ବଡ଼ଦାଣ୍ଡରୁ ଲେଖା ହୋଇଥିଲା ସଂଗୀତ ଇତିହାସର ନୂଆ ଧାରା

୫୦ ବର୍ଷରେ ‘ଶ୍ରୀକ୍ଷେତ୍ର କଳା ପ୍ରକାଶିକା’, କଣ୍ଠଶିଳ୍ପୀଙ୍କୁ ମନେଇବାକୁ ନୟାନ୍ତ ହୋଇଥିଲେ ପ୍ରଫୁଲ୍ଲ, କେଦାର

ଭୁବନେଶ୍ବର, (ସତ୍ୟନାରାୟଣ ରାଉତରାୟ): ଦାଣ୍ଡ ଉପରେ ପୁଣି ଭଜନ। ଇଏ କି ଉଦ୍ଭଟ ଚିନ୍ତା! ଉଚ୍ଚାଙ୍ଗ ସଂଗୀତ କ’ଣ ଏମିତି ଦାଣ୍ଡରେ ବୋଲାଯାଏ? ସତୁରି ଦଶକରେ ଯେବେ ୨ ଯୁବକ ପୁରୀ ବଡ଼ଦାଣ୍ଡରେ ଭଜନ ସମାରୋହ କରିବାକୁ ଚିନ୍ତା କଲେ, ସେତେବେଳେ ଏମିତି ନାକ ଟେକିଥିଲେ କିଛି ନାମକରା କଣ୍ଠଶିଳ୍ପୀ। ହେଲେ ସେଦିନର ସେଇ ଦୁଇ ସଂକଳ୍ପୀ ବନ୍ଧୁ ନିରାଶ ହୋଇନଥିଲେ, ବରଂ ବଡ଼ବଡ଼ କଣ୍ଠଶିଳ୍ପୀଙ୍କୁ ଯଥା ସମ୍ଭବ ମନେଇବାରେ ଲାଗି ପଡ଼ିଲେ। ବାସ୍‌ ଏଇ ସଂକଳ୍ପରୁ ସିଂହଦ୍ବାର ସାମ୍ନାରେ ବଡ଼ଦାଣ୍ଡରେ ମୁକ୍ତାକାଶ ତଳେ ୧୯୭୦ ମସିହା କାର୍ତିକ ପୂର୍ଣ୍ଣମୀ ପୂର୍ବ ରାତିରେ ଆୟୋଜିତ ହେଲା ପ୍ରଥମ ଭଜନ ସମାରୋହ। ଏଥିସହ ଓଡ଼ିଶା ସଂଗୀତ ଇତିହାସରେ ଏକ ନୂଆ ଧାରା ଯୋଡ଼ି ହେଲା। ସେବେଠୁ ସେଇ ନିର୍ଦିଷ୍ଟ ସ୍ଥାନରେ ‘ଶ୍ରୀକ୍ଷେତ୍ର କଳା ପ୍ରକାଶିକା’ ନିରନ୍ତର ଭଜନ ସମାରୋହ ଆୟୋଜନ କରି ଆସୁଥିବା ବେଳେ ଚଳିତ ବର୍ଷ ୫୦ଟି ଶରତକୁ ଅତିକ୍ରମ କରିବାକୁ ଯାଉଛି। ସେଦିନ ଯାହାଙ୍କ ଉଦ୍ଭଟ ଚିନ୍ତାରୁ ସଂଗୀତ ଇତିହାସରେ ନୂଆ ‌ଅଧ୍ୟାୟ ଯୋଡ଼ି ହେଲା, ସେ ଦୁହିଁଙ୍କ ମଧ୍ୟରୁ ଜଣେ ହେଲେ କମଳ ଦେଶର ରାଜକୁମାର ପଦ୍ମଶ୍ରୀ ପ୍ରଫୁଲ୍ଲ କର। ଅନ୍ୟ ଜଣେ ରସିକ ସଂଗୀତ ପ୍ରେମୀ କେଦାର ଗୁରୁ।

ପ୍ରଫୁଲ୍ଲ ଓ କେଦାର ସିନା ଏପରି ଏକ ପରିକଳ୍ପନା କରିଦେଲେ କିନ୍ତୁ କଣ୍ଠଶିଳ୍ପୀଙ୍କୁ ମନେଇବା ତାଙ୍କ ପାଇଁ ଥିଲା ବଡ଼ ଆହ୍ବାନ। ମନ ଦମ୍ଭ କରି ଦୁହେଁ ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର, ନାଥ ଖୁଣ୍ଟିଆ, କାଶୀନାଥ ପୂଜାପଣ୍ଡା, ସୁନନ୍ଦା ପଟ୍ଟନାୟକ, ତବଲା ବାଦକ କ୍ଷେତ୍ରମୋହନ କର, ରଘୁନାଥ ପାଣିଗ୍ରାହୀ, ସିକନ୍ଦର ଆଲମ, ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ। ରାଜା, ଜମିଦାର ଓ ପ୍ରେକ୍ଷାଳୟର ଚାରିକାନ୍ଥ ଭିତରେ ଉଦ୍ଦିଷ୍ଟ ସଂଗୀତ ଆସରକୁ ବଡ଼ଦାଣ୍ଡରେ ଶୁଣିବାକୁ ଲୋକେ ଆସି‌‌‌ବେ କି ନାହିଁ, ସେନେଇ ସମସ୍ତେ ସନ୍ଦେହରେ ପଡ଼ି ଯାଇଥିଲେ। ଅପରପକ୍ଷେ ମଂଚ ପାଇଁ କିଏ ସହାୟତା ଦେବ, ତାହା ଥିଲା ଆଉ ଏକ ଆହ୍ବାନ। ପ୍ରଫୁଲ୍ଲ କରଙ୍କ କହିବା ମୁତାବକ, ଯୋଗକୁ ଦୁଇ ଠିକାଦାର ଶରତ ମିଶ୍ର ଓ ଦେବ ମିଶ୍ର ମଂଚ କରିଦେବାକୁ ସମ୍ମତି ଦେଲେ। ସୀତାରାମ ଅଗ୍ରୱାଲଙ୍କ ବାପା ମାଇକ୍‌ ଓ ସାଉଣ୍ଡ୍‌ ବ୍ୟବସ୍ଥା କରିଦେଲେ। ହଜୁରୀ ଘର ଓ ଏମାର ମଠ କଳାକାରଙ୍କ ଯାତାୟାତ ଦାୟିତ୍ବ ନେଲେ। ସ୍ଥାନୀୟ ଗାଙ୍ଗୁରାମ ଦୋକାନୀ ସନ୍ଧ୍ୟାରେ ଜଳଖିଆ ବ୍ୟବସ୍ଥା କରିଦେଲେ। ଗୁରୁ ପରିବାର ରାତିରେ ମହାପ୍ରସାଦର ବ୍ୟବସ୍ଥା କରିଦେଲେ। ଏମିତିରେ ବିନା ଚାକଚକ୍ୟରେ କାର୍ତିକ ପୂର୍ଣ୍ଣମୀ ପୂର୍ବ ରାତିରେ ଆରମ୍ଭ ହେଲା ଭଜନ ସମାରୋହ। ଲୋକେ ଏପରି ବିଭୋର ହୋଇ ଶୁଣୁଥିଲେ ଯେ ଭୋର୍‌ ୪ଟା ପର୍ଯ୍ୟନ୍ତ ଚାଲିଲା। ଯେଉଁ ବଡ଼ବଡ଼ କଣ୍ଠଶିଳ୍ପୀମାନେ ନାକ ଟେକୁଥିଲେ, ସେମାନେ ସାମ୍ନାରେ ହଜାର ହଜାର ଦର୍ଶକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଶ୍ରୀ କର କୁହନ୍ତି, ୫୦ ବର୍ଷର କାର୍ଯ୍ୟକ୍ରମ ମଧ୍ୟରେ ଗୋଟେ ବର୍ଷ ବିଘ୍ନ ଘଟିଥିଲା। ଅଧିକାଂଶ ଶିଳ୍ପୀ ଚାକିରି କରୁଥିବାରୁ ପଞ୍ଚୁକ ଭିତରେ ଯେଉଁଦିନ ଛୁଟି ପଡ଼ିବ, ସେଦିନ ଭଜନ କରିବାକୁ ତୃତୀୟ ବର୍ଷ ନିଷ୍ପତ୍ତି ନିଆଗଲା। ତେଣୁ ଚତୁର୍ଦଶୀ ପରିବର୍ତେ ତ୍ରୟୋଦଶୀରେ ସେଇବର୍ଷ ଭଜନ ଆୟୋଜନ ହେଲା। ମାତ୍ର ସେଦିନ ୩ଟି ଗୀତ ପରେ ଝଡ଼ ତୋଫାନ ଆସି ଅନ୍ଧକାର ଘୋଟିଗଲା। ସେତିକି‌ରେ କାର୍ଯ୍ୟକ୍ରମ ବନ୍ଦ ହେଲା। ଭଗବାନଙ୍କ କାର୍ଯ୍ୟକ୍ରମରେ ଏପରି ବିଘ୍ନ କାହିଁକି ଘଟିଲା, ଜାଣିବା ପାଇଁ ସଦାଶିବ ରଥଶର୍ମାଙ୍କ ପାଖକୁ ଯାଇ କାରଣ ପଚାରିଲୁ। ଶ୍ରୀ ରଥଶର୍ମା କହିଲେ, ଏକାଦଶୀରୁ ପ୍ରଭୁ ନିଦ୍ରା ଯାଇଥିବା ବେଳେ ଚତୁର୍ଦଶୀରେ ସଂଗୀତ, ବାଦ୍ୟ, ଗୀତରେ ଉଜାଗର କରାଯାଏ। ତେଣୁ ଚତୁର୍ଦଶୀ ପରିବର୍ତେ ତ୍ର‌ୟୋଦଶୀରେ ସଂଗୀତ କାର୍ଯ୍ୟକ୍ରମ କରିବାରୁ ଏପରି ବିଘ୍ନ ଘଟିଲା। ସେ‌ଦିନ ପରଠୁ କେବେ ବି ବୈକୁଣ୍ଠ ଚତୁର୍ଦଶୀ ଛଡ଼ା ଅନ୍ୟ ଦିନରେ ଭଜନ କରିନାହୁଁ କି କୌଣସି ବିଘ୍ନ ଘଟିନାହିଁ।

ଏମିତି କୌଣସି ପ୍ରଥିତଯଶା ଶିଳ୍ପୀ ନାହାନ୍ତି, ଯିଏ ଏହି ମଂଚରେ ଗାଇ ନାହାନ୍ତି। ଅନୁପ ଜଲୋଟା, କବିତା କ୍ରିଷ୍ଣମୂର୍ତି, ମାନ୍ନା ଦେ’,୩ସୁରେଶ ୱାଡେକର, ହରିହରନ, ଜାକିର ହୁସେନ୍‌, ହରିପ୍ରସାଦ ଚୌରାସିଆ, ଅନୁରାଧା ପୌଡୱାଲ୍‌ଙ୍କ ଭଳି ଜାତୀୟସ୍ତରର ଶିଳ୍ପୀମାନେ ବିନା କୌଣସି ଆର୍ଥିକ ପ୍ରୋତ୍ସାହନରେ ସାମିଲ୍ ହୋଇ ସଂଗୀତ ପରିବେଷଣ କରିଛନ୍ତି।

ସମ୍ବନ୍ଧିତ ଖବର