିସାବ ମିଳୁ ନଥିବା ୧୯କୋଟି ୬୪ଲକ୍ଷ ୨୪ହଜାର ୧୫୧ ଟଙ୍କାର ଖର୍ଚ୍ଚ ଉପରେ ଏହି ଦଳ ତଥ୍ୟ ସଂଗ୍ରହ କରିଥିଲେ। ଟିମ୍‌ର ଯାଞ୍ଚ ବେଳେ ବିଶ୍ୱବିଦ୍ୟାଳୟ ତରଫରୁ ତଦନ୍ତକାରୀ ଦଳକୁ ୧୫ କୋଟି ଖର୍ଚ୍ଚର ହିସାବ ଦିଆ ଯାଇଥିଲା। ତନ୍ମଧ୍ୟରେ ବ୍ୟାଙ୍କ ଜମା ବାବଦକୁ ୯କୋଟି ଟଙ୍କା ରହିଥିବା ବେଳେ ଗବେଷଣା ବାବଦକୁ ୪ କୋଟି ଟଙ୍କାର ଖର୍ଚ୍ଚ ହିସାବ ସଂପର୍କିତ ତଥ୍ୟ ଉପସ୍ଥାପନ କରା ଯାଇଥିଲା। ସେହିପରି ବିଶ୍ୱବିଦ୍ୟାଳୟର ସାଧାରଣ ଆକାଉଣ୍ଟରେ ୨କୋଟି ଟଙ୍କା ଥିବା ବେଳେ ବଳକା ୪କୋଟି ୬୪ଲକ୍ଷ ଟଙ୍କା ଏମ୍‌ଓଡି(ମଲ୍‌ଟି ଅପସନ୍‌ ଡିପୋଜିଟ୍‌) ଓ ଜମା ସୂଧ ବାବଦରେ ରହିଥିବା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ସୂଚନା ଦେଇଥିଲେ। ଅପରପକ୍ଷେ ୭ମ ବେତନ କମିସନ ସୁପାରିସ ଲାଗୁ ଦାବିରେ ବିଶ୍ୱବିଦ୍ୟାଳୟ କର୍ମଚାରୀ ବିକ୍ଷୋଭ ଜାରି ରଖିଥିବାରୁ ଅଡ଼ିଟ୍‌ ଅନୁଧ୍ୟାନ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର