ସ୍ନାନମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜିଉଙ୍କ ପୀଠରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଆଡ଼ମ୍ବର ତଥା ରୀତିନୀତି ଅନୁସାରେ ସଂପନ୍ନ ହୋଇଛି। ମଙ୍ଗଳ ଧୂପ, ମଇଲମ ଓ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ଗୋଟିପହଣ୍ଡିରେ ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ୧୦୮ ଗରା ସୁବାସିତ ଜଳ ଏବଂ ୧୦୮ ପଇଡ଼ପାଣିରେ ଠାକୁରଙ୍କ ସ୍ନାନ ନୀତି ହୋଇଥିଲା। ଏହି ଉତ୍ତାରୁ ଠାକୁରଙ୍କ ଚନ୍ଦନ ଲାଗି ହୋଇଥିଲା ଏବଂ ଠାକୁରମାନେ ମୟୂରଚୁଳିଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ସମୟରେ ଶଙ୍ଖ, ହୁଳହୁଳି ଓ କୀର୍ତ୍ତନରେ ବଡ଼ଦାଣ୍ଡ କମ୍ପି ଉଠିଥିଲା।

କରୋନା ମହାମାରୀ ଯୋଗୁ ଗତ ଦୁଇବର୍ଷ ହେଲା କେବଳ ସେବାୟତଙ୍କୁ ନେଇ ଦେବସ୍ନାନ ନୀତି ହେଉଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହୋଇଛି। ତେଣୁ ଠାକୁରଙ୍କ ସ୍ନାନ ନୀତି ଓ ମୟୂରଚୁଳିଆ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଭକ୍ତମାନେ ସକାଳୁ ସକାଳୁ ପ୍ରଭୁଙ୍କୁ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୧୦ ଜଣ ପୁଲିସ ଅଧିକାରୀଙ୍କ ସହ ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର