ଲକ୍‌ଡାଉନ୍‌ ଆର୍ଥିକ ସହାୟତା: ୧୨ ହଜାର କାର୍ଡ଼ଧାରୀ ନିଖୋଜ, ରାଜ୍ୟ ସରକାରଙ୍କୁ ୧.୨୬ ‌କୋଟି ଫେରସ୍ତ

ବ୍ରହ୍ମପୁର: ଲକ୍‌ଡାଉନ ସମୟରେ ପ୍ରତି ରାସନ୍‌ କାର୍ଡ଼ଧାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଏ ବାବଦରେ ମିଳିଲା ୭୬କୋଟି ୧୯ଲକ୍ଷ ଟଙ୍କା। ସହାୟତା ରାଶି ବଣ୍ଟନ ଦାୟିତ୍ବ ଯୋଗାଣ ବିଭାଗକୁ ଦିଆଗଲା। ଯୋଗାଣ ବିଭାଗ ୭ଲକ୍ଷ ୪୫ହଜାର ୧୮୪ ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ବଣ୍ଟନ କଲା। ମାସ ମାସ ଖୋଜା ପଡ଼ିଲା, ଆଉ ୧୨ହଜାର ୬୨୬ କାର୍ଡ଼ଧାରୀଙ୍କ ପତ୍ତା ମିଳିଲାନି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୧କୋଟି ୨୬ଲକ୍ଷ ୨୬ହଜାର ଟଙ୍କା ବଳକା ପଡ଼ିଲା। ଶେଷରେ ଏ ଅର୍ଥ ଯୋଗାଣ ବିଭାଗ ଫେରସ୍ତ କରିଛି। ହେଲେ ବିସ୍ମୟର କଥା, ଯୋଗାଣ ବିଭାଗର ଖାଦ୍ୟ ସୁରକ୍ଷା ‌ଯୋଜନା ତାଲିକାଭୁକ୍ତ ଏହି କାର୍ଡ଼ଧାରୀ କିଏ ? ଏମାନଙ୍କୁ ଯଦି ଖୋଦ୍‌ ଯୋଗାଣ ବିଭାଗ ୭ ମାସ ଧରି ପତ୍ତା ଲଗାଇ ପାରିଲାନି, ତେବେ ଏହି କାର୍ଡ଼ଧାରୀଙ୍କ ନାମରେ ବର୍ଷ ବର୍ଷ ଧରି ପ୍ରତି ମାସରେ ଆସୁଥିବା ଚାଉଳ, ଗହମ ଓ କିରାସିନି କୁଆଡେ଼ ଯାଉଛି, ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହାର ସନ୍ତୋଷଜନକ ଉତ୍ତର ମଧ୍ୟ ଯୋଗାଣ ବିଭାଗ ପାଖରେ ନାହିଁ। ତେବେ ଏ ସବୁ ଭୂତ ହିତାଧିକାରୀ ବୋଲି ଅଭିଯୋଗ ହେଉଛି। ଏହି କାର୍ଡ଼ଧାରୀଙ୍କ ନାମରେ ଆସୁଥିବା ସାମଗ୍ରୀର ବାଟମାରଣା ହେଉଥିବା ଅଭିଯୋଗ ହେଉଛି।

କରୋନା ମହାମାରୀ ପ୍ରକୋପ ଲାଗି ମାର୍ଚ୍ଚ ୨୨ରୁ ଦେଶ ଲକ୍‌ଡାଉନ୍‌ ହେଲା। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ରାତ୍ରୀକାଳୀନ କର୍ଫ୍ୟୁ ଆଦି ଯୋଗୁଁ ଜନସାଧାରଣ ଗୃହାବଦ୍ଧ ହୋଇ ରହିଲେ। ଜୀବନଜୀବିକା ଉଜୁଡ଼ିଗଲା। କାମଧନ୍ଧା ହରାଇ ହଜାର ହଜାର ପ୍ରବାସୀ ଭିଟାମାଟି ଫେରିଲେ। ବିଶେଷ କରି ଗରିବ ଶ୍ରେଣୀ ଲୋକଙ୍କ ଦୁଇଓଳା ଆହାର ଯୋଗାଡ଼ କଷ୍ଟକର ହେଲା। ଏଭଳି ଘଡ଼ିସନ୍ଧି ସମୟରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପ୍ରତି କାର୍ଡ଼ଧାରୀଙ୍କୁ ୧ ହଜାର ଟଙ୍କା ଆର୍ଥିକ ସହାୟତା ଏବ˚ ୩ ମାସ ମାଗଣା ଚାଉଳ ଓ ଡାଲି ଯୋଗାଇ ଦେବା ଲାଗି ଘୋଷଣା କଲେ। ଏପ୍ରିଲରୁ ଏହା କାର୍ଯ୍ୟକାରୀ ହେଲା। ଗଞ୍ଜାମ ଜିଲ୍ଲାର ୭ଲକ୍ଷ ୬୧ହଜାର ୯୫୧ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ), ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏ) ଓ ଅନ୍ତ୍ୟୋଦୟ କାର୍ଡ଼ଧାରୀଙ୍କ ଲାଗି ୭୬କୋଟି ୧୯ଲକ୍ଷ ୫୧ହଜାର ୯୦୭ଟଙ୍କା ଆସିଲା। ପ୍ରତି କାର୍ଡ଼ ପିଛା ୧ହଜାର ଟଙ୍କା ହିସାବରେ ରାଜ୍ୟ ସରକାର ଏହି ଅନୁଦାନ ଦେଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁଲି ଜିଲ୍ଲାର ୨୨ଟି ବ୍ଲକର ୫୦୩ ପଞ୍ଚାୟତ ଓ ୧୮ଟି ସହରାଞ୍ଚଳର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରା ଯାଇଥିଲା। ଜିଲ୍ଲାର ୭ଲକ୍ଷ ୪୫ହଜାର ୧୮୪ ହିତାଧିକାରୀଙ୍କୁ ୭୪କୋଟି ୫୧ଲକ୍ଷ ୮୪ହଜାର ଟଙ୍କା ବଣ୍ଟନ କରାଗଲା। ବାକି ବଣ୍ଟନ ହୋଇ ନ ପାରି ବଳକା ରହିଲା। ବଣ୍ଟା ହୋଇପାରି ନଥିବା ୧କୋଟି ୨୬ଲକ୍ଷ ୨୬ହଜାର ଟଙ୍କା ଗତ ସେପ୍ଟେମ୍ବର ୨୨ତାରିଖରେ ରାଜ୍ୟ ସରକାରଙ୍କୁ ଫେରାଇ ଦିଆଗଲା। ଏଥିସହ ବଣ୍ଟନ ହୋଇଥିବା ୭୪କୋଟି ୫୧ଲକ୍ଷ ୮୪ହଜାର ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୁସି) ଯୋଗଣ ବିଭାଗ ଦେଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହସ୍ତଗତ ହୋଇଛି। ଆହୁରି ୪୧ଲକ୍ଷ ୪୧ହଜାର ୯୦୭ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦିଆଯାଇ ନାହିଁ କି ଅର୍ଥ ଫେରା ଯାଇ ନଥିବା ଆର୍‌ଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ବିନିଯୋଗ ନ ହୋଇ ରହିଥିବା ୨୯ଲକ୍ଷ ୧୦ହଜାର ଟଙ୍କା ତୁରନ୍ତ ଫେରାଇବାକୁ ରାଜ୍ୟ ସରକାର ଜିଲ୍ଲା ଯୋଗାଣ ବିଭାଗକୁ ଚଳିତ ମାସ ୧୧ ତାରିଖରେ ଚିିଠି (ନମ୍ବର ୧୪୪୦୭/୧୧/୨୦) ଲେଖିଛନ୍ତି। ଅନ୍ୟପକ୍ଷରେ ହିତାଧିକାରୀଙ୍କୁ ବଣ୍ଟାଯିବା ପରେ ବଳକା ଅର୍ଥ ଫେରାଇ ନଥିବା ଛତ୍ରପୁର ଓ ବେଲଗୁଣ୍ଠା ବିଡିଓ ଏବ˚ ବୁଗୁଡ଼ା ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୭ଦିନ ମଧ୍ୟରେ ବଳକା ଅର୍ଥ ଫେରାଇବାକୁ ଏ ମାସ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାରେ ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬ଲକ୍ଷ ୫୩ହଜାର ୫୭୫, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୦ହଜାର ୪୩୭ ଏବ˚ ଏବ˚ ଅନ୍ତ୍ୟୋଦୟ ଯୋଜନାରେ ୭୯ହଜାର ୧୦୪ କାର୍ଡ଼ଧାରୀ ଅଛନ୍ତି। ଜିଲ୍ଲାକୁ ମିିଳିଥିବା ୭୬କୋଟି ୧୯ଲକ୍ଷ ୫୧ହଜାର ୯୦୭ଟଙ୍କା ଅନୁଦାନ ମଧ୍ୟରୁ ୭୫କୋଟି ୭୮ଲକ୍ଷ ୧୦ହଜାର ଟଙ୍କାର ହିସାବ ଜିଲ୍ଲା ଯୋଗାଣ ବିଭାଗ ରାଜ୍ୟ ସରକାରଙ୍କୁ ଦେଇ ସାରିଛି। ତେବେ ଯୋଗାଣ ବିଭାଗ ୧୨ହଜାର ୬୨୬ଜଣ କାର୍ଡ଼ଧାରୀଙ୍କ ସହୟତା ରାଶି ୧କୋଟି ୨୬ଲକ୍ଷ ୨୬ହଜାର ଟଙ୍କା ରାଜ୍ୟ ସରକାରଙ୍କୁ ଫେରାଇଛି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି କହିଛନ୍ତି, ଏହି କାର୍ଡ଼ଧାରୀ ମାନେ ଦୀର୍ଘଦିନ ଅନୁପସ୍ଥିତ ରହିଛନ୍ତି। ଏଥି ମଧ୍ୟରୁ କିଏ ଗାଁରେ ରହୁନାହିଁ ତ କିଏ କୁଆଡ଼େ ଚାଲିଯାଇଛି। ପ୍ରାୟ ୫ମାସ ବଣ୍ଟନ ପ୍ରକିୟା ଚାଲିବା ସତ୍ତ୍ବେ ଏମାନେ ନେଲେ ନାହିଁ। ତେଣୁ ଫେରାଇ ଦିଆଗଲା।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି, ଯେଉଁ କାର୍ଡ଼ଧାରୀଙ୍କ ଅର୍ଥ ଜିଲ୍ଲା ଯୋଗାଣ ବିଭାଗ ଫେରାଇଲା ସେମାନ ଭୂତ ହିତାଧିକାରୀ। ସେମାନଙ୍କ ମଧ୍ୟରୁ ଅଧିକା˚ଶ ମରି ଯାଇଛନ୍ତି କିମ୍ବା ବର୍ଷ ବର୍ଷ ଧରି ରାସନ ନେଉ ନାହାନ୍ତି। ଏଠାରେ ପ୍ରଶ୍ନ ଉଠିଛି, ଯଦି ୫ମାସର ବଣ୍ଟନ ପ୍ରକ୍ରିୟା ସତ୍ତ୍ବେ ଏହି ହିତାଧିକାରୀମାନେ ସହାୟତା ରାଶି ନେଲେ ନାହିଁ, ତେବେ ପ୍ରତିମାସ ଏମାନଙ୍କ ଚାଉଳ, ଗହମ ଓ କରାସିନି କୋଟା ଆସୁଛି କି ନାହିଁ? ଯଦି ଆସୁଛି, ତାହା ଯାଉଛି କୁଆଡେ଼? ତାହା ପ୍ରତି ମାସରେ ଫେରାଯାଉଛି କି? ପ୍ରତିମାସରେ ଏହି ଭୂତ ହିତାଧିକାରୀଙ୍କ ନାମରେ ଆସୁଥିବା ଚାଉଳ, ଗହମ ଓ କିରାସିନି ବାଟମାରଣା ହେଉଥିବା ଏକରକମ ସ୍ପଷ୍ଟ ହେଉଛି। ଏହା କେବଳ ଗଞ୍ଜାମ ଜିଲ୍ଲାର ସ୍ଥିତି ନୁହଁ, ସମଗ୍ର ରାଜ୍ୟର ସ୍ଥିତି। ତେଣୁ ଏ ଦିଗରେ ବିଦ୍ଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଳା ଖାଦ୍ୟ ସୁରକ୍ଷା ଯୋଜନାରୁ ସମୁଦାୟ ୬୨ହଜାର ୭୩୦ ଜଣ ମୃତ ବ୍ୟକ୍ତିଙ୍କୁ ଗତ ସେପ୍ଟେମ୍ବର ସୁଦ୍ଧା ବାଦ୍‌‌ ଦିଆ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର