ଶ୍ରୀମନ୍ଦିରର ଐତିହ୍ୟସଂପନ୍ନ ଚାରି ମୁଖ୍ୟ ଦ୍ୱାର, ଜାଣନ୍ତୁ କେଉଁ ଦ୍ୱାରର ସ୍ବାତନ୍ତ୍ର୍ୟ କ’ଣ

ଡକ୍ଟର ଭାସ୍କର ମିଶ୍ର

ସମଗ୍ର ଭାରତ ବର୍ଷରେ ପ୍ରସିଦ୍ଧି ଲାଭ କରିଥିବା ଭବ୍ୟ ଶ୍ରୀମନ୍ଦିରର କେତେକ ସ୍ଥାନରେ ବିରଳ ବୈଶିଷ୍ଟ୍ୟ ରହିଛି। ସେ ମଧ୍ୟରେ ରହିଛି ମେଘନାଦ ପ୍ରାଚୀର ସହିତ ଚାରି ଦିଗରେ ନିର୍ମିତ ଚାରିଟି ମୁଖ୍ୟ ଦ୍ୱାର। ତାହା ପୂର୍ବ ଦ୍ୱାର, ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ଓ ଉତ୍ତର ଦ୍ୱାର ନାମରେ ସୁପରିଚିତ। କେତେକ ପଣ୍ଡିତଙ୍କ ମତରେ ଶ୍ରୀମନ୍ଦିରର ଚାରିଟି ମୁଖ୍ୟ ଦ୍ୱାର ମଧ୍ୟରେ ପୂର୍ବ ଦ୍ୱାରକୁ ସିଂହଦ୍ୱାର ବା ଧର୍ମ ଦ୍ୱାର କୁହାଯାଏ। ସେହିପରି ଦକ୍ଷିଣ ଦ୍ୱାରକୁ ଅଶ୍ୱ ଦ୍ୱାର ବା ଅର୍ଥ ଦ୍ୱାର, ପଶ୍ଚିମ ଦ୍ୱାର- ବ୍ୟାଘ୍ର ଦ୍ୱାର ବା କାମ ଦ୍ୱାର ଏବଂ ଉତ୍ତର ଦ୍ୱାର ହସ୍ତୀ ଦ୍ୱାର ବା ମୋକ୍ଷ ଦ୍ୱାର ରୂପେ ବିଦିତ।

ଶ୍ରୀମନ୍ଦିରକୁ ପ୍ରବେଶ ମାର୍ଗରେ ଏହି ମୁଖ୍ୟ ଦ୍ୱାରଗୁଡ଼ିକରେ ମଧ୍ୟ ନିର୍ଦ୍ଦିଷ୍ଟ ପରମ୍ପରା ଓ ବିଧିବିଧାନ ରହିଛି। ତନ୍ମଧ୍ୟରେ ସିଂହଦ୍ୱାର ମାର୍ଗ ଦେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ସ୍ବୟଂ ଦାରୁ ବିଗ୍ରହରୂପୀ ଶ୍ରୀବିଗ୍ରହମାନେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି। ସେହିପରି ଶ୍ରୀମନ୍ଦିରର ବିଭିନ୍ନ ଉତ୍ସବମାନଙ୍କରେ ଚଳନ୍ତି ପ୍ରତିମା ଓ ଶ୍ରୀ ସୁଦର୍ଶନ ଦେବ ଏହି ଦ୍ୱାର ଦେଇ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନକୁ ବିଜେ କରିଥାନ୍ତି। ପୁରୀ ଗଜପତି ମହାରାଜା ତାଙ୍କର ରାଜନୀତି ସେବା ଓ ଗହଣ ବିଜେ ସମୟରେ ସିଂହଦ୍ୱାର ମାର୍ଗ ଦେଇ ଶ୍ରୀମନ୍ଦିରକୁ ବିଜେ କରିବାର ପରମ୍ପରା ରହିଅଛି। ଏତଦ୍ ବ୍ୟତୀତ ମଠାଧୀଶମାନେ ତାଙ୍କର ଶାଢ଼ିବନ୍ଧା ଓ ଗୁରୁତ୍ୱପୂର୍ଣ୍ଣ ସେବା କରିବା ସମୟରେ ଏହି ମାର୍ଗ ଦେଇ ଶ୍ରୀମନ୍ଦିରକୁ ଯାଇଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟହ ପ୍ରତ୍ୟୁଷରେ ଶ୍ରୀମନ୍ଦିରର ପ୍ରମୁଖ ଏକାଏକ ସେବକ ଭିତରଚ୍ଛ ମହାପାତ୍ର ଏହି ଦ୍ୱାରଠାରେ ଉପସ୍ଥିତ ହୋଇ ଆଦେଶ ଦେବା ପରେ ପ୍ରଥମେ ସିଂହଦ୍ୱାର କବାଟ ଖୋଲାଯିବା ପରେ ଅନ୍ୟାନ୍ୟ ଭକ୍ତ, ସେବକ ଇତ୍ୟାଦି ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି। ଏହି ଦ୍ୱାର ଫିଟାଯିବା ପରେ ଶ୍ରୀମନ୍ଦିରର ଅନ୍ୟ ତିନି ମୁଖ୍ୟ ଦ୍ୱାର ଫିଟିଥାଏ। ପ୍ରତିହାରୀ ସେବକ ଏହି ଦ୍ୱାର ଫିଟାଇବାର ଅଧିକାରୀ ଅଟନ୍ତି। ସାଧାରଣ ଭକ୍ତ, ଦର୍ଶନାର୍ଥୀ, ତୀର୍ଥଯାତ୍ରୀ ମୁଖ୍ୟତଃ ସିଂହଦ୍ୱାର ମାର୍ଗ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଏପରିକି ଏହି ମାର୍ଗ ଦେଇ ପବିତ୍ର ବାଇଶି ପାବଚ୍ଛ ପଡ଼ିଥାଏ।

ଶ୍ରୀମନ୍ଦିରର ଅନ୍ୟ ପ୍ରମୁଖ ଦ୍ୱାର ହେଉଛି ଦକ୍ଷିଣ ଦ୍ୱାର। ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ସମେତ ଭାରତ ଓ ନେପାଳର ନରେଶ, ମହାରାଜା ଓ ତାଙ୍କର ପରିବାର ବର୍ଗ ଦର୍ଶନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଯିବାବେଳେ ଏହି ଦ୍ୱାର ଦେଇଯାଇଥାନ୍ତି। ବାଲିସାହି, ହରଚଣ୍ଡୀ ସାହି ଇତ୍ୟାଦି ଅଞ୍ଚଳମାନଙ୍କରେ ବସବାସ କରୁଥିବା ସେବକମାନେ ଏହି ଦ୍ୱାର ଦେଇ ଶ୍ରୀମନ୍ଦିରକୁ ମଧ୍ୟ ପ୍ରବେଶ କରିଥାନ୍ତି। ସେହିପରି ସାଧାରଣ ଭକ୍ତ ଜନତା ଓ ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାବେଳେ କେତେକ ସୂପକାରମାନେ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ଜିନିଷମାନ ଏହି ଦ୍ୱାର ଦେଇ ରୋଷଶାଳାକୁ ‌େନଇଥାନ୍ତି। ଶ୍ରୀମନ୍ଦିରର ଅନ୍ୟ ଏକ ଦ୍ୱାର ହେଉଛି ପଶ୍ଚିମ ଦ୍ୱାର। ଜନଶ୍ରୁତି ଅନୁଯାୟୀ ଏହି ମାର୍ଗ ଦେଇ ତାନ୍ତ୍ରିକ, ବାମାଚାରୀମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି। ଶ୍ରୀମନ୍ଦିରର ପଶ୍ଚିମ ଓ ଉତ୍ତର ପାର୍ଶ୍ୱରେ ଥିବା ସେବାୟତମାନେ ଓ ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଏହି ଦ୍ୱାର ଦେଇ ମନ୍ଦିରକୁ ଯାଇଥାନ୍ତି। ପ୍ରାଚୀନ ଋଷି ଆଶ୍ରମକୁ ବିଜେ ସମୟରେ ଶ୍ରୀ ସୁଦର୍ଶନ ଦେବ ସିଂହଦ୍ୱାର ଦେଇ ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ଦିବସରେ ପଶ୍ଚିମ ଦ୍ୱାର ଦେଇ ବାହୁଡ଼ା ବିଜେ କରିଥାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କେତେକ ମଠର ପନ୍ତି ଭୋଗ ସାମଗ୍ରୀ ଏହି ଦ୍ୱାର ଦେଇ ମନ୍ଦିର ପରିସରକୁ ଯାଇଥାଏ। ଶ୍ରୀମନ୍ଦିରର ଚତୁର୍ଥ ଦ୍ୱାର ଅର୍ଥାତ୍ ଉତ୍ତର ଦ୍ୱାର ହେଉଛି ଦେବଯାନ ମାର୍ଗ। ନବକଳେବର ସମୟରେ ଦାରୁମାନଙ୍କୁ ଏହି ଦ୍ୱାର ଦେଇ କୋଇଲି ବୈକୁଣ୍ଠକୁ ଅଣାଯାଇଥାଏ। ଅତୀତରେ ଶ୍ରୀମନ୍ଦିର ପରମ୍ପରା ପ୍ରକାରେ ଗଜପତିଙ୍କ ରାଜଗୁରୁମାନେ ତାଙ୍କର ଗହଣ ବିଜେ ସମୟରେ ସଲଟନରେ ଏହି ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବାର ବିଧି ରହିଥିଲା। ତେବେ ଏହି ପରମ୍ପରା ଆଜକୁ ଅନେକ ବର୍ଷ ଧରି ବନ୍ଦ ହୋଇଯାଇଛି। ଏତଦ୍ ବ୍ୟତୀତ ସନ୍ଧ୍ୟା ସମୟରେ କେବଳ ଉତ୍ତର ଦ୍ୱାରକୁ ବନ୍ଦ କରିଦିଆଯାଇଥାଏ। ସ୍ଥାନୀୟ ଅଞ୍ଚଳ ତଥା ଶ୍ରୀମନ୍ଦିରରେ ଏକ ପ୍ରସିଦ୍ଧ ଜନଶ୍ରୁତି ରହିଛି ଯେ, ନିଶାର୍ଦ୍ଧରେ ସ୍ବର୍ଗର ଦେବତା ଓ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଦେବଦେବୀମାନେ ଏହି ଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏ ସମ୍ବନ୍ଧରେ ରାତ୍ର ପହୁଡ଼ ନୀତିରେ ଅଂଶଗ୍ରହଣ କରୁଥିବା କେତେକ ବରିଷ୍ଠ ପାଳିଆ ସେବକମାନଙ୍କର ପ୍ରତ୍ୟକ୍ଷ ଭାବେ ଦିବ୍ୟ ଅନୁଭୂତି ରହିଅଛି।

ଇତିହାସରୁ ଜଣାଯାଏ ଯେ, ୧୪୪୮ ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟ ବଂଶର ପ୍ରତିଷ୍ଠାତା ଗଜପତି ମହାରାଜା କପିଳେନ୍ଦ୍ର ଦେବ ତାଙ୍କ ରାଜତ୍ୱର ୧୫ ଅଙ୍କରେ ବାହାର ବେଢ଼ା, ମେଘନାଦ ପ୍ରାଚୀର ଓ ସିଂହଦ୍ୱାର ଆଦିର ନିର୍ମାଣ କରାଇଥିଲେ। ମାଦଳାପାଞ୍ଜିର (ପ୍ରଥମ ପାଞ୍ଜି ମତେ) ଉଲ୍ଲେଖ ପ୍ରକାରେ, ‘‘୧୫ ଅଙ୍କେ ରାଜାଙ୍କୁ ସିଂହ ବୃହସ୍ପତି ହୋଇଲା। ଏ ଅଙ୍କେ ଶ୍ରୀ ପୁରୁଷୋତ୍ତମ ବଡ଼ ଦେଉଳ ବାହାର ବେଢ଼ା ବନ୍ଧାଇଲେ।’’ ପୂର୍ବେ ଶ୍ରୀମନ୍ଦିରର ଏହି ଦ୍ୱାରଗୁଡ଼ିକ ଦୁଇଫାଳ ବିଶିଷ୍ଟ ଓ ପୋଖତ ଶାଳ, ପିଆଶାଳ କାଷ୍ଠରେ ନିର୍ମିତ ହୋଇଥିଲା। ଦ୍ୱାରଗୁଡ଼ିକ ଉପରେ ପିତଳ ଛାଉଣୀ ସମେତ ଶଙ୍ଖ, ଚକ୍ର ଓ ଘଣ୍ଟି ମଧ୍ୟ ସଂସ୍ଥାପିତ ହୋଇଥିଲା। ଅତୀତରେ ସିଂହଦ୍ୱାର ଓ ଉତ୍ତର ଦ୍ୱାର ଉପରେ ଯବନ ସୈନ୍ୟମାନଙ୍କ ଆକ୍ରମଣ ହୋଇଥିବା ସୂଚନା ମାଦଳାପାଞ୍ଜି ଓ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କରୁ ସୂଚନା ମିଳୁଅଛି। ଆକ୍ରମଣରେ ପ୍ରାୟ ୧୩ ଥରରୁ ଊର୍ଦ୍ଧ୍ୱ ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହମାନଙ୍କୁ ଗୋପନରେ ଅନ୍ୟତ୍ର ଅପସାରଣ କରାଯାଇଥିଲା। ସୁତରାଂ ବିଭିନ୍ନ ସମୟରେ ତତ୍କାଳୀନ ଗଜପତି ମହାରାଜା ଓ ପରେ ମରହଟ୍ଟା ଶାସକମାନଙ୍କ ଦ୍ୱାରା ଏହି ମୁଖ୍ୟ ଦ୍ୱାରଗୁଡ଼ିକର ଆବଶ୍ୟକୀୟ ମରାମତି ଓ ସଂରକ୍ଷଣ କରାଯାଉଥିଲା। ଉତ୍କଳ ଦୀପିକା ସମ୍ବାଦପତ୍ରର ୧୮୯୨ ମସିହା ଜୁଲାଇ ୧୬ ତାରିଖ ସଂସ୍କରଣରୁ ଜଣାଯାଏ ଯେ ସାରା ଭାରତବର୍ଷରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଦାନ ସୂତ୍ରେ ଅର୍ଥ ଗ୍ରହଣ କରାଯାଇ ଶ୍ରୀମନ୍ଦିରର କେତେକ ମରାମତି, ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା। ତନ୍ମଧ୍ୟରେ ସିଂହଦ୍ବାର, ଦକ୍ଷିଣ ଦ୍ବାର ସମେତ କେତେକ ମଣ୍ଡପ, ଲକ୍ଷ୍ମୀଙ୍କ ରୋଷଶାଳା, ସୂର୍ଯ୍ୟ ମନ୍ଦିର, ନୀଳଚକ୍ର, ମାର୍ଜନା ମଣ୍ଡପ ଇତ୍ୟାଦି ଅନ୍ୟତମ ଥିଲା। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ପରମାନନ୍ଦ ତ୍ରିପାଠୀଙ୍କ ସୂତ୍ରରୁ ସଂଗୃହୀତ ତଥ୍ୟ ଅନୁଯାୟୀ ୧୯୬୫-୬୬ ମସିହାରେ ଶ୍ରୀମନ୍ଦିରର ସିଂହଦ୍ୱାରସ୍ଥ ମୁଖ୍ୟ କବାଟ ଦୁଇଟି ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲା। କବାଟ ବଦଳା ନ ଯାଇ ତା’ର ପୁନରୁଦ୍ଧାର କରାଯାଇଥିଲା। କବାଟ ଦୁଇଟି ସେତେବେଳେ ପିତଳ ଛାଉଣୀ ହୋଇ ଗୋବ, କଡ଼ା ଓ ଶଙ୍ଖ, ଚକ୍ର ଚିହ୍ନ ପ୍ରଭୃତି ଲଗାଯିବାର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟ କଟକର ଇନ୍ଦ୍ରମଣି ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ସଂପନ୍ନ ହୋଇଥିଲା। ଏହାର ପ୍ରାୟ ୫୧ ବର୍ଷ ପରେ ଅର୍ଥାତ୍ ୨୦୧୬ ମସିହାରେ ଶ୍ରୀମନ୍ଦିରର ଚାରି ମୁଖ୍ୟ ଦ୍ୱାରକୁ ବଦଳାଯାଇ ନୂତନ ଦ୍ୱାର ନିର୍ମିତ ପୂର୍ବକ ସଂସ୍ଥାପିତ ହୋଇଥିଲା।

୨୦୧୬ ମସିହା ଏପ୍ରିଲ୍ ୫ ତାରିଖଠାରୁ ଦୀର୍ଘ ୯୦ ଦିନ ବ୍ୟାପୀ ଏହି ଚାରିଟି ଦ୍ୱାର ଶାଳ କାଷ୍ଠରେ ନିର୍ମିତ ହୋଇଥିଲା। ପର୍ଯ୍ୟାୟକ୍ରମେ ତିନି ମାସ ମଧ୍ୟରେ ଶ୍ରୀମନ୍ଦିରର ଏହି ଦ୍ୱାରଗୁଡ଼ିକ ପୁନଃ ସଂସ୍ଥାପିତ ହୋଇଥିଲା। ପ୍ରଥମେ ଉତ୍ତର ଦ୍ୱାରର ନିର୍ମାଣ ହୋଇ ପୁରାତନ ଦ୍ୱାରକୁ ବଦଳାଯାଇ ନବନିର୍ମିତ ଦ୍ୱାରକୁ ସେହି ସ୍ଥାନରେ ସଂସ୍ଥାପିତ କରାଯିବା ପରେ ପଶ୍ଚିମ ଦ୍ୱାର ଓ ସିଂହଦ୍ୱାରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ପରିଶେଷରେ ୨୦୧୬ ମସିହା ଜୁଲାଇ ମାସ ୨୯ ତାରିଖ ଦିନ ଦକ୍ଷିଣ ଦ୍ୱାରର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହି ଚାରିଟି ଦ୍ୱାରର ନିର୍ମାଣ କାର୍ଯ୍ୟ ଶ୍ରୀମନ୍ଦିରର ନରେନ୍ଦ୍ର ପୁଷ୍କରିଣୀ ସଂଲଗ୍ନ ଉଦ୍ୟାନ ପରିସରରେ କରାଯାଇଥିଲା। ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗର ପଟଣପୁର, ସାନଆଙ୍କୁଲା ଓ ଶଙ୍ଖପାଟ ଗ୍ରାମର ବଢ଼େଇ ମହାରଣାମାନେ ଏହି କାର୍ଯ୍ୟରେ ସଂପୃକ୍ତ ରହିଥିଲେ। ତନ୍ମଧ୍ୟରେ ଶୁଭେନ୍ଦୁ ମହାରଣା, ସୁଶାନ୍ତ ମହାରଣା, ସୁର ମହାରଣା, ସୁକାନ୍ତ ବେହେରା, ଛବିନ ମହାରଣା, ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ତିନି ମାସ କାଳ ସମ୍ପୂର୍ଣ୍ଣ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ଶ୍ରୀମନ୍ଦିରର ଏହି ଐତିହ୍ୟସଂପନ୍ନ ଚାରି ମୁଖ୍ୟ ଦ୍ୱାରର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଗଞ୍ଜାମ ଜିଲ୍ଲାର ଜନୈକ ଦାତା ଦ୍ୱାରଗୁଡ଼ିକର ନିର୍ମାଣ ପାଇଁ ଆବଶ୍ୟକୀୟ ଉତ୍ତମ ମାନର ଶାଳକାଠ ପଟା ଯୋଗାଇ ଦେଇଥିଲେ। ଶ୍ରୀମନ୍ଦିରର ବରିଷ୍ଠ ଇଂଜିନିୟର ଓ କୁଶଳୀ ମହାରଣାମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନିର୍ମାଣ ଓ ସଂସ୍ଥାପନ କାର୍ଯ୍ୟ ଚାଲିଥିଲା।

ଶ୍ରୀମନ୍ଦିରର ଏହି ଚାରି ମୁଖ୍ୟ ଦ୍ୱାରର ମାପ ଅଲଗା ଥିବା ଜଣାଯାଇଛି। ଦ୍ୱାରଗୁଡ଼ିକର ମୋଟେଇ ତିନି ଇଞ୍ଚ୍‌ରୁ ଚାରି ଇଞ୍ଚ୍ ରହିଥିଲା। ଦକ୍ଷିଣ ଦ୍ୱାର ଚଉଡ଼ା ନଅ ଫୁଟ୍ ତିନି ଇଞ୍ଚ୍ ଓ ଉଚ୍ଚତା ୧୭ ଫୁଟ୍, ଉତ୍ତର ଦ୍ୱାର ଚଉଡ଼ା ନଅ ଫୁଟ୍ ଓ ଉଚ୍ଚତା ୧୭ ଫୁଟ୍, ପଶ୍ଚିମ ଦ୍ୱାର ଚଉଡ଼ା ସାଢ଼େଆଠ ଫୁଟ୍ ଓ ଉଚ୍ଚତା ୧୬ ଫୁଟ୍ ଏବଂ ସିଂହଦ୍ୱାରର ଚଉଡ଼ା ସାଢ଼େନଅ ଫୁଟ୍ ଓ ଉଚ୍ଚତା ୧୫ ଫୁଟ୍ ନଅ ଇଞ୍ଚ୍ ବିଶିଷ୍ଟ। ଦ୍ୱାରଗୁଡ଼ିକ ସଂସ୍ଥାପିତ ହେବାପରେ ଏହାର କବାଟ ଉପରେ ପିତଳ ଛାଉଣୀ କରାଯାଇଥିଲା। ସେହିପରି ଦୁଇଫାଳ ବିଶିଷ୍ଟ ଏହି ଦ୍ୱାରରେ ଗୋଟିଏ ଲେଖାଏଁ କ୍ଷୁଦ୍ର ‘ଚୋରା କବାଟ’ ରହିଅଛି। ପୂର୍ବରୁ ଏଭଳି ଚୋରା କବାଟମାନ ଥିବାରୁ ନୂତନ କବାଟ ମଧ୍ୟ ଅବିକଳ ଭାବେ ଏହି ମାପରେ ନିର୍ମିତ ହୋଇଅଛି। ଦ୍ୱାର ବନ୍ଦ ଥିବା ସମୟରେ ଏହି ଦ୍ୱାର ଦେଇ ପାଳିଆ ସେବକମାନେ ଓ କର୍ମଚାରୀ ପ୍ରମୁଖ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ଅନ୍ୟ ତିନି ଦ୍ୱାର କବାଟଗୁଡ଼ିକ ଉପରେ କେବଳ ପିତଳ ଚାଦର ଛାଉଣୀ ହୋଇଥିବାବେଳେ ସିଂହଦ୍ୱାର କବାଟର ଦୁଇ ପାର୍ଶ୍ୱରେ ଦୁଇଟି ସିଂହ ଆକୃତି ମୂର୍ତ୍ତି ସଂସ୍ଥାପିତ ହୋଇଛି।

ଗବେଷକ, ଶ୍ରୀଜଗନ୍ନାଥ ସଂସ୍କୃତି
ମୋ: ୯୪୩୭୨୮୧୧୦୨

ସମ୍ବନ୍ଧିତ ଖବର