ସ୍ମାର୍ଟ ସ୍ୱାସ୍ଥ୍ୟସେବା ଆରମ୍ଭ, ଶୁକ୍ରି ଧାଙ୍ଗଡା ମାଝିଙ୍କୁ ପ୍ରଥମ ସ୍ମାର୍ଟ କାର୍ଡ ଦେଲେ ନବୀନ

‘ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଐତିହାସିକ ପଦକ୍ଷେପ’

ମାଲକାନଗିରି : ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଛି ସ୍ମାର୍ଟ ସ୍ବାସ୍ଥ୍ୟସେବା। ସୁବିଧାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟକାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ସଂସ୍କୃତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। ଏହି ଯୋଜନାରେ ଜିଲ୍ଲାର ୧ଲକ୍ଷ ୫୫ହଜାର ପରିବାର ଉପକୃତ ହେବେ। ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ତଥା ବିପିଏଲ ହିତାଧିକାରୀମାନେ ପାଇବେ। ପ୍ରତ୍ୟେକ ପରିବାର ପାଇଁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସୁବିଧା କରାଯାଇଛି। ପରିବାରର ମହିଳା ସଦସ୍ୟାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସୁବିଧା ରହିଛି। ଏହି ଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାର ୨ଶହ ହସ୍‌ପିଟାଲ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅଧିକ ତଥ୍ୟ ପାଇଁ ୧୦୪ ଟୋଲ୍‌ ଫ୍ରି ନମ୍ବର ରହିଥିବା ନେଇ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକଙ୍କ ଗସ୍ତ ପାଇଁ ଶୁକ୍ରବାର ମାଲକାନଗିରି ସହର ବେଶ୍‌ ଚଳଚଞ୍ଚଳ ରହିଥିଲା। ସକାଳ ସାଢ଼େ ୧୧ଟାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସଂସ୍କୃତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମ ହିତାଧିକାରୀ ଭାବେ ଶୁକ୍ରି ଧାଙ୍ଗଡ଼ା ମାଝିଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୮ରେ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। ସେତେବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ମମତା ପଡିଆମୀ ପ୍ରସ୍ତାବ ଦେଇଥିଲେ।

ସେତେବେଳେ ତାଙ୍କ ପ୍ରସ୍ତାବ ମୋତେ ବହୁତ ଭଲ ଲାଗିଥିଲା। ତା’ପରେ ମହିଳାଙ୍କ ଚିକତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିଥିଲୁ। ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ। ସେପ୍ଟେମ୍ବର ପହିଲାରୁ ଏହି କାର୍ଡ ଲାଗୁ ହେବ। ଏହି ନୂଆ ବ୍ୟବସ୍ଥାରେ ହିତାଧିକାରୀଙ୍କୁ କୌଣସି କାଗଜପତ୍ର ଦେବାକୁ ପଡ଼ିବନି। କେବଳ କାର୍ଡ ଦେଖାଇଲେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ଚିକିତ୍ସା ସୁବିଧା ମିଳିବ। ଏଭଳି ସୁବିଧା ଯୋଗାଇ ଦେବାରେ ସାରାଦେଶରେ ଓଡ଼ିଶା ପ୍ରଥମ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ।

ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ଼ ସଂପର୍କ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛଥିଲେ ଯେ ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡ଼ିଲେ, ଆମର ଚିନ୍ତା ବଢିଯାଇଥାଏ । ସବଠୁ ବଡ଼ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା। ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହି କେହି ମଧ୍ୟ ଧାର କରଜ କରିଥାନ୍ତି । ‘ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି ସ୍ମାର୍ଟ ହେଲ୍ଥ କାର୍ଡ ଆପଣଙ୍କର ଏ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ’ ବୋଲି ସେ କହିଥିଲେ।

ରାଜ୍ୟର ସବୁ ସରକାରୀ ହସ୍‌ପିଟାଲଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ ଓଡ଼ିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଆମର ସରକାରୀ ହସ୍‌ପିଟାଲରେ ଡାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, ଏମଆରଆଇ, ବିଭିନ୍ନ ପାଥୋଲୋଜି ଟେଷ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍‌ପିଟାଲରେ ଏ ସୁବିଧା ନେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରାଦେଶରେ ଆଦର୍ଶ ହୋଇଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ରମେଶ ମାଝି ସ୍ବାଗତ ଭାଷଣ ଦେଇଥିଲେ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ୫-ଟି ସଚିବ କାର୍ତ୍ତିକେୟାନ ପାଣ୍ଡିଆନ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗରି ବିଧାୟକ ଆଦିତ୍ୟ ମାଢି ପ୍ରମୁଖ ମଞ୍ଚାସୀନ ଥିଲେ। କୋଭିଡ୍‌ କଟକଣା ଅନୁଯାୟୀ ସୀମିତ ଲୋକଙ୍କ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେବଳ ମନ୍ତ୍ରୀ, ବିଧାୟକ ଏବଂ ହାତଗଣତି ହିତାଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ବିଶାଳ ସିଂହଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତଦାରଖ କରିଥିଲେ। ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ସଂପାଦକ ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ, ରାଜେନ୍ଦ୍ର ପଣ୍ଡା, ସଂଗଠନ ସଂପାଦକ ନୃସିଂହ ଚରଣ ମହାନ୍ତି, ଆଡମା ରାବା, ତାପସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଭିନେତା ଆକାଶ ଦାସନାୟକ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଂଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବୟନ ଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଦିବାସୀ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ ସମେତ ବହୁ ବିଧାୟକ ଓ ନିଗମ ଅଧ୍ୟକ୍ଷମାନେ ପର୍ଯ୍ୟାୟକ୍ରମେ ଜିଲ୍ଲାରେ ହିତାଧିକାରୀଙ୍କୁ ଜିଲ୍ଲାର ସାତୋଟି ବ୍ଲକ ଏବଂ ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର