ବନ୍ଧାହେଲେ କୋଟିପତି ଖେଳ ଶିକ୍ଷକ

୪ କୋଟିର ଆୟ ବହିର୍ଭୂ୍ତ ସମ୍ପତ୍ତି ଠାବ, ଆୟଠୁ ୨୩୪ ପ୍ରତିଶତ ଅଧିକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଜୟନ୍ତୀପୁରସ୍ଥିତ ଦିବ୍ୟସିଂହ ବିଦ୍ୟାପୀଠର ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ଆୟ ତୁଳନାରେ ତାଙ୍କ ପାଖରେ ଅଧିକ ୪ କୋଟି ଟଙ୍କାର ସମ୍ପତ୍ତି ରହିଥିବା ଭିଜିଲାନ୍ସ୍ ତଦନ୍ତରୁ ଜଣାପଡ଼ିଛି। ଏହି ୪ କୋଟି ୧ଲକ୍ଷ ୨୭ହଜାର ଟଙ୍କା ସମ୍ପତ୍ତିର ହିସାବ ଦେଇ ପାରି ନଥିବାରୁ ‌ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ୍ ବିଭାଗ ଦନାର୍ଦ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ଖେଳ ଶିକ୍ଷକ ଦନାର୍ଦ୍ଦନଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏଣୁ ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ୍‌ର ଟିମ୍ ଗତ ୫ ତାରିଖରେ ତାଙ୍କ ବ୍ରହ୍ମପୁର ଅନନ୍ତନଗରସ୍ଥିତ ବାସଭବନ ଓ ଜୟନ୍ତୀପୁର ବାସଭବନ ସମେତ ୧୩ଟି ସ୍ଥାନରେ ଏକାଥରକେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ମୋଟ ୩ଲକ୍ଷ ୭୦ହଜାର ନଗଦ ଜବତ ହୋଇଥିଲା।ସ୍ଥାବର ସମ୍ପତ୍ତି ତାଲିକାରେ ବ୍ରହ୍ମପୁର ଅନନ୍ତନଗରରେ ଦୁଇଟି କୋଠା, ବ୍ରହ୍ମପୁର ଉତ୍ତରେଶ୍ବର ‌ମୌଜା ଓ ରାଧାନାଥପୁର ମୌଜାରେ ଦୁଇଟି ପ୍ଲଟ୍‌, ବଳରାମପୁରରେ ମାର୍କେଟ କମ୍ପ୍ଲେକ୍ସ୍, ପାତ୍ରପୁର ତହସିଲ ବଳରାମପୁର ମୌଜାରେ ୪ଟି ପ୍ଲଟ୍‌, ଜୟନ୍ତୀପୁରରେ ପୁଅ ଅମିତଙ୍କ ନାମରେ ଏକ ପେଟ୍ରୋଲ ପମ୍ପ୍, ଜୟନ୍ତୀପୁରରେ ମାର୍କେଟ କମ୍ପ୍ଲେକ୍ସ୍, ଜୟନ୍ତୀପୁରରେ ଦୁଇଟି ଦୁଇ ମହଲା ଘର ଓ ଗୋଟିଏ ଏକ ମହଲା ଘର ରହିଛି। ସେହିପରି ଭୁବନେଶ୍ବରରେ ମଧ୍ୟ ପ୍ଲଟ୍‌ ରହିଥିବା ଜଣାପଡ଼ିଥିଲା।

ସେହିପରି, ୮୩ ଲକ୍ଷ ୪୮ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସ୍ ବିଭାଗ ଆକଳନ କରିଛି। ତନ୍ମଧ୍ୟରେ ୭୨୧ ଗ୍ରାମ ସୁନା ଅଳଙ୍କାର, ୨ଟି ଚାରିଚକିଆ ଓ ୨ଟି ଦୁଇଚକିଆ ଗାଡ଼ି, ବ୍ୟାଙ୍କ୍ ଜମା ଓ ଜୀବନ ବୀମା ଆଦି ରହିଛି। ଯାଞ୍ଚ୍ ସରିବା ପରେ ଦନାର୍ଦ୍ଦନ ଓ ପରିବାରବର୍ଗଙ୍କ ନାମରେ ୪କୋଟି ୧ଲକ୍ଷ ୨୭ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଭିଜିଲାନ୍ସ୍ ବିଭାଗ ଜାଣିବାକୁ ପାଇଛି। ଯାହାକି ଶିକ୍ଷକଙ୍କ ଆୟ ଠାରୁ ୨୩୪ ପ୍ରତିଶତ ଅଧିକ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର