ରାଜ୍ୟର ୧୬ଟି ଶିକ୍ଷକ, ଶିକ୍ଷା ମହାବିଦ୍ୟାଳୟ ଦୟନୀୟ ସ୍ଥିତିରେ 

ଶିକ୍ଷକ ନିଯୁକ୍ତି ସତ୍ତ୍ବେ ନାମ ଲେଖାଇପାରୁନାହାନ୍ତି ଛାତ୍ରଛାତ୍ରୀ, କାର୍ଯ୍ୟକ୍ଷମ ହୋଇପାରୁନି ସିଟ୍ ସଂଖ୍ୟା, ୫୦ ସିଟ୍‌ରେ ସରିଛି ନାମଲେଖା

ଗୋଳନ୍ଥରା : ଓଡ଼ିଶା‌ରେ ଅନେକ ଶିକ୍ଷକଙ୍କୁ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଖୋଦ୍ ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ ଏବେ ଦୟନୀୟ ସ୍ଥିତିରେ ଚାଲିଛି। ଚଳିତ ୨୦୨୨-୨୩ ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ଏଯାଏ ୧୬ଟି ମହାବିଦ୍ୟାଳୟରେ ସିଟ୍ ପୂର୍ଣ୍ଣାଙ୍ଗ ଭା‌ବେ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ଶତାଧିକ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷାରେ ପାସ୍ କରିଥିଲେ ହେଁ, ନାମଲେଖାରୁ ବଞ୍ଚିତ ହୋଇରହିଛନ୍ତି। ୭ଟି ମହାବିଦ୍ୟାଳୟର ମାତ୍ର ୫୦ଟି ସିଟ୍‌ରେ ନାମ ଲେଖାଯାଇ ପାଠପଢ଼ା ଚାଲିଛି। ପୂର୍ବରୁ ରାଜ୍ୟରେ ୧୬ଟି ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ ଚାଲିଥିବା ବେଳେ ତନ୍ମଧ୍ୟରୁ ୯ଟିରେ ନାମଲେଖା ବନ୍ଦ ହୋଇସାରିଛି।

୧୬ଟି ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚଳିତ ବର୍ଷ ଫେବ୍ରୁଆରି ୨୦ ତାରିଖରୁ ଶେଷ ହୋଇଛି। ତନ୍ମଧ୍ୟରୁ ଅନେକ ବିଇଡି ଡିଗ୍ରୀଧାରୀ ନିଯୁକ୍ତି ପାଇଥିବାରୁ ବିବାଦ ଦେଖାଦେଇଛି। ଦୁଇବର୍ଷିଆ ବିଇଡି ଓ ଏମଇଡି ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଜଣେ ଏମ୍‌ଇଡି ଡିଗ୍ରୀଧାରୀ ଶିକ୍ଷକଙ୍କ ଆବଶ୍ୟକତା ରହିଛି। କିନ୍ତୁ ଅନେକ ବିଇଡି ଡିଗ୍ରୀଧାରୀଙ୍କୁ ନିଯୁକ୍ତି ମିଳିବାରୁ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଉଚ୍ଚନ୍ୟାୟାଳୟରେ ବର୍ତ୍ତମାନ ମକଦ୍ଦମା ମଧ୍ୟ ରୁଜୁ ହୋଇଛି। ଫଳରେ ଶିକ୍ଷକ ଥାଇବି ସିଟ୍ କାର୍ଯ୍ୟକ୍ଷମ ହୋଇପାରୁନି। ଆଉ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଛନ୍ତି।

ସେହିପରି କାର୍ଯ୍ୟକ୍ଷମ ୭ଟି ମହାବିଦ୍ୟାଳୟର ୫୦ ପିଲା ପାଇଁ ୨୫ ଜଣ ଅଧ୍ୟାପକ ଅଛନ୍ତି। କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଠିକ୍ ଢଙ୍ଗରେ ପରିଚାଳିତ ହେଉନି। ଅଧ୍ୟାପକମାନେ କୌଣସି କାର୍ଯ ସଂପାଦନ ନକରି ଏବଂ କାର୍ଯ୍ୟାଳୟକୁ ନଆସି ମୋଟା ଅଙ୍କର ଦରମା ନେଉଛନ୍ତି। ଫଳରେ ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟର ଭବିଷ୍ୟତ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ୧୪ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୪ବର୍ଷୀୟା ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମ ଏଯାବତ୍ ଆରମ୍ଭ ହୋଇନି। ୨୦୨୩-୨୪ ଶିକ୍ଷାବର୍ଷରୁ କେଉଁ ମହାବିଦ୍ୟାଳୟକୁ (ଏନ୍‌ସିଟିଇ) ସ୍ବୀକୃତି ମିଳିବ ତାହା ବି ସ୍ପଷ୍ଟ ହେଉନି। ଫଳରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

ସେହିପରି ବ୍ରହ୍ମପୁର ଉପକଣ୍ଠ କନିଷିରେ ଥିବା ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଦିବାକର ପଟ୍ଟନାୟକ ଉଚ୍ଚତର ଶିକ୍ଷା ଗବେଷଣା ପ୍ରତିଷ୍ଠାନର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏଠାରେ ବିଇଡି,ଏମଇଡି, ଏମଫିଲ୍ ଓ ପିଏଚ୍‌ଡି ପାଇଁ ବ୍ୟବସ୍ଥା ରହିଛି। ବହୁବର୍ଷ ଧରି ଅଧ୍ୟାପକ ମରୁଡ଼ି ପରେ ବର୍ତ୍ତମାନ ୨୪ ଜଣ ଅଧ୍ୟାପକ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଉଦ୍‌ବେଗର ବିଷୟ ହେଉଛି, ଅନୁଷ୍ଠାନର ମୁରବି ଓ କେତେକ ବରିଷ୍ଠ ଅଧ୍ୟାପକ କଲେଜକୁ ନିୟମିତ ଭାବେ ଆସୁନାହାନ୍ତି। ‌ମୋଟା ଅଙ୍କର ଦରମା ନେଇ ଭୁବନେଶ୍ବରରେ ରହୁଛନ୍ତି। ଉଚ୍ଚଶିକ୍ଷା ବିଭାଗ ସଚିବ, ୫-ଟି ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏଦିଗରେ ହସ୍ତକ୍ଷେପ କରିବା ସହ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର