ପୁଣି ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ଜଗତସିଂପୁରରେ ଚିହ୍ନଟ ହୋଇଥିବା ୨୦ ଆକ୍ରାନ୍ତ ଏହି ନୂଆ ଘୋଷିତ ୧୦୨ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି। ଜଗତସିଂପୁର ଜିଲ୍ଲାପାଳ ସୋମବାର ଏହି ସୂଚନା ଦେଇଥିଲେ, ଯାହାକି  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇ ନ ଥିଲା।  ଅନ୍ୟପକ୍ଷରେ ଗତକାଲି ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା  ଲକ୍ଷେ ଅତିକ୍ରମ କରିଛି । ଏଯାବତ୍ ୧୦୦୩୦୨ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ରହିଛି।

ଏମାନଙ୍କ ଭିତରୁ ୫ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୯୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଅନ୍ୟ ୫ଜଣ ସ୍ଥାନୀୟ ଅଞ୍ଚଳର ବୋଲି  ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ୨୦ଜଣ ଆକ୍ରାନ୍ତଙ୍କୁ ଏଥିରେ ସାମିଲ କରାଯାଇଛି।

ଏଣେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଉକ୍ତ ଆକ୍ରାନ୍ତ କଟକ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବୋଲି ଜଣାଯାଇଛି। .ସେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଥିଲେ।  ଏହାଫଳରେ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯୬ ଥିବା ବେଳେ ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚିହ୍ନଟମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୩୧ଜଣ କରୋନା ପଜିଟିଭ୍ ଅଛନ୍ତି। ଏହାଛଡ଼ା ଭଦ୍ରକ ଜିଲ୍ଲାରୁ ୨୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩ଜଣ, ବାଲେଶ୍ବର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ପୁରୀରୁ ୪ଜଣ, ସମ୍ବଲପୁରରୁ ୨ଜଣ, ଅନୁଗୁଳରୁ୨ ଓ ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଗଞ୍ଜାମ ଜିଲ୍ଲାରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।

ସମ୍ବନ୍ଧିତ ଖବର