ଅକ୍ଟୋବର ଯାଏ ସତର୍କ ରୁହ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ

ବିପର୍ଯ୍ୟୟ ମୁକାବିଲା ସଫଳତାର ମନ୍ତ୍ର ଖୋଲିଲା
ବିଭିନ୍ନ ନଦୀବନ୍ଧରେ ୪୯ଟି ସ୍ଥାନ ଦୁର୍ବଳ ଚିହ୍ନଟ
୮୭୯ ଆଶ୍ରୟସ୍ଥଳୀରୁ ୭୯୬ର ମରାମତି ସରିଛି

ଭୁବନେଶ୍ବର : ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଏବଂ ପୁନର୍ଗଠନ ହେଉଛି ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବଡ଼ ଅସ୍ତ୍ର ବା ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି। କେବଳ ସେତିକି ନୁହେଁ, ଅତୀତର ବିପର୍ଯ୍ୟୟ ଗୁଡିକରୁ ମିଳୁଥିବା ଶିକ୍ଷାକୁ ପାଥେୟ କରି ସମ୍ଭାବ୍ୟ ଦୁର୍ବିପାକ ପାଇଁ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ‘ଅଭିଜ୍ଞତାରୁ ଶିକ୍ଷା’ ଏବଂ ‘ପରବର୍ତ୍ତୀ ପ୍ରସ୍ତୁତି’ରେ ଉନ୍ନତିର ନିରନ୍ତର ପ୍ରକ୍ରିୟା ପାଇଁ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସଫଳ ହେଉଛି। ସବୁ କ୍ଷେତ୍ରରୁ ପ୍ରଶଂସା ମିଳୁଛି।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତା ପଛର ଏଭଳି ସୂତ୍ର ଆଜି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଖାସ୍ ଏଇଥିପାଇଁ ରାଜ୍ୟକୁ ଆମକୁ ସବୁ କ୍ଷେତ୍ରରୁ ପ୍ରଶଂସା ମିଳିଛି।

ବିଭିନ୍ନ ବିପର୍ଯ୍ୟୟ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସୂଚନା ଦେଇ ନବୀନ କହିଥିଲେ, ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ। ହେଲେ ରାଜ୍ୟ ପ୍ରଶାସନ ଅଭିଜ୍ଞତା ପ୍ରସୂତ ଏସ୍‌ଓପି ପାଳନ ସହ ପ୍ରସ୍ତୁତ ରହିବା ଉଚିତ୍। ଗୋଷ୍ଠୀଭିତ୍ତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଞ୍ଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି। ବିଶେଷକରି କୋଭିଡ ପରିଚାଳନାରେ ଏହା ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି ସେ କହିଥିଲେ।

Europol

କୋଭିଡ଼ ସଂପର୍କରେ ସୂଚନା ଦେଇ ନବୀନ କହିଥିଲେ, ଗତ ୩ ମାସ ଧରି ଏହି ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି। ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ଓଡ଼ିଶା ଏହି ସଂକ୍ରାନ୍ତ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ହେଁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ଗତ ବର୍ଷ ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ମେ’ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ଫାନ ଦ୍ବାରା ପ୍ରଭାବିତ ହୋଇଥିଲେ। ଏହିସବୁ ବିପର୍ଯ୍ୟୟର ମୁକାବିଲାରେ ରାଜ୍ୟ ସଫଳ ହୋଇଛି ଓ ପଡ଼ୋଶୀ ପଶ୍ଚିମବଙ୍ଗକୁ ମଧ୍ୟ ବିପଦରେ ସହଯୋଗ କରିପାରିଛି।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍‌ ସମୟରେ ଆସିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି। ଜୁନ୍‌ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍‌ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ। ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

MetWeather

ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫାନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଞ୍ଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍‌.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ୨୦ଟି ଓଡ୍ରାଫ ଟିମ୍‌କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି। ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଞ୍ଚ କରାଯାଇ ୭୯୬ଟିର ମରାମତି କରାଯାଇଛି।

ଭିଡିଓ କନ୍‌ଫରେନ୍‌ସିଂ ଦ୍ବାରା ଆୟୋଜିତ ଏହି ବୈଠକରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ବିରୋଧୀଦଳ ନେତା, ସାଂସଦ, ବିଧାୟକମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକିବିଲା ଦିଗରେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର