ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ରଖିଲେ ନବୀନ : ମହାପ୍ରଭୁଙ୍କ ପାଇଁ ସଂକଳ୍ପ

ଗୃହରେ ସର୍ବସମ୍ମତି କ୍ରମେ ଗୃହୀତ ହେଲା ସଂକଳ୍ପ
ଶ୍ରୀମନ୍ଦିର ଓ ଭକ୍ତଙ୍କ ନିରାପତ୍ତା, ଆଧ୍ୟାତ୍ମିକ ପରିବେଶ ଲକ୍ଷ୍ୟ

ଭୁବନେଶ୍ବର : ‘‘ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଂପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା।

ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା। ଏଥିପାଇଁ ଆମେ ସମସ୍ତଙ୍କୁ ସୁଯୋଗ ଦେବା।

ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା।’’

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଆଗତ କରିଥିବା ଏଭଳି ସଂକଳ୍ପ ପ୍ରସ୍ତାବ ଦଳ ମତ ନିର୍ବିଶେଷରେ ସର୍ବସମ୍ମତ କ୍ରମେ ଗୃହୀତ ହୋଇଛି। ଏଥିସହିତ ପୁରୀକୁ ବିଶ୍ବ ଐତିହ୍ୟ ପ୍ରକଳ୍ପ ଭାବେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ଏହାର ଅଂଶ ସ୍ବରୂପ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନା କାର୍ଯ୍ୟାନ୍ବୟନ ପାଇଁ ରାସ୍ତା ଖୋଲିଛି।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ଦେବୀ ମିଶ୍ର ସମର୍ଥନ କରିଥିଲେ। ପରେ ଗୃହର ମତ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବସମ୍ମତ ଭାବେ ଏହି ସଂକଳ୍ପ ଗୃହୀତ ହେଲା ବୋଲି ଘୋଷଣା କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିବା ଅବସରରେ ଗୃହ ସାମ୍ନାରେ ନିଜର ଆଭିମୁଖ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି। ସେ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ। ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି।’’

ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ ତଥା ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଜଗନ୍ନାଥ ମନ୍ଦିରକୁ ଜୀବନକାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପଭୁଙ୍କର ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା। ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ।’’

ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ସଂସ୍କାର ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ଜଷ୍ଟିସ୍ ବିମଳ ପ୍ରସାଦ ଦାସ କମିସନଙ୍କୁ ମୁଖ୍ୟମନ୍ତ୍ରୀ ମନେ ପକାଇଥିଲେ। ନବୀନ କହିଥିଲେ ଯେ କମିସନ ସେବେ ଶ୍ରୀମନ୍ଦିର ନିରାପତ୍ତା କରିଡ଼ର ପାଇଁ ସୁପାରିସ କରିଥିଲେ। ସେତେବେଳେ ତିନିଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା। ସେଗୁଡିକ ହେଲା, ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ଓ ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି।

ସେହିଭଳି ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ବହୁବାର ଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ମହାନ କାର୍ଯ୍ୟ ପାଇଁ ଗଜପତି ମହାରାଜାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ସେହିପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ସେବାୟତ ତଥା ପୁରୀର ଜନସାଧାରଣ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଡ. ସୁବାସ ପାଣି ଏବଂ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ କି ଏହି ମହାନ କାର୍ଯ୍ୟରେ ସେମାନଙ୍କର ଅବଦାନ ରଖି ଉତ୍ସାହିତ କରିଛନ୍ତି ସମସ୍ତଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସାଧାରଣଭାବେ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଥାନ୍ତି। କିନ୍ତୁ ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁହେଁ। ଏହି ଯୋଜନା ହେଉଛି ସାଢେ ଚାରି କୋଟି ଓଡିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହ ସାଢେ ଚାରିକୋଟି ଓଡିଆଙ୍କର ପ୍ରତିନିଧିତ୍ୱ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଓଡିଆ ଜାତି ପାଇଁ ତଥା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏଭଳି ସୁଯୋଗ ବହୁତ କମ୍‌ ଆସେ। ପୁରୁଷ ପୁରୁଷ ପରେ, ବହୁ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ। ଆମେ ସମସ୍ତେ, ସାରା ଓଡିଶାବାସୀ ମିଳିତ ଭାବରେ ଆଜି ଏହି ଅନନ୍ୟ ମୁହୂର୍ତ୍ତର ଅଂଶ ପାଲଟି ଯାଇଛେ।

ଶ୍ରୀମନ୍ଦିର ହେଉଛି ଆମର ଅଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ। ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ। ଏହି ଭାବନା ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ।’’

‘‘ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ େହବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସଂକଳ୍ପ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ପୁରୀ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ବିଶ୍ବସ୍ତରୀୟ ସଂକଳ୍ପକୁ ମୋ’ ଦଳ ସ୍ବାଗତ କରୁଛି। ଏହାଦ୍ବାରା ମହାପ୍ରଭୁ ଜଗନ୍ନାଥଙ୍କ ତୀର୍ଥକ୍ଷେତ୍ର ପୃଥିବୀର ଏକ ନମ୍ବର ଭାବେ ପରିଣତ କରିବା ଆମର ଧେୟ ହେବା ଉଚିତ୍‌। ଏଥିପାଇଁ ଆମେ ମିଳିମିଶି ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଜି ଯେଉଁ ସଂକଳ୍ପ ମୁଖ୍ୟମନ୍ତ୍ରୀ ଆଗତ କରିଛନ୍ତି, ତାହା ସ୍ବାଗତ ଯୋଗ୍ୟ। ଏ ନେଇ ସର୍ବଦଳୀୟ ବୈଠକରେ ବି ନିଷ୍ପତ୍ତି ହୋଇଥିଲା। ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଏହାକୁ ସ୍ବାଗତ କରୁଛି। ଏହି ସଂକଳ୍ପ ଦ୍ବାରା ପୁରୀରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହେବ। ହେଲେ ଗୃହରେ ଶ୍ରୀମନ୍ଦିର କରିଡର ନେଇ ଭିଡିଓ ଚିତ୍ର ପ୍ରଦର୍ଶନ ଉପରେ ସେ ଅସନ୍ତୋଷ ଝାଡ଼ିଥିଲେ। ଶ୍ରୀ ମିଶ୍ର କହିଥିଲେ, ‘ ବାଚସ୍ପତି ଆପଣ ଗୃହକୁ ସିନେମା ହଲରେ ପରିଣତ କରିଦେଲେ? ବିଧାନସଭା ବିଧି ବ୍ୟବସ୍ଥା ଅନୁଯାୟୀ ବିଧାନସଭା କକ୍ଷରେ ହେଉଥିବା କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସି ବିଷୟ ପ୍ରସାରିତ କରାଯାଇ ପାରିବ ନାହିଁ। ଆଜି ସେହି ପରମ୍ପରାର ବ୍ୟତିକ୍ରମ ଘଟିଛି। ଏହାକୁ କିଏ ଅନୁମତି ଦେଲା? ପୁରୀ ସମ୍ପର୍କରେ ଯେଉଁ ଛବି ପ୍ରଦର୍ଶିତ ହେଲା ସେ ନେଇ ସର୍ବଦଳୀୟ ବୈଠକରେ କୌଣସି ନିଷ୍ପତ୍ତି ନିଆ ଯାଇନଥିଲା। ଏପରି ବ୍ୟତିକ୍ରମ ସାରା ଭାରତବର୍ଷରେ କୌଣସି ବିଧାନସଭାରେ ଦେଖିବାକୁ ମିଳିବ ନାହିଁ। ଏପରିକି ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ଏଭଳି ପରମ୍ପରା ନାହିଁ।

ସଂକଳ୍ପ ନେଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ସଂସ୍କୃତିର ମୂଳାଧାର। ସବୁ ଧର୍ମ ଓ ମତବାଦ ତାଙ୍କରିଠାରେ ଏକାଠି ହୋଇଛନ୍ତି। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ପରିଚୟ। ଆଜି ପୀଠର ଉନ୍ନତୀକରଣ ପାଇଁ ଆସିଥିବା ସଂକଳ୍ପ ଏ ଜାତିର ଐତିହ୍ୟକୁ ସୁରକ୍ଷା ଦେବାରେ ସହାୟକ ହେବ। ଏହାଦ୍ବାରା ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାରକୁ ନୂଆ ଦିଗ ମିଳିବ ବୋଲି ଶ୍ରୀ ମିଶ୍ର ଗୃହରେ କହିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ସଂକଳ୍ପକୁ ପାରିତ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏଥିସହିତ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର